ଦିଲ୍ଲୀରେ ପହଞ୍ଚିଲା ସିଡିଏସ୍ ରାୱତଙ୍କ ପାର୍ଥିବ ଶରୀର
ନୂଆଦିଲ୍ଲୀ: ତାମିଲନାଡୁ କୁନ୍ନୁର ହେଲିକପ୍ଟର କ୍ରାଶରେ ପ୍ରାଣ ହରାଇଥିବା ଦେଶର ପ୍ରଥମ ସିଡିଏସ୍ ବିପିନ ରାୱତଙ୍କ ମରଶରୀର ଆଜି ଦିଲ୍ଲୀରେ ପହଞ୍ଚିଛି। ସୁଲୁର ଏୟାରବେସ୍ରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ତାଙ୍କ ପାର୍ଥିବ ଶରୀରକୁ ଦିଲ୍ଲୀର ପାଲମ ଏୟାବେସ୍କୁ ଅଣାଯାଇଛି। ଏହି ବିମାନରେ ହେଲିକପ୍ଟର କ୍ରାଶରେ ପ୍ରାଣ ହରାଇଥିବା ସମସ୍ତ ୧୩ ଜଣଙ୍କ ମରଶରୀର ଆସିଛି।
ବିମାନରୁ ପ୍ରଥମେ ଜେନେରାଲ ରାୱତଙ୍କ ପାର୍ଥିବ ଶରୀରକୁ ଗାର୍ଡ ଅଫ ଅନର ଦିଆଯାଇ ବାହାରକୁ ଅଣାଯାଇଥିଲା। ଏହାପରେ ଜଣଙ୍କ ପରେ ଜଣେ ଯବାନଙ୍କ ମରଶରୀରକୁ ବିମାନରୁ କଢ଼ା ଯାଇଥିଲା। ଏଠାରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ। ଏୟାରବେସରେ ଜେନେରାଲ ରାୱତଙ୍କ ଦୁଇ ଝିଅ ଉପସ୍ଥିତ ରହିଛନ୍ତି। ଅନ୍ୟ ବୀରଙ୍କ ପରିବାର ଲୋକ ମଧ୍ୟ ପାଲମ ଏୟାରବେସ୍ରେ ଶେଷଦର୍ଶନ କରିବାକୁ ଅପେକ୍ଷା କରିଛନ୍ତି। ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ସିଡିଏସ୍ ରାୱତ ଓ ଅନ୍ୟ ସମସ୍ତଙ୍କୁ ଏହିଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ଏହାପରେ ସିଡିଏସ୍ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ପାର୍ଥିବ ଶରୀରକୁ ଦିଲ୍ଲୀରେ ଥିବା ବାସଭବନକୁ ନିଆଯିବ। କାଲି ସାଧାରଣ ଲୋକ ସିଡିଏସ୍ଙ୍କୁ ତାଙ୍କ ବାସଭବନରେ ଶ୍ରଦ୍ଧାଞ୍ଜଳି ଦେଇପାରିବେ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ମଧ୍ୟ ଆସନ୍ତାକାଲି ସେଠାକୁ ଯିବାର କାର୍ଯ୍ୟକ୍ରମ ରହିଛି।
ସୂଚନା ଯେ, ବୁଧବାର ଜେନେରାଲ ରାୱତ ଦିଲ୍ଲୀରୁ କୋଏମ୍ବାଟୁରର ସୁଲୁର ଯାଇଥିଲେ। ସେଠାରୁ ଏମଆଇ ୧୭ ଭି୫ ହେଲିକପ୍ଟର ଦ୍ୱାରା ନୀଳଗିର ହିଲ୍ସରେ ଥିବା ୱେଲିଂଟନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ସିଡିଏସ୍ଙ୍କ ସହ ତାଙ୍କ ପତ୍ନୀ ମଧୁଲିକା ମଧ୍ୟ ରହିଥିଲେ। ଏମାନଙ୍କ ବ୍ୟତୀତ ୬ ଜଣ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ ୧୪ ଜଣ ହେଲିକପ୍ଟର୍ରେ ଉଡ଼ାଣ ଭରିଥିଲେ। କିନ୍ତୁ ଓଟ୍ଟୀ ନିକଟରେ ତାଙ୍କ ହେଲିକପ୍ଟର କ୍ରାଶ କରି ଯାଇଥିଲା। ମଧ୍ୟାହ୍ନ ପ୍ରାୟ ୧୨.୨୦ରେ ଏହି ଘଟଣା ଘଟିଥିଲା। ହେଲିକପ୍ଟରଟି ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ଏକାଧିକ ବଡ଼ବଡ଼ ଗଛ ଭାଙ୍ଗି ଯାଇଥିଲା। ୧୪ ଜଣଙ୍କ ମଧ୍ୟରୁ ୧୩ ଜଣ ପ୍ରାଣ ହରାଇଥିବା ବେଳେ ଗ୍ରୁପ୍ କ୍ୟାପ୍ଟେନ ବରୁଣ ସିଂହ ଏବେ ବେଙ୍ଗାଲୁରୁରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଶରୀରର ୪୫% ଅଂଶ ପୋଡ଼ି ଯାଇଛି। ତାଙ୍କୁ ଜୀବନ ରକ୍ଷାକାରୀ ଉପକରଣ ଦ୍ୱାରା ଚିକିତ୍ସା ଯୋଗାଇ ଦିଆଯାଉଥିବା ଜଣାପଡ଼ିଛି।