ବସ୍-କାର୍ ମୁହାଁମୁହିଁ ଧକ୍କା : ୨ ମୃତ, ୩ ଗୁରୁତର
ଭବାନୀପାଟଣା : କଳାହାଣ୍ଡି ଜିଲା କେସିଙ୍ଗା ଥାନା ଚାଞ୍ଚେର ନିକଟରେ ସଡ଼କ ଦୁର୍ଘଟଣା । ଗତ ସୋମବାର ବିଳମ୍ବିତ ରାତିରେ ଯାତ୍ରୀବାହୀ ବସ୍ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବସ୍ର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।
ସୂଚନା ଯେ, ଉମରକୋଟରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା ‘ଦିଲଖୁସ୍’ ନାମକ ଏକ ଯାତ୍ରୀବାହୀ ବସ୍ । ବସ୍ଟି ରାତିରେ କେସିଙ୍ଗା ଥାନା ଚାଂଚେର ନିକଟରେ ଅତିକ୍ରମ କରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ କାର୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହାଫଳରେ ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଭବାନୀପାଟଣା ଏରିକେସନ କଲୋନୀର ଦିଲ୍ଲୀପ ଗୌଛାୟତ ଏବଂ ଦିନେଶ ନାୟକ ବୋଲି ଜଣାପଡିଛି ।ସେହିପରି ଗୁରୁତର ଥିବା ବ୍ୟକ୍ତିଙ୍କ ନାମ ସୀତା ଗୋଛାୟତ, ମଧୁସ୍ମିତା ଗୋଛାୟତ ଏବଂ ସୌରଭ ଗୋଛାୟତ ବୋଲି ଜଣାପଡିଛି । ସେମାନଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l ସମସ୍ତେ ବରଗଡ଼ ଧନୁଯାତ୍ରା ଦେଖି ଭବାନୀପାଟଣାକୁ ଫେରୁଥିବା ସୂଚନା ମିଳିଛି l