ଆଇପିଏଲ୍ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଆଇପିଏଲ୍ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିସାରିଛି । ପରବର୍ତୀ ଆଇପିଏଲରେ ଦୁଇ ନୂଆ ଟିମ୍, ଖେଳାଳିଙ୍କୁ ରିଟେନ୍ କରିବା, ଏକ ମେଗା ଅକ୍ସନ୍, ସାଲାରୀ ପର୍ସ ବଢାଇବା, ମିଡିଆ ରାଇଟ୍ ପାଇଁ ନୂଆ ଟେଣ୍ଡର୍ ବାହାର କରାଯିବ । ଏସବୁ ପ୍ରକ୍ରିୟା ଅଗଷ୍ଟ ୨୦୨୧ରୁ ଜାନୁଆରୀ ୨୦୨୨ ମଧ୍ୟରେ ହେବ । ଆଇପିଏଲରେ ଏଥର ଦୁଇ ନୂଆ ଫ୍ରାଂଚାଇଜକୁ ସାମିଲ କରିବା ନେଇ ବୋର୍ଡ ମନସ୍ଥ କରିସାରିଛି । ଏଥିପାଇଁ ଟେଣ୍ଡର ଅଗଷ୍ଟ ମଧ୍ୟଭାଗରୁ ବାହାର କରାଯିବ ଏବଂ ଆବଶ୍ୟକ ଯାଂଚ ପରେ ଅକ୍ଟୋବର ମଧ୍ୟଭାଗରେ ନୂଆ ଫ୍ରାଂଚାଇଜିର ଘୋଷଣା କରାଯିବ । କରୋନା ଭାଇରସ୍ ମହାମାରୀ କାରଣରୁ ଆଇପିଏଲର ୧୪ଶ ସଂସ୍କରଣର ଦ୍ୱିତୀୟ ପର୍ଯ୍ୟାୟ ୟୁଏଇରେ ହେବ ।
ଆଇପିଏଲର ୨୦୨୨ ସଂସ୍କରଣ ପାଇଁ କୋଲକାତାର ଆରପି-ସଞ୍ଜୟ ଗୋଏଙ୍କା ଗ୍ରୁପ, ଅହମ୍ମଦାବାଦରେ ଥିବା ଆଦାନୀ ଗ୍ରୁପର ହେଡକ୍ୱାର୍ଟର, ହାଇଦ୍ରାବାଦର ଅରବିନ୍ଦ ଫାର୍ମା ଲିମିଟେଡ ଓ ଗୁଜରାଟର ଅପରେଟ୍ ହେଉଥିବା ଟରେଂଟ ଗ୍ରୁପ୍ ଭଳି ବଡ ବଡ କମ୍ପାନୀ ଆଗ୍ରହ ଦେଖାଇଛନ୍ତି । ଏହାବ୍ୟତୀତ ଅନ୍ୟ କିଛି କମ୍ପାନୀ ମଧ୍ୟ ଏହା ଉପରେ ନଜର ରଖିଛନ୍ତି । ବିସିସିଆଇ ମଧ୍ୟ ପରବର୍ତୀ ସଂସ୍କରଣ ପାଇଁ ପ୍ରତି ଫ୍ରାଂଚାଇଜିର ସାଲାରୀ ପର୍ସକୁ ୮୫ କୋଟିରୁ ୯୦ କୋଟି ଟଙ୍କାଙ୍କୁ ବଢାଇ ଦେଇଛି । ଏହାର ଅର୍ଥ ସମସ୍ତ ୧୦ଟି ଯାକ ଫ୍ରାଂଚାଇଜିଙ୍କ ପର୍ସକୁ ମୋଟ ୫୦ କୋଟି ଟଙ୍କା ଅଧିକ ଆସିବ । ଫ୍ରାଂଚାଇଜିଙ୍କୁ ଅତି କମରେ ପର୍ସରୁ ୭୫ ପ୍ରତିଶତ ଖର୍ଚ୍ଚ କରିବାକୁ ପଡିବ । ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ ଏହି ବୃଦ୍ଧି ଜାରି ରହିବ । ଅର୍ଥାତ୍ ଆଗାମୀ ଦୁଇ ବର୍ଷ ପାଇଁ ଫ୍ରାଂଚାଇଜିଙ୍କୁ ନିଲାମ ପାଇଁ ଯଥାକ୍ରମେ ୯୫ ଓ ୧୦୦ କୋଟି ଟଙ୍କା ମିଳିବ । ଆଇପିଏଲରେ ଖେଳାଳିଙ୍କୁ ରିଟେନ୍ କରିବାର ରଣନୀତି ମଧ୍ୟ ଫାଇନାଲ୍ ହୋଇଛି । ପ୍ରତି ଫ୍ରାଂଚାଇଜିଙ୍କ ପାଖରେ ଚାରିଜଣ ଖେଳାଳିଙ୍କୁ ରିଟେନ୍ କରିବା ପାଇଁ ଅଧିକାର ରହିବ । ହେଲେ ଏଥି ପାଇଁ କିଛି ସର୍ତ ରହିବ, ଯେପରି ସେମାନେ ତିନି ଭାରତୀୟ କିମ୍ବା ଜଣେ ବିଦେଶୀ ଖେଳାଳିଙ୍କୁ ରିଟେନ୍ କରିବେ । ନଚେତ୍ ଦୁଇ ଭାରତୀୟ ଓ ଦୁଇ ବିଦେଶୀ ଖେଳାଳିଙ୍କୁ ରିଟେନ୍ କରିପାରିବେ । ଫ୍ରାଂଚାଇଜିଙ୍କ ପର୍ସରେ ମଧ୍ୟ ରିଟେନ୍ କରାଯାଇଥିବା ଖେଳାଳିଙ୍କ ଟଙ୍କା ନିଲାମକୁ ଯିବା ପୂର୍ବରୁ କଟିଯିବ । ବର୍ତମାନ ଢାଂଚାରେ ସାଲାରୀ କାଟିବା ନେଇ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି । ଯଦି ତିନି ଜଣ ଖେଳାଳିଙ୍କୁ ରିଟେନ୍ କରାଯାଏ, ତାହେଲେ ଯଥାକ୍ରମେ ୧୫ କୋଟି, ୧୧ କୋଟି ଓ ୭ କୋଟି ଟଙ୍କା କଟିବ । ଯଦି ଦୁଇ ଖେଳାଳିଙ୍କୁ ରିଟେନ୍ କରାଯିବ, ତାହେଲେ ୧୨.୫ କୋଟି ଓ ୮.୫ କୋଟି ଟଙ୍କା କଟିବ । କେବଳ ଜଣେ ଖେଳାଳିଙ୍କୁ ରିଟେନ୍ କଲେ, ପର୍ସରୁ ୧୨.୫ କୋଟି ଟଙ୍କା କଟିବ ।ଏବେ ଗୋଟିଏ ଆଇପିଏଲ୍ ଟିମରେ ସର୍ବାଧିକ ୨୫ ଖେଳାଳିଙ୍କୁ ରଖାଯାଇପାରିବ । ଏଭଳି ସ୍ଥିତିରେ ନୂଆ ଦଳ ସାମିଲ୍ ହେବା ପରେ ସର୍ବାଧିକ ୫୦ ନୂଆ ଖେଳାଳିଙ୍କୁ ଟି-୨୦ ଲିଗରେ ଖେଳିବାକୁ ସୁଯୋଗ ମିଳିବ । ଗୋଟିଏ ଟିମରେ ସର୍ବାଧିକ ୮ ବିଦେଶୀ ଖେଳାଳି ରହିପାରିବେ । ଏଭଳି ସ୍ଥିତିରେ ୩୪ ସ୍ୱଦେଶୀ ଓ ୧୬ ବିଦେଶୀ ଖେଳାଳି ନୂଆ ଫ୍ରାଂଚାଇଜିରେ ସାମିଲ୍ ହୋଇପାରରନ୍ତି ।ଆଇପିଏଲ୍ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ