ବସ୍ତାରେ ବ୍ଲକସ୍ତରୀୟ ବିଜ୍ଞାନମେଳା, ୧୫୯ ପ୍ରକଳ୍ପ ପ୍ରଦର୍ଶିତ
ବସ୍ତା : ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ପାଉଁଶକୁଲି ଶ୍ରୀନାଥ ଚନ୍ଦ୍ର ଉପ୍ରା ବିଦ୍ୟାଳୟରେ ଆୟୋଜିତ ଦୁଇ ଦିନିଆ ବ୍ଲକସ୍ତରୀୟ ବିଜ୍ଞାନ ମେଳା ସୋମବାର ଉଦ୍ଯାପିତ ହୋଇଯାଇଛି । ରବିବାର ଉଦଘାଟନୀ ଉତ୍ସବରେ ଗୋଷ୍ଠୀ ଶିକ୍ଷାଧିକାରୀ ଲଲାଟେନ୍ଦୁ କେଶରୀ ଜେନା ପୌରାହିତ୍ୟ କରିଥିଲେ । ମୁଖ୍ୟ ଅତିଥି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ପର୍ଯ୍ୟଟନ, ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଯୋଗଦେଇ ଦୈନନ୍ଦିନ ଜୀବନରେ ବିଜ୍ଞାନ ସମସ୍ତଙ୍କ ଜୀବନଶୈଳୀକୁ ସହଜ କରିଛି ବୋଲି ବକ୍ତବ୍ୟରେ କହିଥିଲେ । ମୁଖ୍ୟ ବକ୍ତା ଅତିରିକ୍ତ ଜିଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ, ସମ୍ମାନୀତ ଅତିଥି ବସ୍ତା ପଞ୍ଚାୟତ ସମିତି ଅଧ୍ୟକ୍ଷା ଅଞ୍ଜଳି ଦାସ, ସମାଜସେବୀ ଲକ୍ଷ୍ମୀଧର ଦାସ, ଜିଲାପରିଷଦ ସଦସ୍ୟା ସୁଜାତା ଦଣ୍ଡପାଟ, ଏବିଇଓ ବାସନ୍ତୀ ପୃଷ୍ଟି, ସରପଞ୍ଚ ବିନ୍ଦୁବାଳା ସେନାପତି, ସମିତିସଭ୍ୟା ସୁମିତ୍ରା ପାତ୍ର ଓ ଅନାଦି ଦାସ, ଗିରିଜା ଶଙ୍କର ମହାନ୍ତି, ପ୍ରଧାନ ଶିକ୍ଷକ ଅସିତ କୁମାର ଦାସ ପ୍ରମୁଖ ଯୋଗଦେଇ କୁନି ବୈଜ୍ଞାନିକଙ୍କୁ ଉତ୍ସାହିତ କରିଥିଲେ । ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ସବ୍ ଜୁନିଅର, ଜୁନିଅର ଓ ସିନିଅର ବିଭାଗରେ ୧୫୯ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ସେଥିରୁ ସିନିଅର ବିଭାଗରେ ୪ଟି ଓ ଜୁନିଅର ବିଭାଗରେ ୩ଟି ପ୍ରକଳ୍ପ ଜିଲାସ୍ତରକୁ ମନୋନୀତ ହୋଇଥିଲା ।
ସୋମବାର ଗୋଷ୍ଠୀ ଶିକ୍ଷା ଅଧିକାରୀ ଲଲାଟେନ୍ଦୁ କେଶରୀ ଜେନାଙ୍କ ସଭାପତିତ୍ୱରେ ଉଦ୍ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ମହାପାତ୍ର, ମୁଖ୍ୟବକ୍ତା ପ୍ରାଧ୍ୟାପକ କେଦାର ନାଥ ମହାନ୍ତି, ସମ୍ମାନିତ ଅତିଥି ଶିକ୍ଷକନେତା ଇନ୍ଦୁ ମାଧବ ମହାନ୍ତି, ସରପଞ୍ଚ ପ୍ରଭାତ କୁମାର ଦାସ, ଏବିଇଓ ବିଜୟ କୁମାର ଜେନା ଓ ହରେନ୍ଦ୍ର ନାଥ ଗିରି, ପ୍ରାକ୍ତନ ଏବିଇଓ ଧନଞ୍ଜୟ ବେହେରା ପ୍ରମୁଖ ଯୋଗଦେଇ ବିଜ୍ଞାନର ଅବଦାନକୁ ପ୍ରତିଟି କ୍ଷେତ୍ରରେ ବ୍ୟବହାର କରି ସମସ୍ତେ ଉପକୃତ ହେଉଥିବା ବକ୍ତବ୍ୟରେ କହିଥିଲେ । ଶେଷରେ ବ୍ଲକ ବିଜ୍ଞାନ ସଂଯୋଜକ ସୁଶାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।