ପାକିସ୍ତାନରେ ବିସ୍ଫୋରଣ : ୨ ମୃତ, ୧୫ ଆହତ
ଲାହୋର : ପାକ୍ ଆତଙ୍କବାଦୀ ହଫିଜ ସଇଦ ରହୁଥିବା ଅଞ୍ଚଳରେ ବୁଧବାର ଭୀଷଣ ବିସ୍ଫୋରଣ ହୋଇଛି। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ଆହତ ଲୋକେ ନିଜେନିଜକୁ ସହଯୋଗ କରି ଜିନ୍ନା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ୪ ଜଣଙ୍କୁ ଛାଡି ଦିଆଯାଇଛି। ବାକି ଲୋକଙ୍କ ଅବସ୍ଥା ଗୁରୁତର ଥିବା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସୂଚନାରୁ ଜଣାପଡିଛି।
ବିସ୍ଫୋରଣର କାରଣ ଜଣାପଡି ନାହିଁ। ତେବେ ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲାଯେ ଶବ୍ଦ ଅନେକ ଦୂରକୁ ଶୁଣାଯାଇଥିଲା। ପ୍ରତ୍ୟକ୍ଷଦର୍ଶିଙ୍କ ସୂଚନା ଅନୁସାରେ ଏକ ଘର ଆଗରେ ଜନୈକ ବ୍ୟକ୍ତି ମୋଟର ସାଇକେଲ ରଖି କୁଆଡେ ଯାଇଥିବା ବେଳେ ସେଠାରେ ବିସ୍ଫୋରଣ ହୋଇଥିଲା। ଏଥିରେ ମୋଟର ସାଇକେଲ ରଖା ଯାଇଥିବା ସ୍ଥଳ ନିକଟରେ ଥିବା ଘରଟି ଗୁରୁତର କ୍ଷତିଗ୍ରସ୍ତ ହୋଇଛି। ତେବେ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜରୁ ଅଚାନକ ମାଟି ତଳୁ ବିସ୍ପୋରଣ ହେଉଥିବା ଦେଖାଯାଇଛି। ଯେଉଁ ସ୍ଥାନରେ ବିସ୍ଫୋରଣ ହୋଇଛି ସେଠାରେ ମାଟି ତଳେ ଗ୍ୟାସ୍ ପାଇପଲାଇନ୍ ବିଛାଯାଇଛି ହୁଏତ ଏଥିରେ ଦୁର୍ଘଟଣା ଘଟିଥିବାର ମଧ୍ୟ ସନ୍ଦେହ କରାଯାଉଛି। ପାକିସ୍ତାନ ପଞ୍ଜାବ ମୁଖ୍ୟମନ୍ତ୍ରୀ ସର୍ଦାର ଉସ୍ମାନ ବୁଜଦାର ପୋଲିସ ଆଇଜିଙ୍କ ସହ ପ୍ରସଙ୍ଗରେ କଥାବାର୍ତ୍ତା କରିଥିବା ବେଳେ ବିସ୍ତୃତ ରିପୋର୍ଟ ତଲବ କରିଛନ୍ତି। ମାମଲାର ତଦନ୍ତ ଜାରି ରହିଛି।