ପଛୁଆ ବର୍ଗଙ୍କୁ ନ୍ୟାୟ ପ୍ରଦାନ ଲଢେଇରେ ସାମିଲ ହେବାକୁ ବିଜେପିକୁ ବିଜେଡିର ଆହ୍ୱାନ
ଭୁବନେଶ୍ୱର : ପୁଣି ଜାତିଗତ ଜନଗଣନା ପ୍ରସଙ୍ଗ ଉଠାଇଛି ବିଜେଡି । ରାଜ୍ୟର ବିଜେପି ନେତାମାନେ ମଧ୍ୟ ଏହି ଦାବି ଉଠାନ୍ତୁ ବୋଲି ଆହ୍ୱାନ ଦେଇଛି ବିଜୁ ଜନତା ଦଳ ।
ରାଜ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଡକ୍ଟର ଅରୁଣ ସାହୁ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡିଶା ସରକାର ପଛୁଆବର୍ଗଙ୍କୁ ସାମାଜିକ ନ୍ୟାୟ ପ୍ରଦାନ ପାଇଁ ବଦ୍ଧ ପରିକର । ହେଲେ ସଂଘୀୟ ଢାଂଚା ଓ ଆଇନଗତ କଟକଣା ଏଥିରେ ବାଧା ହୋଇଛି । ପଛୁଆବର୍ଗଙ୍କ ପାଇଁ ଯୋଜନା ପ୍ରସ୍ତୁତ ପୂର୍ବରୁ ସେମାନଙ୍କ ସଂଖ୍ୟା ଜାଣିବା ନିହାତି ଆବଶ୍ୟକ । କେନ୍ଦ୍ର ମନା କରିବା ପରେ ରାଜ୍ୟ ସରକାର ୨୦୨୦ ମସିହା ଜାନୁଆରୀ ୧୧ ତାରିଖରେ କ୍ୟାବିନେଟ ବୈଠକରେ ଜାତି ଭିତିକ ଜନଗଣନା ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା । ଏହାର କିଛି ଦିନ ପରେ ରାଜ୍ୟ ସରକାର ୨୦୨୦ ମସିହା ଫେବୃୟାରୀ ୧୨ ତାରିଖରେ ଓବିସି କମିଶନ ଗଠନ କରିଥିଲେ ।
ଏହାର ୫ ଦିନ ପରେ ଫେବୃୟାରୀ ୧୭ ତାରିଖରେ କ୍ୟାବିନେଟ୍ ବୈଠକରେ ପଛୁଆବର୍ଗ କମିସନ (ସଂଶୋଧନ) ବିଧେୟକ ଗୃହିତ କରାଯାଇଥିଲା । ଇତି ମଧ୍ୟରେ କମିଶନ କାର୍ଯ୍ୟକ୍ଷମ ହୋଇସାରିଛି । ଓଡିଶାରେ ଅନ୍ୟ ପଛୁଆ ବର୍ଗ (ଓବିସି) ସାମାଜିକ ଆର୍ଥିକ ପଛୁଆବର୍ଗ (ଏସଇବିସି) ସଂଖ୍ୟା ରାଜ୍ୟରେ ମୋଟ ଜନସଂଖ୍ୟା ଅଧାରୁ ଅଧିକ । ସେମାନଙ୍କ ସଂଖ୍ୟାର ଅଧା ସଂରକ୍ଷଣ ବି ସେମାନଙ୍କୁ ଦିଆଯାଇପାରି ନାହିଁ । ନିକଟରେ ଏହି ଦାବି ନେଇ ବିଜେଡି ସଂସଦୀୟ ପ୍ରତିନିଧି ଦଳ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିସାରିଛନ୍ତି । ଦେଢ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ନବୀନ ପଟ୍ଟନାୟକ ଏହି ଦାବି ଉଠାଇ ଆସୁଛନ୍ତି । ନବୀନ ପଟ୍ଟନାୟକଙ୍କ ଏହି ଦାବିକୁ ଭାରତବର୍ଷର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜନୈତିକ ଦଳ ବି ସମର୍ଥନ ଜଣାଇ ଆସୁଛନ୍ତି । ଇତିମଧ୍ୟରେ ନବୀନ ପଟ୍ଟନାୟକଙ୍କୁ ଅନୁସରଣ କରି ଜାତିଭିତିକ ଜନଗଣନା ଏବଂ ୫୦% ସଂରକ୍ଷଣ କଟକଣା ଉଠାଇବା ସପକ୍ଷରେ ବିଜେପିର ସହଯୋଗୀ ଦଳମାନେ ମଧ୍ୟ ମତ ପ୍ରକାଶ କଲେଣି । ଏମାନଙ୍କ ମଧ୍ୟରେ ଜେଡି(ୟୁ)ର ନୀତିଶ କୁମାରଙ୍କ ନେତୃତ୍ୱରେ ଅପ୍ନା ଦଳର ଅନୁପ୍ରିୟା ପଟେଲ, ହାମ୍ର ଜୀତନରାମ ମାଝି, ଭିଆଇପି ଦଳର ମୁକେଶ ଶୈନୀ, ନିଷାଦ ପାଟିର ସଞ୍ଜୟ ନିଷାଦ, ସୁହେଲଦେବ ଭାରତୀୟ ସମାଜ ପାର୍ଟିର ଓମ୍ ପ୍ରକାଶ ରାଜଭର, ଆରପିଆଇ(ଏ)ର ରାମଦାସ ଅଠାୱାଲେ, ଏଲଜେପିର ପଶୁପତି ପାରସ ଆଦି ରହିଛନ୍ତି । ବିହାରର ବିଭିନ୍ନ ରାଜନୈତିକ ଦଳର ୧୦ ଜଣିଆ ପ୍ରତିନିଧି ଦଳ ନିତିଶ କୁମାରଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏହି ଦାବି ରଖି ସାରିଛନ୍ତି । ଏହି ପ୍ରତିନିଧି ଦଳରେ ବିହାର ବିଜେପି ନେତା ମଧ୍ୟ ସାମିଲ ଅଛନ୍ତି । ପଛୁଆବର୍ଗର ସାମାଜିକ, ଆର୍ଥିକ ବିକାଶ ଓ ସେମାନଙ୍କୁ ଦୀର୍ଘମିଆଦୀ ସୁବିଧା ଦେବା ପାଇଁ ଓଡିଶାକୁ ଦେଖି ଅନ୍ୟ ରାଜ୍ୟମାନେ ଏହି ଦାବି ଉଠାଇ ସାରିଛନ୍ତି । ହେଲେ ଓଡିଶା ବିଜେପି ନେତୃତ୍ୱ ଓ ଜନପ୍ରତିନିଧିମାନେ ଭୟଙ୍କର ନୀରବତା ଅବଲମ୍ବନ କରୁଛନ୍ତି । ଏହି ନିରବତା ସେମାନଙ୍କୁ ଓବିସି/ଏସଇବିସି ବର୍ଗ ବିରୋଧି ବୋଲି ଦର୍ଶାଉଛି । ଓଡିଶା ରାଜ୍ୟର ବିଜେପି ନେତାମାନେ ଏହି ଦାବି ଉଠାନ୍ତୁ । ଏହି ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ବିଜୁ ଜନତା ଦଳ ପଲ୍ଲୀ ଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଲଢେଇ ଜାରି ରଖିବ ବୋଲି ଶ୍ରୀ ସ୍ୱାଇଁ ଓ ଡକ୍ଟର ସାହୁ କହିଛନ୍ତି ।