ବାଲେଶ୍ୱର : ଭୋଗରାଇରେ ତାଣ୍ଡବ ରଚିଲା କାଳବୈଶାଖୀ
କୁଆପଥର ବୃଷ୍ଟି, ବଜ୍ରପାତରେ କୃଷକ ମୃତ
ଭାଙ୍ଗିଲା ବିଦ୍ୟୁତ୍ ଖୁଣ୍ଟ, ଉଡ଼ିଲା ଛପର
ଭୋଗରାଇ : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକରେ ରବିବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି । ହଠାତ୍ ଉତ୍ତର-ପୂର୍ବ ଦିଗରୁ କଳାହାଣ୍ଡିଆ ମେଘ ସହ ଘଡ଼ଘଡ଼ି ଶବ୍ଦ ଘନଘନ ବିଜୁଳି ମାରିବା ପରେ କୁଆପଥର ବୃଷ୍ଟି ଓ ଖୁବ୍ଜୋର୍ରେ ବତାଶ ବୋହିଥିଲା । ପବନର ବେଗ ଘଣ୍ଟା ପ୍ରତି ଶହେରୁ ଉର୍ଦ୍ଧ୍ୱ ଥିବା ଅନୁମାନ କରାଯାଇଥିବା ବେଳେ ପାନବରଜ ଏବଂ ବହୁ ନଡ଼ାଛପର, ଏଜବେଷ୍ଟର୍ସ, ଟିଣଛପର ଘର ଉଡ଼ାଇ ନେଇଛି । ବଡ଼ବଡ଼ ଗଛ ବିଦ୍ୟୁତ୍ ଖୁଣ୍ଟ ଓ ତାର ଉପରେ ପଡ଼ିଯାଇ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଛି । ବଜ୍ରପାତରେ ମନ୍ଦାରସାହି ପଞ୍ଚାୟତର ଜୁକା ମନ୍ଦାରସାହି ଗ୍ରାମର କୃଷକ ଗୌରହରି ଗିରି (୬୦) ଧାନ ବିଲକ୍ଷେତରେ କାର୍ଯ୍ୟ କରୁଥିବା ବେଳେ ବଜ୍ରପାତରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।
କାଳବୈଶାଖୀରେ ଦକ୍ଷିଣଭୋଗରାଇର ୧୦ଟି ପଞ୍ଚାୟତର ପ୍ରାୟ ଶତାଧିକ ଗ୍ରାମ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଗ୍ରାମ ଓ ମୁଖ୍ୟରାସ୍ତାରେ ବଡ଼ବଡ଼ ଗଛ ଧରାଶାୟୀ ହୋଇଥିବାରୁ ଜୀବନଯାତ୍ରା ପ୍ରଭାବିତ ହୋଇଛି । ବହୁ ଗ୍ରାମରେ ଗଛ ପଡ଼ି ଘର ଭାଙ୍ଗିଥିବା ବେଳେ ପାନବରଜ, କେବିନ୍ ଦୋକାନ ଉଡ଼ାଇ ନେଇଛି । କୁଆପଥର ବୃଷ୍ଟିରେ ପନିପରିବା, ତରଭୁଜ ଚାଷର ବ୍ୟାପକ କ୍ଷତି ଘଟିଥିବାର ସୂଚନା ମିଳିଛି । ଭୋଗରାଇର ସୁଲତାନପୁର, ଗୋପୀନାଥପୁର, ଜଳେଶ୍ୱରପୁର, ଦେହୁର୍ଦ୍ଦା, କୁମ୍ଭାରମୂଳୀ, ସୋହରିଆ, ଦେହୁର୍ଦ୍ଦା, ଦେଉଳା, ମନ୍ଦାରସାହି, ପାଣିଷଣ୍ଡା, ଅନଳିଆ ପ୍ରଭୃତି ପଞ୍ଚାୟତରେ ବ୍ୟାପକ କ୍ଷତି ହୋଇଛି । ଯୁଦ୍ଧକାଳୀନ ଭିତ୍ତିରେ ବିୁଦ୍ୟତ୍ ସରବରାହ ପାନୀୟଜଳ, କ୍ଷୟକ୍ଷତି ଆକଳନ କରି ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଜିଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ତଥା ବିଧାୟକ ଅନନ୍ତ ଦାସ, ବ୍ଲକ ଚେୟାରମ୍ୟାନ୍ ପ୍ରବୀର କୁମାର ଗିରି, କଂଗ୍ରେସ ନେତା ସନ୍ତୋଷ କୁମାର ଜେନା, ବିଜେଡି ସଭାପତି ରମାକାନ୍ତ କରଣ, ସମିତିସଦସ୍ୟାର ପ୍ରତିନିଧି ସୁବଲ ଚନ୍ଦ୍ର ଜେନା ପ୍ରମୁଖ ସରକାରଙ୍କ ଠାରେ ଦାବି ରଖିଛନ୍ତି ।