ପୁଣି ବେହାଲ ବାଲେଶ୍ୱର : ଲଗାଣ ବର୍ଷାରେ ରାସ୍ତା ଉପରେ, ଦୋକାନ ଓ ଘର ଭିତରେ ପଶିଲା ପାଣି
ବାଲେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି । ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ ବାଲେଶ୍ୱର ଜିଲାରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ଲଗାଣ ବର୍ଷା ଯୋଗୁଁ ସହରରେ ଜୀବନଯାତ୍ରା ବ୍ୟାହତ ହୋଇଛି । ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ବର୍ଷା ପାଣି ପଶିବା ସହ ରାସ୍ତାରେ ୩/୪ଫୁଟର ପାଣି ଲହଡ଼ି ମାରୁଛି । ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ସହରର ମୋତିଗଞ୍ଜ, ସିନେମାଛକ, ଗୋପାଳଗାଁ, ଚିଡ଼ିଆପୋଲୋ, ଫଣ୍ଡିଛକ, ନ୍ୟୁ ମାର୍କେଟ କମ୍ପ୍ଲେକ୍ସ, ଆଜିମାବାଦ, କଲେଜ ଛକ ପ୍ରମୁଖ ସ୍ଥାନରେ ପାଣିର ସୁଅ ଦେଖିବାକୁ ମିଳିଛି ।
ସୋମବାର ରାତି ପ୍ରାୟ ୧୦ଟା ୩୦ମିନିଟ ସମୟରୁ ୧୨ଟା ପର୍ଯ୍ୟନ୍ତ ଅବିଶ୍ରାନ୍ତ ବର୍ଷା ଲାଗି ରହିଥିଲା । ଫଳରେ ବାଲେଶ୍ୱର ସହରକୁ ବେହାଲ କରିଦେଇଛି। ଦୋକାନ ଘରେ, ଘର ଭିତରେ ଆଣ୍ଠୁଏ ପାଣି, ରାସ୍ତାରେ ଚାରିଫୁଟ ଉଚରେ ପାଣି ରାସ୍ତାରେ ଲହଡ଼ି ମାରୁଛି । ରାସ୍ତା ଉଚ୍ଚ ନଥିବାରୁ ତଥା ଡ୍ରେନ ବ୍ୟବସ୍ଥା କରାନ ଯିବାରୁ ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ବାରମ୍ବାର ପୌରସଂସ୍ଥାରେ ଅଭିଯୋଗ କଲେ ମଧ୍ୟ ସମସ୍ୟାର ସମାଧାନ ହେଉନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।
ଅନ୍ୟପକ୍ଷରେ ଉପରମୁଣ୍ଡାରେ ମଧ୍ୟ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖା ଦେଇଛି । ବୁଢ଼ାବଳଙ୍ଗ ଓ ଜଳକା ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି । ପାଣିପାଗ ବିଭାଗର ଆକଳନ ଅନୁସାରେ ଆଜି ଯଦି ପୁଣି ଲଗାଣ ବର୍ଷା ଜାରି ରୁହେ ତେବେ ନିହାତି ବଡ ବନ୍ୟା ହୋଇପାରେ ।