ହତ୍ୟା ଘଟଣାର ପର୍ଦାଫାସ, ୭ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ଗୁଣି ଗାରେଡି ସଂଦେହ ହତ୍ୟାର ମୁଖ୍ୟ କାରଣ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବାରିପଦା ଏସଡିପିଓ
ବାରିପଦା : ମୟୁରଭଞ୍ଜ ଜିଲ୍ଲାର ଚାନ୍ଦୁଆ ଥାନା ଅଂଚଳର ସୁବର୍ଣ୍ଣରେଖା ମୁଖ୍ୟ କେନାଲରୁ ଅଖା ବସ୍ତାରୁ ମୃତଦେହ ଉଦ୍ଧାର ଘଟଣାର ପର୍ଦାଫାସ କରିଛି ପୋଲିସ । ଉକ୍ତ ଘଟଣାରେ ସମ୍ପୃକ୍ତ ୭ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ବାରିପଦା ଠାରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ପ୍ରଦାନ କରିଛନ୍ତି ବାରିପଦା ସଦର ଏସ. ଡି.ପି.ଓ. ପ୍ରକାଶ ଜେମସ ଟୋପ । ଅଭିଯୁକ୍ତ ମାନେ ହେଲେ ନୋଧବୋଣୀ ଗ୍ରାମର ଶଙ୍ଖ ମୁର୍ମୁ(୪୫), ଟିବୁ ଟୁଡୁ(୪୦), କୁନା ମୁର୍ମୁ(୩୦), ଘନ ମୁର୍ମୁ(୪୦) , ବୃନ୍ଦାବନ ସୋରେନ(୪୫), ରଂଜନ ମୁର୍ମୁ(୬୦), ବସଲା ସୋରେନ(୪୫) ବୋଲି ଜଣା ଯାଇଛି । ସୂଚନା ଅନୁଯାୟୀ ଗତ ସେପ୍େଟମ୍ବର ୨୧ତାରିଖରେ ଚାନ୍ଦୁଆ ଥାନା ଅନ୍ତର୍ଗତ ନୋଧବୋଣୀ ଗ୍ରାମ ପାଖରେ ଥିବା ସୁବର୍ଣ୍ଣରେଖା ମୁଖ୍ୟ କେନାଲର ୪ ନମ୍ବର ଗେଟରେ ଏକ ଧଳା ରଙ୍ଗର ମୁହଁ ବନ୍ଦ ଅଖା ଦୁଇ ତିନିଦିନ ହେବ ଭାସୁଥିବାର ଗ୍ରାମବାସୀ ମାନେ ଦେଖିଥିଲେ । ମାତ୍ର ସେଥିରୁ ଦୁର୍ଗନ୍ଧ ବାହାରିବାରୁ ସନ୍ଦେହ କରି ସ୍ଥାନୀୟ ଲୋକେ ଚାନ୍ଦୁଆ ପୁଲିସକୁ ଖବର ଦେଇଥିଲେ । ଥାନା ଅଧିକାରିଣୀ କୁନି ବେଶ୍ରା ଘଟଣା ସ୍ଥଳରେ ପହଂଚି ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଉକ୍ତ ବସ୍ତାଟିକୁ ଉପରକୁ ଆଣି ଖୋଲିବାରୁ ଜଣେ ଅପରିଚିତ ବ୍ୟକ୍ତିଙ୍କର ଗଳିତ ମୃତଦେହ ଥିବାର ଜଣାପଡିଥିଲା । ପୋଲିସ ଶବ ଉଦ୍ଧାର କରିବା ସହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ତେବେ ଚାନ୍ଦୁଆ ଥାନାକୁ ସେପ୍େଟମ୍ବର ୨୭ ତାରିଖରେ ଏକ ମିସିଂ କେସ ଆସିବା ପରେ ପୋଲିସ ମୃତକଙ୍କ ଜବଦ ହୋଇଥିବା ପୋଷାକ ତାଙ୍କ ମାଆ ଏବଂ ସ୍ତ୍ରୀଙ୍କୁ ଦେଖାଇବାରୁ ସେମାନେ ଚିହ୍ନଟ କରିବା ପରେ ପୋଲିସ ସମ୍ପୂର୍ଣ୍ଣ ଘଟଣା ପର୍ଦାଫାସ କରିଥିଲା । ତେବେ ଉକ୍ତ ହତ୍ୟାକାଣ୍ଡ ଟି ଅନ୍ଧ ବିଶ୍ୱାସ ଓ ଗୁଣି ଗାରେଡି ସନ୍ଦେହରେ ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ସେହି ଗ୍ରାମର କିଛି ଲୋକ ମୃତକ ବ୍ୟକ୍ତିଙ୍କ ଗୁଣି ଗାରେଡି କରିବା କାରଣରୁ ତାଙ୍କ ଗ୍ରାମରେ ଲୋକଙ୍କ ଦେହପାଆ ଖରାପ ହେଉଥିବା ନେଇ ତାଙ୍କୁ ଦାୟୀ କରି ଗାଁରେ ଏକ ବୈଠକ ଡକାଯାଇଥିଲା । ତେବେ ମୃତକ ଫୁଟବଲ ଖେଳ ଦେଖିବାକୁ ଯାଇଥିବାରୁ ବୈଠକକୁ ଯାଇ ପାରି ନଥିଲେ । ସଂଧ୍ୟାରେ ଫୁଟବଲ ଖେଳ ଦେଖି ଫେରିବାରୁ ଆସାମୀ ମାନେ ତାଙ୍କୁ ଦେଖି ଉତ୍ୟକ୍ତ ହୋଇ ତା ବେକରେ ଥିବା ଗାମୁଛାରେ ବେକକୁ ଚିପି ହତ୍ୟା କରି ଶବକୁ ଲୁଚାଇବାକୁ ବସ୍ତାରେ ପୁରାଇ କେନାଲରେ ଫିଙ୍ଗି ଦେଇଥିଲେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।