ବରିଷ୍ଠ ନାଗରିକଙ୍କ ସଞ୍ଚିତ ଅର୍ଥର ସୁରକ୍ଷା ସଚେତନତା ଶିବିର
ବାଲେଶ୍ୱର : ବାଲେଶ୍ୱର ସହର ଟାଉନହଲ୍ ସ୍ଥିତ ନୃତ୍ୟ ସଂଗୀତ କଳା ମନ୍ଦିର ପରିସରରେ ବରିଷ୍ଠ ନାଗରିକମାନଙ୍କ ସଞ୍ଚିତ ଅର୍ଥର ସୁରକ୍ଷା ସମ୍ପର୍କରେ ଜନ ସ୍କୁଲ୍ ଫାଇନାନ୍ସ୍ ବ୍ୟାଙ୍କ ପକ୍ଷରୁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।
ଶିବିରରେ ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବେହେରା ଅଧ୍ୟକ୍ଷତା କରିଥିଲେ । ବ୍ୟାଙ୍କର ସହଦେବଖୁଣ୍ଟା ସ୍ଥିତ ବାଲେଶ୍ୱର ଶାଖା ପରିଚାଳକ ତପନ ଘୋଷ ବରିଷ୍ଠ ନାଗରିକମାନେ ସଚେତନତା ଅଭାବରୁ କିପରି ବିଭିନ୍ନ ଠକେଇର ସମ୍ମୁଖୀନ ହେଉଛନ୍ତି ତାହାର ଦୃଷ୍ଟାନ୍ତ ସହ ଉପସ୍ଥାପିତ କରିଥିଲେ । ବ୍ୟାଙ୍କ୍ ଗ୍ରାହକମାନଙ୍କୁ ଟେଲିଫୋନ୍ ଯୋଗେ ସୋମନଙ୍କର କୌଣସି ସୂଚନା ମାଗେ ନାହିଁ ବୋଲି ପ୍ରକାଶ କରି ଟେଲିଫୋନ୍କୁ ଅଗ୍ରାହ୍ୟ କରିବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଜିଲା ସାମାଜିକ ସୁରକ୍ଷା ଅଧିକାରୀ କମଳାକାନ୍ତ ବେହେରା ଓ ସାମାଜିକ କର୍ମୀ ଗୌରାଙ୍ଗ ପାଣିଗ୍ରାହୀ ଯୋଗଦେଇ ବରିଷ୍ଠ ନାଗରିକମାନେ ସେମାନଙ୍କ ପୁଞ୍ଜିନିବେଶ ପୂର୍ବରୁ ସମ୍ପୃକ୍ତ ସଂସ୍ଥାର ସ୍ଥାୟୀତ୍ୱ ଓ ସେବା ସମ୍ପର୍କରେ ଭଲଭାବେ ଅବଗତ ହେବା ଉଚିତ୍ ବୋଲି ମତ ଦେଇଥିଲେ । ଅବସରପ୍ରାପ୍ତ ଷ୍ଟେଟ୍ ବ୍ୟାଙ୍କ୍ ଶାଖା ପରିଚାଳକ ପ୍ରଫୁଲ୍ଲ କୁମାର ଦାସ ଓ ଜନବ୍ୟାଙ୍କ୍ର ଜମାକାରୀ ନିରଞ୍ଜନ ପଣ୍ଡା, ଜୟନ୍ତ କୁମାର ମିଶ୍ର, ପ୍ରସନ୍ନ କୁମାର ପାଢ଼ୀ, ବିଧାନ ଚନ୍ଦ୍ର ରାୟ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବ୍ୟାଙ୍କ୍ର ପରିଚାଳନା ସମ୍ପାଦକ ସଞ୍ଜୀବ କୁମାର ନାୟକ ବ୍ୟାଙ୍କର କାର୍ଯ୍ୟଧାରା ଓ ବ୍ୟାଙ୍କ୍ ପ୍ରତିଷ୍ଠାର ଇତିହାସ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ମନୀଷ ବରହପୁରିଆ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ବ୍ୟାଙ୍କ ପକ୍ଷରୁ ସ୍ନିଗ୍ଧା କମିଳା, ଲକ୍ଷ୍ମୀଧର ବେହେରା, ସତ୍ୟମ୍ କୁମାର ଦଳେଇ, ରାଜେଶ ମହାପାତ୍ର ଓ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ତ୍ରିଦୀପ କୁମାର ନାୟକ ଓ ସୁଶ୍ରୀ ଅର୍ଚ୍ଚନା ନନ୍ଦୀ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ । କାର୍ଯ୍ୟକ୍ରମରେ ଶତାଧିକ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ ।