ବାଲେଶ୍ୱର : ହଟିଲା ନିଷେଧାଦେଶ ! ମାଛ ଧରିବାକୁ ସମୁଦ୍ରମୁହାଁ ମତ୍ସ୍ୟଜୀବୀ
ବାଲେଶ୍ୱର : ହଟିଲା ନିଷେଧାଦେଶ । ଫଳରେ ମାଛ ଧରିବାକୁ ସମୁଦ୍ରମୁହାଁ ହେଲେ ମତ୍ସ୍ୟଜୀବୀ । ଏଥିପାଇଁ ବାଲେଶ୍ୱର ଉପକୂଳ ସମେତ ଓଡ଼ିଶାର ଭଦ୍ରଖ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଗଞ୍ଜାମ ଜିଲା ଉପକୂଳବର୍ତ୍ତୀ ମତ୍ସ୍ୟ ଅବତରଣ କେନ୍ଦ୍ର ଚଳଚଞ୍ଚଳ ହୋଇଛି ।
ସୂଚନା ଅନୁଯାୟୀ, ଗତ ଏପ୍ରିଲ ୧୫ ତାରିଖ ଠାରୁ ଜୁନ୍ ୧୫ ପର୍ଯ୍ୟନ୍ତ ସମୁଦ୍ର ଗର୍ଭରେ ମାଛର ଯାଆଁଳା ଓ ଅଲିଭ ରିଡ୍ଲେ କଇଁଛର ଅଣ୍ଡାଦାନ ଯୋଗୁଁ ଦୁଇମାସ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବା ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ନିଷେଧାଦେଶ ଜାରି କରାଯାଇଥିଲା । ଏହି ଦୁଇମାସ ମଧ୍ୟରେ ମତ୍ସ୍ୟଜୀବୀଙ୍କ ପରିବାର ଜୀବନଜୀବିକା ଦୁର୍ବିସହ ହୋଇପଡ଼ିଥିବା ବେଳେ ସରକାରୀ ନିର୍ଦ୍ଦେଶନାମା ହଟିବା ପରେ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି । ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯିବା ପୂର୍ବରୁ ତାଙ୍କ ଡଙ୍ଗା ଓ ଟ୍ରଲରକୁ ପୂଜାର୍ଚ୍ଚନା କରିବା ସହ ଗଙ୍ଗାଦେବୀଙ୍କ ଉଦ୍ଦେଶ୍ୟରେ ଆରାଧନା କରି ଗଭୀର ସମୁଦ୍ରକୁ ଅନୁକୂଳ ପାଇଁ ଶୁଭ ବେଳାରେ ବାହାରିଛନ୍ତି । ଅପରପକ୍ଷରେ ବାଲେଶ୍ୱର ଜିଲାରେ ସରକାରୀ ପରିସଂଖ୍ୟାନୁଯାୟୀ ୩୭ହଜାର ୩୩୮ ଜଣ ମତ୍ସ୍ୟଜୀବୀ ପରିବାର ୨ଲକ୍ଷ ୨୬ହଜାର ୫୬ ଜଣ ମତ୍ସ୍ୟଜୀବୀ ରହିଥିବା ବେଳେ ଭୋଗରାଇ ବ୍ଲକରେ ୧୦୧ଟି ଗ୍ରାମର ୧୦ହଜାରରୁ ଉର୍ଦ୍ଧ୍ୱ ମତ୍ସ୍ୟଜୀବୀ ପରିବାର ରହିଥିବାର ସରକାରୀ ରିପୋର୍ଟରେ ଦେଖାଯାଇଛି । ଜିଳାରେ ଉଦୟପୁର ତାଳସାରୀ, କୀର୍ତ୍ତନିଆ, ଚୌମୁଖ, କଙ୍କଡ଼ାପାଳ, ଡଗରା, ହଂସକରା, ବାହାବଳପୁର, ବଳରାମଗଡ଼ି, ଜାମୁଳା, ମଶାଳି, ଗୋଦେଇ ସାଗର, ପଞ୍ଚୁବସା, ଚାନ୍ଦିପୁର ପ୍ରମୁଖ ସମୁଦ୍ର ମୁହାଣରେ ମତ୍ସ୍ୟ ଅବତରଣ କେନ୍ଦ୍ର ରହିଥିବା ବେଳେ ନୂତନ ଭାବେ ୫ଟି ସ୍ଥାନରେ ଜେଯି ନିର୍ମାଣ ହେବାର ମତ୍ସ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏ ସମସ୍ତ ସ୍ଥାନର ମତ୍ସ୍ୟଜୀବୀଙ୍କ ନିମନ୍ତେ ଜୀବନ ସୁରକ୍ଷା ନିମନ୍ତେ ଲାଇଫ୍ ଜାକେଟ୍, ବିପଦ ସଙ୍କେତ ଯନ୍ତ୍ର ପ୍ରଭୃତି ସରକାର ଗରିବ ମତ୍ସ୍ୟଜୀବୀଙ୍କୁ ବିନା ମୂଲ୍ୟରେ ଯୋଗାଇ ଦେବାକୁ ଦାବି ହୋଇଛି । ସେହିପରି ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ସମୁଦ୍ରକୂଳରେ ମଧ୍ୟ ନିଷେଧାଦେଶ ହଟାଇ ଦିଆଯାଇଥିବାର ସୂଚନା ମିଳିଛି ।