ବାଲେଶ୍ୱର ବିବେକାନନ୍ଦ ବେଦମତୀ ସ୍କୁଲର ବାର୍ଷିକ କ୍ରୀଡ଼ା ଓ ପୁରସ୍କାର ବିତରଣ ଉତ୍ସବ
ବାଲେଶ୍ୱର : ବାଲେଶ୍ୱର ସହର ସ୍ଥିତ ଗୋପାଳଗାଁର ମିର୍ଜାପୋଖରୀ ଛକ ସ୍ଥିତ ବିବେକାନନ୍ଦ ବେଦମତୀ ସ୍କୁଲର ବାର୍ଷିକ କ୍ରୀଡ଼ା ଓ ପୁରସ୍କାର ବିରତଣ ଉତ୍ସବ ସ୍ଥାନୀୟ ପରମିଟ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ କାଉନସିଲର ମୀନା ମହାନ୍ତି ଯୋଗଦେଇ ଛାତ୍ରୀଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । କେବଳ ଶିକ୍ଷାଗ୍ରହଣ ଭିତରେ ଛାତ୍ରୀଛାତ୍ରଙ୍କୁ ସୀମିତ ନ ରଖି କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି ପାଇଁ ଉଦ୍ୟମ କରିବାକୁ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟ ବକ୍ତାଭାବେ ଆଧ୍ୟାତ୍ମିକ ସଂଗଠନ ପ୍ରାପ୍ତିର ସମ୍ପାଦିକା ଗୀତାଞ୍ଜଳି ପାଣିଗ୍ରାହୀ ଯୋଗଦେଇ ବିଦ୍ୟାଳୟସ୍ତରର ଶିକ୍ଷାବ୍ୟବସ୍ଥାର ଗୁରୁତ୍ୱ ଉପରେ ଅଲୋଚନା କରିବା ସହିତ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଛାତ୍ରଛାତ୍ରୀଙ୍କୁ ଅନୁପ୍ରାଣିତ କରିବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଧାକୃଷ୍ଣ ଆଚାର୍ଯ୍ୟ ଓ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଆଇନଜୀବୀ ଅରବିନ୍ଦ ସିଂହ ଯୋଗଦେଇ ସଫଳତା ପ୍ରାପ୍ତିର ବିଭିନ୍ନ ଦିଗ ଉପରେ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଥିଲେ ।
କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଗୟାଧର କର ପୌରହିତ୍ୟ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବକ୍ତୃତା, ଚିତ୍ରାଙ୍କନ, ନୃତ୍ୟ, ସଙ୍ଗୀତ, ବିଜ୍ଞାନ ପ୍ରଦର୍ଶନୀ ସହିତ ଦୌଡକୁଦ, ଗଣିତ କସା, ଆଳୁ ଚାମଚ, ମ୍ୟୁଜିକାଲ ଚେୟାର ପ୍ରଭୃତି ପ୍ରତିଯୋଗିତାରେ କୃତୀ ଛାତ୍ରୀଛାତ୍ରଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ପରେ କୁନି କୁନି ଛାତ୍ରୀଛାତ୍ରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସ୍ମୃତିରେଖା ମହାନ୍ତି, ସଦାଫ ଆଫ୍ରିନ୍, ଶୁଭଲକ୍ଷ୍ମୀ ଦାସ, ଦେବସ୍ମିତା ପ୍ରଧାନ, ସୁଜାତା ମଲ୍ଲିକ, ମୋନିକା ବର୍ମନ ପ୍ରମୁଖ ବିଦ୍ୟାଳୟର ଶିକ୍ଷୟିତ୍ରୀମାନେ ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବର ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ବହୁ ଅଭିଭାବକ ଯୋଗଦେଇଥିଲେ । ଶେଷରେ ବିଦ୍ୟାଳୟର ସହ ଶିକ୍ଷୟତ୍ରୀ ଆରତୀ ବର୍ଦ୍ଧନ ଧନ୍ୟବାଦ ଦେଇଥିଲେ ।