ବାଲେଶ୍ୱର : ଦୁର୍ଘଟଣା ସମୟରେ ସର୍ବନିମ୍ନ ଜୀବନ ରକ୍ଷା ଉଦ୍ୟମ ସମ୍ପର୍କିତ ପ୍ରଶିକ୍ଷଣ ଶିବିର
ବାଲେଶ୍ୱର : ବାଲେଶ୍ୱର ସହର ପାଣିଟାଙ୍କି ସ୍ଥିତ ଆତିଥ୍ୟ ଭବନ ପରିସରରେ ବାଲେଶ୍ୱର ଟ୍ରାଫିକ ପୋଲିସର କର୍ମଚାରୀଙ୍କ ନିମନ୍ତେ ଭୂବନେଶ୍ୱର ସ୍ଥିତ ଆମ୍ରି ହସପିଟାଲ ପକ୍ଷରୁ ଦୁର୍ଘଟଣା ସମୟରେ ସର୍ବନିମ୍ନ ଜୀବନ ରକ୍ଷାକାରୀ ଉଦ୍ୟମ ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଶନିବାର ଅନୁଷ୍ଠିତ ହୋଇଛି ।
ଆମ୍ରି ହସପିଟାଲର ବାଲେଶ୍ୱର ପ୍ରତିନିଧି ନିହାର ରଞ୍ଜନ ରାଉତ ଓ ପ୍ରବାଳ ସିହ୍ନା ପ୍ରଶିକ୍ଷଣ ଶିବରକୁ ପରିଚାଳନା କରିଥିଲେ । ଆମ୍ରି ହସପିଟାଲର ଏମେରଜେନ୍ସି ବିଭାଗ ମୁଖ୍ୟ ଡା. ସାଜିଦ୍ ଯୋଗଦେଇ ପ୍ରଶିକ୍ଷଣ ଶିବିରର ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇଥିଲେ । ଦୁର୍ଘଟଣା ସମୟରେ ପ୍ରାଥମିକସ୍ତରରେ ପୀଡ଼ିତଙ୍କ ନିକଟରେ ମେଡିକାଲ ଟିମ୍ ପହଞ୍ôଚବା ପୂର୍ବରୁ ପୋଲିସ କର୍ମଚାରୀମାନେ ପହଞ୍ଚିଥାନ୍ତି । ଦୁର୍ଘଟଣା ଘଟିବାର ପ୍ରଥମ କିଛି କ୍ଷଣ ପୀଡ଼ିତଙ୍କ ପାଇଁ ଚିକିତ୍ସା ପାଇ ସୁସ୍ଥ ହେବା ନିମନ୍ତେ ସୁବର୍ଣ୍ଣ ସୁଯୋଗ ରହିଥାଏ । ଏହି ସମୟରେ ପ୍ରଶିକ୍ଷଣ ନେଇଥିବା ପୋଲିସ କର୍ମଚାରୀମାନେ ଉପଯୁକ୍ତ ପ୍ରାଥମିକ ଚିକିତ୍ସା ପ୍ରଦାନରେ ସକ୍ଷମ ହୋଇପାରିବେ ବୋଲି ଆଶା ପ୍ରକାଶ କରିଥିଲେ । ଶିବିରରେ ବାଲେଶ୍ୱର ଟ୍ରାଫିକ ଥାନା ଅଧିକାରୀ ବିଶ୍ୱଜ କୁମାର ରାଉତରାୟ ଯୋଗଦେଇ ସମଗ୍ର ଓଡ଼ିଶାରେ ପୋଲିସ କର୍ମଚାରୀଙ୍କ ପାଇଁ ଆମ୍ରି ପକ୍ଷରୁ ଚାଲିଥିବା ଉଦ୍ୟମ ବେଶ ପ୍ରଶଂସନୀୟ । ଏହିଭଳି ପ୍ରଶିକ୍ଷଣ ପୋଲିସ କର୍ମଚାରୀ ବିଶେଷ କରି ଟ୍ରାଫିକ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ପାଇଁ ଉପାଦେୟ ସାବ୍ୟସ୍ତ ହେବ ବୋଲି କହିଥିଲେ । ବାଲେଶ୍ୱର ଟ୍ରାଫିକ ଥାନାର କର୍ମଚାରୀଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀମାନେ ଶିବିରରେ ଯୋଗଦେଇ ଦୁର୍ଘଟଣା ସମୟରେ ପ୍ରାଥମିକ ଚିକିତ୍ସାର ବିଭିନ୍ନ ଦିଗ ସମ୍ପର୍କରେ ପ୍ରଶିକ୍ଷଣ ନେଇଥିଲେ ।