ବାଲେଶ୍ୱର : ଏଫଏମୟୁରେ “ଗବେଷଣା ଓ ପ୍ରକାଶନ ନୈତିକତା” ସମ୍ବନ୍ଧିତ ପ୍ରାସଙ୍ଗିକ ପଞ୍ଚଦିବସୀୟ କର୍ମଶାଳା
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ (ଏଫଏମୟୁ)ର ମାନବ ସମ୍ବଳ ବିକାଶ କେନ୍ଦ୍ର ଆନୁକୂଲ୍ୟରେ “ଗବେଷଣା ଓ ପ୍ରକାଶନ ନୈତିକତା” ଶୀର୍ଷକ ପଞ୍ଚଦିବସୀୟ କର୍ମଶାଳା ମଙ୍ଗଳବାର ଉଦ୍ଘାଟିତ ହୋଇଯାଇଛି । କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ସ୍ନାତୋକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସବ୍ୟସାଚୀ ପଟ୍ଟନାୟକ, ମାନବ ସମ୍ବଳ ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ମନୋରଞ୍ଜନ ମିଶ୍ର ପ୍ରମୁଖଙ୍କ ସମେତ ଫକୀରମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଶିବ ପ୍ରସାଦ ଅଧିକାରୀ ଓ ଅଧ୍ୟାପକ ବିଷ୍ଣୁ ପ୍ରସାଦ ଦାସ ଉଦ୍ଘାଟନୀ ଅଧିବେଶନରେ ଉପସ୍ଥିତ ରହି ସତଥ୍ୟ, ସସତ୍ୟ ଗବେଷଣା ଓ ପ୍ରକାଶନ କିପରି ଗବେଷଣା କାର୍ଯ୍ୟକୁ ନୀତିନିଷ୍ଠ କରିଥାଏ ତାହାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ।
ଏହି ପରିପ୍ରେକ୍ଷୀରେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ନିଜ ଅଭିଭାଷଣରେ ନୀତିନିଷ୍ଠ ଗବେଷଣା କ୍ଷେତ୍ରରେ ଉତ୍ତରଦାୟିତ୍ୱ, କର୍ତ୍ତବ୍ୟନିଷ୍ଠତା, ପ୍ରତିଶ୍ରୁତିବଦ୍ଧତା ଓ ଦାୟବଦ୍ଧତା ଗବେଷକ ନିମିତ୍ତ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ପ୍ରକାଶ କରିଥିଲେ । ଗବେଷଣା ସର୍ବଦା ମୌଳିକତଥ୍ୟ ଉପରେ ପର୍ଯ୍ୟବେସିତ ହେବା ଉଚିତ୍, ସର୍ବୋପରି ଗବେଷଣା କାର୍ଯ୍ୟଟି ମଣିଷର ତଥା ସମୂହର ମାନସିକ ଓ ଶାରୀରିକ କ୍ଷତି ସାଧନ ନକରି ସମାଜର ହିତସାଧନ ଦିଗରେ ବ୍ୟବହୃତ ହୋଇପାରିଲେ ତାହା ସାଧାରଣତଃ ଏଥିକାଲ୍ ରିସର୍ଚ୍ ପରିସରଭୁକ୍ତ ହୋଇଥାଏ ବୋଲି ମତ ଦେଇଥିଲେ । ଅନୁରୂପ ଭାବରେ ପ୍ରଫେସର ଶିବ ପ୍ରସାଦ ଅଧିକାରୀ ଭିତ୍ତିପ୍ରବକ୍ତା ରୂପେ ତଥା ବୈଷୟିକ ଅଧିବେଶନରେ ବିଷୟ ବିଶାରଦ ରୂପେ ଯୋଗଦେଇ ମୂଲ୍ୟବୋଧ ଭିତ୍ତିକ ଗବେଷଣା ଓ ପ୍ରକାଶନର ବିବିଧ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । ପ୍ରଫେସର ବିଷ୍ଣୁ ପ୍ରସାଦ ଦାସ ଗବେଷଣା ଏକ ନିରନ୍ତର ପ୍ରକ୍ରିୟା ଏବଂ ଏହା ଯୁକ୍ତିଯୁକ୍ତ ସିଦ୍ଧାନ୍ତ ଓ ପ୍ରାମାଣିକତଥ୍ୟ ନିର୍ଭରଶୀଳ ହୋଇଥିବା ହେତୁ ସମୟସାପେକ୍ଷ ମଧ୍ୟ ହୋଇଥାଏ, ଫଳତଃ ଐକାନ୍ତିକ ଆଗ୍ରହ ନରହିଲେ ଗବେଷକଟି କେବଳ ତରବରିଆ ମନୋଭାବ ନେଇ ଗବେଷଣା କାର୍ଯ୍ୟରେ ପ୍ରବୃତ୍ତ ହେବା ଆଦୌ ଉଚିତ ନୁହେଁ ବୋଲି ପ୍ରକାଶ କରିଥିଲେ ।
ଏହି ଅବସରରେ ମାନବ ସମ୍ବଳ ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ମନୋରଞ୍ଜନ ମିଶ୍ର ଏହି କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଅନୁସାରେ ଗବେଷକ ମାନଙ୍କ କୋର୍ସ ୱାର୍କ ପ୍ରାସଙ୍ଗିକ ବିଷୟ ରୂପରେଖ ଆଧାରରେ ଏହି ପଞ୍ଚଦିବସୀୟ କର୍ମଶାଳାର ଆୟୋଜନ କରାଯାଇଛି ବୋଲି ସୂଚନା ଦେଇଥିଲେ । ମାନବ ସମ୍ବଳ ବିକାଶ କେନ୍ଦ୍ରର ସଦସ୍ୟ ଡ. ଦେବଦତ୍ତ ଦାସ, ଡଃ ସଚ୍ଚିଦାନନ୍ଦ ଶା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ । ଏଥିରେ ଡ. ରାଜଶ୍ରୀ ଦତ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଡ. ପ୍ରହ୍ଲାଦ ଖିଲା କୃତଜ୍ଞତା ପ୍ରକାଶ କରିଥିଲେ । ଏହି କର୍ମଶାଳାରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ କୋର୍ସୱାର୍କ୍ କରୁଥିବା ପ୍ରାୟତଃ ୭୦ ଜଣ ଗବେଷକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଛିନ୍ତି । ଆସନ୍ତା ୭ ତାରିଖ ଦିନ ଏହି କର୍ମଶାଳା ଉଦ୍ଯାପିତ ହେବ ।