ବାଲେଶ୍ୱର : ଅର୍ଦ୍ଧଦଗ୍ଧ ମୃତ ହରିଣ ଜବତ, ଜଣେ ଗିରଫ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟରେ ବିପଦରେ ଜଙ୍ଗଲୀ ଜୀବଜନ୍ତୁ । ଅଭୟାରଣ୍ୟରୁ ଖାଦ୍ୟ ଅନ୍ୱେଷଣରେ ଜୀବଜନ୍ତୁମାନେ ଗାଁ ମୁହାଁ ହେଉଥିବା ବେଳେ ମୃତ୍ୟୁମୁଖରେ ପଡୁଛନ୍ତି । ଏହି ପରିପ୍ରେକ୍ଷୀରେ ଗୋଟିଏ ହରିଣକୁ ମାରି ପୋଡ଼ିବା ସମୟରେ ଘଟଣାସ୍ଥଳରୁ ଅର୍ଦ୍ଧଦଗ୍ଧ ମୃତ ହରିଣ ଜବତ କରାଯାଇଥିବାବେଳେ ଜଣକୁ ଗିରଫ କରାଯାଇଛି । ସେହିପରି ଅନ୍ୟମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ସୂଚନା ଯେ, କୁଲଡ଼ିହା ଅଭୟାରଣ୍ୟର ଏକ ହରିଣ ଖାଦ୍ୟ ଅନ୍ୱେଷଣରେ ଆସି ବାଟ ହୁଡିଯାଇ ଅଭୟାରଣ୍ୟକୁ ଫେରି ପାରି ନଥିଲା । ଫଳରେ ଗତ ଦୁଇଦିନ ହେବ ଉକ୍ତ ଅଞ୍ଚଳରେ ଘୁରି ବୁଲୁଥିବା ବେଳେ ମଙ୍ଗଳବାର ପୂର୍ବାହ୍ନରେ ଜାମୁଡ଼ିହା ପଞ୍ଚାୟତ ବେଡ଼ାସାହି ଠାରେ କିଛି ଲୋକଙ୍କ ନଜରେ ଆସିଥିଲା । ଗ୍ରାମର କିଛି ଲୋକ ହରିଣଟିକୁ ଶୀକାର ଆଶାରେ ଗୋଡ଼ାଇ ଥିଲେ । ସଜନାଗଡ଼ ଫରେଷ୍ଟ ଅଧୀନ ଖରଡ଼ିହା ଠାରେ ଏକ ଚାଷଜମିରେ ହରିଣଟିକୁ ଧରି ମାରିବା ସହ ଶିଙ୍ଗକୁ କାଟି ନେଇଥିଲେ । ପରେ ହରିଣଟିକୁ ପୋଡୁଥିବା ସମୟରେ ନୀଳଗିରି ବନବିଭାଗ ରେଞ୍ଜର ଆଇସା ଏ ନିଶା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅର୍ଦ୍ଧଦଗ୍ଧ ମୃତ ହରିଣଟିକୁ ଜବତ କରିବା ସହ ବେଢ଼ାସାହି ଗ୍ରାମର ବର୍ଜୁ ମାଝୀ (୨୫)କୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଛନ୍ତି । ମୃତ ଅଣ୍ଡିରା ହରିଣଟିର ବୟସ ୪ବର୍ଷ ହେବ ଏବଂ ୨୫ରୁ ୩୦କେଜି ହେବ ବୋଲି ଅନୁମାନ କରାଯାଇଛି । ନୀଳଗିରି ବନବିଭାଗ ଜାମୁଡ଼ିହା ନର୍ସରୀରେ ପଶୁ ଚିକିତ୍ସକଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ କରି ପୋତି ଦିଆଯାଇଥିବା ବେଳେ ନୀଳଗିରି ବନବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଶିକାରୀଙ୍କୁ କୋର୍ଟ ଚାଲାଣ କରାଯାଇଛି ।