ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ
ଭୁବନେଶ୍ୱର : ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ନିଯୁକ୍ତି ପାଇଛନ୍ତି । ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ୪ ବର୍ଷ ପାଇଁ ତାଙ୍କୁ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଗୁରୁବାର ନିଯୁକ୍ତି ପ୍ରଦାନ କରିଛନ୍ତି।
ପୂର୍ବରୁ ପ୍ରଫେସର ଶ୍ରୀ ତ୍ରିପାଠୀ ଉତ୍କଳ ବିଶ୍ୱବିଦ୍ୟାଳୟର କାର୍ମିକ ପରିଚାଳନା ଓ ଶୈଳ୍ପିକ ପରିଚାଳନା ବିଭାଗ (ପିଏମ୍ଆଇଆର) ବିଭାଗରେ କାର୍ଯ୍ୟ କରୁଥିଲେ। ତାଙ୍କର ୩୦ ବର୍ଷରୁ ଉର୍ଦ୍ଧ୍ୱ ଶିକ୍ଷାଦାନ ଅଭିଜ୍ଞତା ରହିଛି। ପ୍ରଫେସର ତ୍ରିପାଠୀଙ୍କ ଅଧୀନରେ ୧୭ଜଣ ଛାତ୍ରଛାତ୍ରୀ ପିଏଚଡି କରିଛନ୍ତି। ସେହିପରି ୪୦ଜଣ ଏମଫିଲ୍ ଛାତ୍ରଛାତ୍ରୀଙ୍କୁ ସେ ମାର୍ଗଦର୍ଶନ କରିଛନ୍ତି। ସେ ୧୦ଟି ପୁସ୍ତକ ଲେଖିଥିବାବେଳେ ତାଙ୍କର ଦ୍ୱାରା ଲିଖିତ ଗବେଷଣାତ୍ମକ ନିବନ୍ଧ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି ଏବଂ ସେସବୁ ପାଠକୀୟ ଆଦୃତି ଲାଭ କରିଛନ୍ତି।