ଜବରଦସ୍ତ ଫର୍ମରେ ବାବର ଆଜମ, ଭାଙ୍ଗିଲେ କୋହଲିଙ୍କ ଏହି ବଡ଼ ରେକର୍ଡ
ନୂଆଦିଲ୍ଲୀ : ପାକିସ୍ତାନ ଅଧିନାୟକ ବାବର ଆଜମ ଏହି ସମୟରେ ଜବରଦସ୍ତ ଫର୍ମରେ ରହିଥିବାର ନଜରକୁ ଆସୁଛି । ଅଷ୍ଟ୍ରେଲିଆ ବିପକ୍ଷ ଏକ ଦିବସୀୟ ସିରିଜରେ ବାବର ଦୁଇଟି ବ୍ୟାକ୍ ଟୁ ବ୍ୟାକ୍ ଶତକ କରି ଅଷ୍ଟ୍ରେଲିଆକୁ ୨-୧ରେ ପରାସ୍ତ କରିଛି । ନିକଟ ଅତୀତରେ ସେ ଦିନିକିଆ କ୍ରିକେଟରେ ଦ୍ରୁତତମ ୧୫ ଓ ୧୬ ଶତକ କରିବାର ରେକର୍ଡ ନିଜ ନାମରେ କରିଥିଲେ । ଆଉ ବର୍ତ୍ତମାନ ସେ ଏଭେରେଜ୍ ଦୃଷ୍ଟିରୁ ବିରାଟ କୋହଲିଙ୍କୁ ଅତିକ୍ରମ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିବା ପରେ ବାବର ଆଜାମଙ୍କ ବ୍ୟାଟିଂ ଏଭେରେଜ ୫୯.୧୮ରେ ପହଞ୍ଚିଛି ଓ ସେ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି ।
ଅତି କମରେ ୨୦୦୦ ରନ୍ ସ୍କୋର କରିଥିବା ଖେଳାଳିଙ୍କ ତାଲିକାରେ ବିରାଟ କୋହଲିଙ୍କ ଏଭେରେଜ୍ ୫୮.୦୭ ଥିବାବେଳେ ବାବର ଆଜାମ ତାଙ୍କୁ ପଛରେ ପକାଇ ଦେଇଛନ୍ତି । ୮୬ଟି ଦିନିକିଆ ଖେଳିଥିବା ବାବର ଆଜାମ ୫୯.୧୮ର ଚମତ୍କାର ଏଭେରେଜରେ ୪,୨୬୧ ରନ୍ ସଂଗ୍ରହ କରିଛନ୍ତି । ସେପଟେ ଅଷ୍ଟ୍ରେଲିଆ ସିରିଜ ପରେ ହମବତନ୍ ଇମାମ-ଉଲ-ହକଙ୍କ ଏଭେରେଜ୍ ୫୩.୯୭ରେ ପହଞ୍ଚିଛି । ବିରାଟ କୋହଲିଙ୍କ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ ଦିନିକିଆ କ୍ରିକେଟରେ ୨୬୦ ମ୍ୟାଚ୍ ଖେଳିଛନ୍ତି ଓ ୫୮.୦୭ର ଏଭେରେଜ୍ ସହ ୧୨,୩୧୧ ରନ୍ କରିଛନ୍ତି ।
ବାବାର ଅଷ୍ଟ୍ରେଲିଆ ବିପକ୍ଷରେ ପାକିସ୍ତାନ ଦିନିକିଆ କ୍ୟାରିୟରର ସବୁଠାରୁ ବଡ଼ ରନ୍ ସ୍କୋରକୁ ପିଛା କରି ଦଳକୁ ସାହାଯ୍ୟ କରିଥିଲେ । ୩୪୯ ରନର ଏକ ବିଶାଳ ଟାର୍ଗେଟକୁ ପିଛା କରି ଅଧିନାୟକ ୧୧୪ ରନ୍ ସ୍କୋର କରିଥିଲେ । ଅଷ୍ଟ୍ରେଲିଆ ବିପକ୍ଷରେ କୌଣସି ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କ ଦ୍ୱାରା ଏହା ସର୍ବାଧିକ ସ୍କୋର ଥିଲା । ବାବର ଏହି ଇନିଂସ ସହ ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ୩୨ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି । ଏହା ବାବରଙ୍କ ୧୫ ତମ ଶତକ ଥିଲା ଓ ସେ ଏହି ମାଇଲଖୁଣ୍ଟରେ ପହଞ୍ଚିବାରେ ଦ୍ରୁତତମ ଖେଳାଳୀ ହୋଇଛନ୍ତି ।