ନାରୀ ନିର୍ଯ୍ୟାତନା, ମଦ ଓ ଅଶ୍ଳୀଳତା ବିରୁଦ୍ଧରେ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ବାରିପଦା : ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ବାରିପଦା ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନାରୀ ଓ ଶିଶୁକନ୍ୟାଙ୍କ ଉପରେ ବଢି ଚାଲିଥିବା ନିର୍ଯ୍ୟାତନା ବନ୍ଦ କରିବା, ମଦ ତଥା ମାଦକଦ୍ରବ୍ୟର ଅବାଧ ପ୍ରସାର ଏବଂ ଅଶ୍ଳୀଳତା ଅପସଂସ୍କୃତିକୁ ରୋକିବା ସହ ଶିକ୍ଷା, ସାସ୍ଥ୍ୟ ଆଦି କ୍ଷେତ୍ରର ଘରୋଇକରଣ ବନ୍ଦ କରିବା, ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ୍, ଔଷଧ ସମେତ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରର ମୂଲ୍ୟବୃଦ୍ଧି ବନ୍ଦ କରିବା ଇତ୍ୟାଦି ଦାବିରେ ସଂଗଠନର ସର୍ବ ଭାରତୀୟ ସାଧାରଣ ସଂପାଦିକା ଛବି ମହାନ୍ତି, ରାଜ୍ୟ ସଂପାଦିକା ସୟଂପ୍ରଭା ନାୟକ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟର କ୍ଷମତାସୀନ ସରକାର ମାନେ ନାରୀ ପ୍ରଗତି, ନାରୀକୁ ସମ୍ମାନ ଆଦି ସ୍ଲୋଗାନ ଦେଉଥିବା ବେଳେ ଜଘନ୍ୟ ନାରୀ ନିର୍ଯ୍ୟାତନାକାରୀ ମାନଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି ଦେବା ପରିବର୍ତେ ସେମାନଙ୍କୁ ମୁକ୍ତ କରିବା ଓ ସେହି ସବୁ ଦଳର କେତେକ ନେତା ପ୍ରତ୍ୟକ୍ଷ ଭାବେ ବର୍ବର କାଣ୍ଡ ଘଟାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଥିଲେ । ବକ୍ତାମାନେ ବିଲକିସ ବାନୋ ଘଟଣା ତଥା ମମିତା ମେହେର, ବବିନା, ଇତିଶ୍ରୀ ଘଟଣା ଏବଂ ଉନାଓ, କଠୁଆ, ହାଥରସ ଆଦି ଘଟଣାର ଅବତାରଣା କରି ଏହାର ଦୃଢ ନିନ୍ଦା କରିଥିଲେ । ନାରୀ ନିର୍ଯ୍ୟାତନା ବୃଦ୍ଧିର ଗୁରୁତ୍ୱପୂର୍ଣ କାରଣ ମଦ ଓ ଅଶ୍ଳୀଳତାର ବ୍ୟାପକ ପ୍ରସାରକୁ ସରକାରଙ୍କ ପ୍ରତ୍ୟକ୍ଷ ସହାୟତାକୁ ବକ୍ତାମାନେ ଦୃଢ ବିରୋଧ କରିଥିଲେ । କମିଟିର ଉପସଭାପତି ସରୋଜିନି ନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟ ସଂପାଦକମଣ୍ଡଳୀର ସଦସ୍ୟଙ୍କ ସମେତ ଅନେକ ଛାତ୍ରୀ ଓ ମହିଳା ଏହି ସଭାରେ ଯୋଗ ଦେଇଥିଲେ । ଏହି ସଭାରେ ତରଙ୍ଗିଣୀ ଦାସ, ସୁଲୋଚନା ପ୍ରଧାନ, ମନ୍ଦୋଦରୀ ରାଉଳ, ଲିଓନୀ ତିର୍କୀ, ଦ୍ରୌପଦି ମାହାନ୍ତ, ପ୍ରଭାମଂଜୁଳା ବ୍ରହ୍ମ, ବିଜୟଲକ୍ଷ୍ମୀ ପାତ୍ର, ହିରାମଣୀ ରାଉତ, ଶାନ୍ତି ଚାକିଆ, ମିଂଜାରୀ ଦେଓଗାମ, ସଂଯୁକ୍ତା ସାମଲ, ମଂଜୁଲତା ପାତ୍ର ପ୍ରମୁଖ ନାରୀନେତ୍ରୀ ମାନେ ମଧ୍ୟ ବକ୍ତବ୍ୟ ରଖିଥିଲେ ।