ବାଲେଶ୍ୱର : ସମାଜସେବା ପାଇଁ ୰ ଅରୁଣ ଦେଙ୍କ ବାସଭବନ ଉତ୍ସର୍ଗ
- ନୂତନ ସାମାଜିକ ସଙ୍ଗଠନ ‘ଅରୁଣ ଦେ ସ୍ମୃତି ପରିଷଦ’ ଗଠନ
ବାଲେଶ୍ୱର : ପୂର୍ବତନ ବିଧାୟକ ଅରୁଣ ଦେଙ୍କ ବିୟୋଗ ପରେ ତାଙ୍କର ମଲ୍ଲିକାଶପୁର ସ୍ଥିତ ବାସଭବନ ଏବେ ଖାଁ ଖାଁ ଲାଗୁଚି । ଅରୁଣ ଦେ ଜୀବିତ ଥିବା ଅବସ୍ଥାରେ ପ୍ରତିଦିନ ଶହଶହ ଲୋକ ବିଭିନ୍ନ ସମସ୍ୟା ନେଇ ତାଙ୍କ ନିକଟକୁ ଆସୁଥିଲେ । ସେ ମଧ୍ୟ ଲୋକଙ୍କ ସମସ୍ୟା ସମାଧାନ ଉଦ୍ୟମ କରୁଥିଲେ । ତାଙ୍କର ପରଲୋକ ପରେ ତାଙ୍କ ସ୍ମୃତି ରକ୍ଷା ପାଇଁ ତାଙ୍କୁ ଭଲ ପାଉଥିବା ମଣିଷମାନେ ଏକ ନୂତନ ସଙ୍ଗଠନ ଗଠନ କରିଛନ୍ତି । ଅରୁଣ ଦେ ସ୍ମୃତି ପରିଷଦ ନାମରେ ଏକ ନୂତନ ସାମାଜିକ ସଙ୍ଗଠନ ଗଢ଼ି ଉଠିଛି ।
ଏହି ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପରିଷଦର ସଭାପତି ତଥା ୰ ଦେଙ୍କ ସାନଭଉଣୀ ଡ. ବାସନ୍ତୀ ଦେ ଚକ୍ରବର୍ତ୍ତୀ କହିଥିଲେ ଯେ, ଅରୁଣ ଦେଙ୍କ ଶାନ୍ତିକାନନ ସ୍ଥିତ ବାସଭବନରେ ପୂର୍ବପରି ଯେଭଳି ଗହଳି ଚହଳି ଲାଗି ରହିବ ସେଥିପାଇଁ ପରିଷଦ ପକ୍ଷରୁ ପଦପେକ୍ଷ ନିଆଯିବ । ଏହି ସଂଗଠନ ଗରିବ ତଥା ମେଧାବୀ ଛାତ୍ରୀଛାତ୍ରମାନଙ୍କୁ ଚୟନ କରି ପ୍ରତିବର୍ଷ ସେମାନଙ୍କୁ ପାଠ ପଢ଼ିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ମେଡ଼ିକାଲ କଲେଜରେ ପାଠ ପଢୁଥିବା ଗରିବ ଛାତ୍ରୀଛାତ୍ରମାନଙ୍କୁ ମେଧାବୃତ୍ତି ପ୍ରଦାନ କରାଯିବ । ତାଙ୍କ ବାସଭବନରେ ବିଭିନ୍ନ ଶ୍ରମିକ ସଙ୍ଗଠନଗୁଡ଼ିକ ଛୋଟକାଟିଆ ସଭାସମିତି ଓ ବୈଠକ ମଧ୍ୟ କରିପାରିବେ । କେବଳ ପରିଷଦ ଏତିକିରେ ସୀମିତ ନରହି ବିଭିନ୍ନ ସମୟରେ ରକ୍ଦାନ ଶିବିରମାନ ବିଭିନ୍ନ ସଙ୍ଗଠନ ସହଯୋଗରେ ଆୟୋଜନ କରାଯିବ । ଏହାସହିତ ଫକୀରମୋହନ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ (ଆଲୁମିନି) ସହ ମିଶି ବର୍ଷରେ ଥରେ ଆଲୋଚନାଚକ୍ରର ଆୟୋଜନ କରାଯିବ । ତାଙ୍କର ଆବର୍ତ୍ତମାନରେ ପରିଷଦ ପକ୍ଷରୁ ବୃକ୍ଷରୋପଣ ଭଳି କାର୍ଯ୍ୟକ୍ରମମାନ ହାତକୁ ନିଆଯାଇ ଏଥିପାଇଁ ସମସ୍ତଙ୍କର ସହଯୋଗ ଲୋଡ଼ିଛନ୍ତି ଡ. ଦେ । ସାମ୍ବାଦିକ ସମ୍ମିଳନୀରେ ପରିଷଦର ଉପଦେଷ୍ଟା ବିଷ୍ଣୁ ପ୍ରସାଦ ମହାନ୍ତି ଏବଂ ରଞ୍ଜନ ବାଗ ମଧ୍ୟ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ପରିଷଦରେ ଶ୍ରମିକନେତା ବିଷ୍ଣୁ ମହାନ୍ତି ଯୁଗ୍ମ କାର୍ଯ୍ୟକାରୀ ସଭାପତି, ସମ୍ପାଦକ ଭାବେ ରଞ୍ଜନ ପ୍ରଧାନ, ସହ-ସମ୍ପାଦକ ବିନୋଦ ଜୀ, କୋଷାଧ୍ୟକ୍ଷ ଅଭିଜିତ ଦାସ, ସଦସ୍ୟ ଭାବେ ସୁଶୀଲ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ରାଉତ, ପ୍ରଶାନ୍ତ ସାହୁ, ସନ୍ତୋଷ ପଟ୍ଟନାୟକ, ଜୟନ୍ତ ମହାପାତ୍ର, ପ୍ରଜ୍ଞାପାରମିତା ନାୟକ, ଦୀପକ ଦାସ, ଦେବେନ୍ଦ୍ର ଦାସ, ବି. ବେହେରା ପ୍ରମୁଖ ରହିଛନ୍ତି । ଏହାବ୍ୟତୀତ ପରିଷଦର ଆଇନ୍ ପରାମର୍ଶଦାତା ଭାବେ ଜୟନ୍ତ ମହାନ୍ତି, ପରାମର୍ଶପାତା ମଣ୍ଡଳୀରେ ରଞ୍ଜନ ବାଗ୍, ଅଶୋକ ପଟ୍ଟନାୟକ ଏବଂ ଅନୁସୂୟା ନାୟକଙ୍କୁ ରଖାଯାଇଛି ।