ବଢ଼ିଲା କଳାକାର ଭତ୍ତା : ମାସକୁ ମିଳିବ ୨୦୦୦, ବୟସ୍କଙ୍କୁ ୨୫୦୦ ଟଙ୍କା
- ଉପକୃତ ହେବେ ୮୦ ହଜାର କଳାକାର
ଭୁବନେଶ୍ବର : ବଢ଼ିଲା କଳାକାର ଭତ୍ତା। ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆ ଘୋଷଣା ଅନୁଯାୟୀ, ଏଣିକି ହିତାଧିକାରୀମାନେ ମାସକୁ ୧୨୦୦ ପରିବର୍ତ୍ତେ ୨୦୦୦ ଟଙ୍କା ସହାୟତା ପାଇବେ । ସେହିପରି ୮୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ କଳାକାର ମାସକୁ ୨୫୦୦ ଟଙ୍କା ସହାୟତା ପାଇବେ । ଏହାଦ୍ବାରା ରାଜ୍ୟର ପ୍ରାୟ ୮୦ ହଜାର କଳାକାର ଉପକୃତ ହେବେ ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ କଳାକାରମାନେ ସହାୟତା ରାଶି ବୃଦ୍ଧି ନିମିତ୍ତ ଅନୁରୋଧ କରିଥିଲେ ଏବଂ ସେମାନଙ୍କର ସଂଗଠନମାନେ ଦାବି ଉପସ୍ଥାପନ କରିଥିଲେ । ଏହା ବ୍ୟତୀତ ଲୋକସେବା ଭବନର କନଭେନସନ କେନ୍ଦ୍ରରେ ୫ଟି ଅଧ୍ୟକ୍ଷଙ୍କ ସହିତ ଯୋଗାଯୋଗ ସମୟରେ କଳାକାରମାନେ ସହାୟତା ରାଶି ବୃଦ୍ଧି ନିମିତ୍ତ ଅନୁରୋଧ ମଧ୍ୟ କରିଥିଲେ ।
ପୂର୍ବରୁ ଏହି ଯୋଜନାର ୫୦,୦୦୦ କଳାକାରମାନଙ୍କୁ ମାସିକ ୧୨୦୦ଟଙ୍କା ଆଧାରରେ ସହାୟତା ରାଶି ପ୍ରଦାନ କରାଯାଉଥିଲା । ମାତ୍ର ବର୍ତ୍ତମାନ ଏହି ଯୋଜନାର ଧାର୍ଯ୍ୟ ଲକ୍ଷ୍ୟ ୮୦,୦୦୦କୁ ବୃଦ୍ଧି କରାଯାଇଅଛି । ଯାହାଦ୍ୱାରା ଆହୁରି ରାଜ୍ୟର ୩୦,୦୦୦ କଳାକାର ଏଥିରେ ଉପକୃତ ହୋଇପାରିବେ । ଏହି କ୍ରମରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ନିୟମାବଳୀର ନିୟମ ୪, ଉପ ନିୟମ (ii)ରେ ଉଲ୍ଲେଖଥିବା କଳାକାରମାନଙ୍କର ବାର୍ଷିକ ଆୟର ସୀମାକୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ନିର୍ବିଶେଷରେ ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଅଛି । ୮୦ ବର୍ଷ ବୟସ ପର୍ଯ୍ୟନ୍ତ କଳାକାରମାନଙ୍କର କଳାକାର ସହାୟତା ରାଶି ୧୨୦୦ଟଙ୍କାରୁ ୨୦୦୦ଟଙ୍କାକୁ ଓ ୮୦ ବର୍ଷରୁ ଊର୍ଦ୍ଧ୍ଵ ବୟସ୍କ କଳାକାରମାନଙ୍କର କଳାକାର ସହାୟତା ରାଶି ୧୨୦୦ଟଙ୍କାରୁ ୨୫୦୦ଟଙ୍କାକୁ ବୃଦ୍ଧି କରାଯାଇଛି । ଉକ୍ତ ବର୍ଦ୍ଧିତ ସହାୟତା ରାଶି ଚଳିତ ଫେବୃଆରୀ ମାସରୁ ଲାଗୁ କରାଯିବ ଏବଂ ଡିବିଟି ମାଧ୍ୟମରେ ଫେବୃଆରୀ ମାସ ୨୦ ତାରିଖରୁ ୨୫ତାରିଖ ମଧ୍ୟରେ ପ୍ରଦାନ କରାଯିବ । ଏହି ଯୋଜନାରେ ସହାୟତା ରାଶି ବୃଦ୍ଧି ଯୋଗୁଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଅନେକ କଳାକାରମାନେ ଉପକୃତ ହେବେ । ଏହାଦ୍ଵାରା ଆମର କଳାର ସଂରକ୍ଷଣ, ବିକାଶ, ପ୍ରଚାର ଓ ପ୍ରସାର ହେବା ସହିତ ଓଡ଼ିଶାର କଳା ଓ ସଂସ୍କୃତିକୁ ଏହା ଋଦ୍ଧିମନ୍ତ କରିବ ।