ସେନା ହେଲିକପ୍ଟର କ୍ରାସ ଘଟଣା : ଆଖି ବୁଜିଲେ ସିଡିଏସ୍ ବିପିନ ରାୱତ
୧୩ ମୃତଦେହ ଉଦ୍ଧାର, ଚିହ୍ନଟ ପାଇଁ ହେବ ଡିଏନଏ ଟେଷ୍ଟ
ଚେନ୍ନାଇ : ତାମିଲନାଡୁ କୁନ୍ନୁରଠାରେ ଦୁର୍ଘଟଣାର ଶିକାର ହୋଇଥିବା ବାୟୁସେନାର ହେଲିକପ୍ଟର କ୍ରାଶ ଘଟଣାରେ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ଏଥିରେ ସିଡିଏସ୍ ବିପିନ ରାୱତଙ୍କ ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କଲା ବାୟୁସେନା । ସିଡିଏସ୍ ବିପିନ ରାୱତଙ୍କ ପତ୍ନୀ ମଧୁଲିକାଙ୍କ ମଧ୍ୟ ମୃତ୍ୟୁ ହୋଇଛି । ସେହିପରି ଏହି ଘଟଣାରେ ଏୟାରଫୋର୍ସ ପକ୍ଷରୁ ଦୁର୍ଘଟଣାର ତଦନ୍ତ ନିର୍ଦ୍ଧେଶ ମିଳିଛି । ସେହିପରି ଲେଫ୍ଟନେଣ୍ଟ ଜେନେରାଲ ଏଚ.ଏସ. ପନଙ୍ଗ (ଆର)ଙ୍କ ସୂଚନା ମୁତାବକ ସିଡିଏସ୍ ଜେନେରାଲ ବିପନ ରାୱତଙ୍କ ମୃତ୍ୟୁ ହୋଇଛି । ସେ ତାଙ୍କ ଟ୍ୱିଟରରେ RIP ଜେନେରାଲ୍ ବିପିନ ରାୱତ! ବୋଲି ଲେଖିଛନ୍ତି ।
ଏହି ହେଲିକପ୍ଟର୍ରେ ସିଡିଏସ୍ ଜେନେରାଲ ବିପନ ରାୱତ, ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୪ ଜଣ ରହିଥିଲେ। ଏହି ଘଟଣାରେ ଜଣେ ଗୁରୁତର ଆହତ ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କୁହାଯାଉଛି। ଆହତ ଜଣଙ୍କ ଜଣେ ପୁରୁଷ। ତାଙ୍କ ଶରୀରର ୯୦% ଅଂଶ ଜଳି ଯାଇଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କ ଶରୀରର ସଂପୂର୍ଣ୍ଣ ପୋଡ଼ି ଯାଇଛି। ତେଣୁ ଡିଏନ୍ଏ ଟେଷ୍ଟ ଦ୍ୱାରା ସେମାନଙ୍କ ପରିଚୟ ହାସଲ କରିବାକୁ ଉଦ୍ୟମ କରାଯିବ।
ଏନେଇ ଆସନ୍ତାକାଲି ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତଥ୍ୟ ଉପସ୍ଥାପନ କରିବେ। ଆଜି ସନ୍ଧ୍ୟା ୬.୩୦ରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ ବୈଠକ ବସିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଅଧ୍ୟକ୍ଷତା କରିବେ। ବାୟୁସେନା ମଧ୍ୟ କେବଳ ସିଡିଏସ୍ଙ୍କୁ ନେଇ ଯାଉଥିବା ଏମଆଇ ସିରିଜ୍ ହେଲିକପ୍ଟର କ୍ରାଶ ହୋଇଯାଇଥିବା କହିଛି। ଦୁର୍ଘଟଣାର ତଦନ୍ତ ପାଇଁ ମଧ୍ୟ ବାୟୁସେନା ନିର୍ଦ୍ଦେଶ ଦେଇଛି। ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ବାୟୁସେନା ମୁଖ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ମଧ୍ୟ କନ୍ନୁର ଯିବାର କାର୍ଯ୍ୟକ୍ରମ ରହିଛି।
ଆଜି ଜେନେରାଲ ରାୱତ ପରିବାର ଓ ଅଧିକାରୀମାନଙ୍କ ସହ ଦିଲ୍ଲୀରୁ କୋଏମ୍ବାଟୁରର ସୁଲୁର ଯାଇଥିଲେ। ସେଠାରୁ ଏମଆଇ ୧୭ ଭି୫ ହେଲିକପ୍ଟର ଦ୍ୱାରା ନୀଳଗିର ହିଲ୍ସରେ ଥିବା ୱେଲିଂଟନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ସିଡିଏସ୍ଙ୍କ ସହ ତାଙ୍କ ପତ୍ନୀ ମଧୁଲିକା ମଧ୍ୟ ରହିଥିଲେ। ଏମାନଙ୍କ ବ୍ୟତୀତ ୬ ଜଣ କ୍ରୁ ସଦସ୍ୟ ରହିଥିଲେ। କିନ୍ତୁ ଓଟ୍ଟୀ ନିକଟରେ ତାଙ୍କ ହେଲିକପ୍ଟର କ୍ରାଶ କରିଥିଲା। ମଧ୍ୟାହ୍ନ ପ୍ରାୟ ୧୨ଟା ୨୦ମିନିଟ ସମୟରେ ଏହି ଘଟଣା ଘଟିଛି। ମୁଖ୍ୟ ରାସ୍ତା ଠାରୁ ୧୦ କିମି ଦୂର ଜଙ୍ଗଲିଆ ଅଞ୍ଚଳରେ ହେଲିକପ୍ଟର କ୍ରାଶ ହୋଇଥିବା ପ୍ରଥମେ ସ୍ଥାନୀୟ ଲୋକ ସୂଚନା ଦେଇଥିଲେ। ଏହାପରେ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ହେଲିକପ୍ଟରଟି ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ଏକାଧିକ ବଡ଼ବଡ଼ ଗଛ ଭାଙ୍ଗି ଯାଇଛି। ସେହିପରି ପ୍ରଥମେ ୪ ଜଣଙ୍କ ମୃତଦେହ ମିଳିଥିଲା। ଏହାପରେ ସଂଖ୍ୟା ୧୧ରେ ପହଞ୍ଚିଥିଲା। ଏବେ ଏହା ୧୩ରେ ପହଞ୍ଚିଛି। ସେପଟେ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶଲ ଭି.ଆର ଚୌଧୁରୀ ସୁଲୁର ଏୟାରବେସରେ ପହଂଚିଥିବା ସୁଚନା ମିଳିଛି । ଅନ୍ୟପଟେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ ମଧ୍ୟ ଘଟଣା ସ୍ଥଳକୁ ଯାଉଥିବା ସୁଚନା ମିଳିଛି । ତେବେ ସିଡ଼ିଏସଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି ବାୟୁସେନା ମୁଖ୍ୟ ଏମଏମ ନରୱଣେ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।
ଏହି କ୍ରମରେ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ହେଲିକପ୍ଟରଟି ମାଟିରେ ପଡିବା ଆଗରୁ ୨-୩ ଜଣ ଯାତ୍ରୀ ହେଲିକପ୍ଟରରୁ ତଳକୁ ଡେଇଁ ପଡିଥିଲେ । ଏହାପରେ ଜୋରରେ ଏକ ଶବ୍ଦ ହୋଇଥିଲା । ଅନ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ହେଲିକପ୍ଟରରେ ନିଆଁ ଲାଗିବା ପରେ ଏହା ଖସିପଡିଥିଲା | ଏହାପରେ ସ୍ଥାନୀୟ ଲୋକମାନେ ଏକତ୍ରିତ ହୋଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ଉଦ୍ଧାର ହୋଇଥିବା ସମସ୍ତ ଲୋକଙ୍କ ଶରୀର ୮୦ ପ୍ରତିଶତ ପୋଡି ଯାଇଛି । ଅନ୍ୟପଟେ ହେଲିକପ୍ଟରରେ ଥିବା ସିଡିଏସ ବିପିନ ରାୱତଙ୍କ ବାବଦରେ କୌଣସି ସ୍ପଷ୍ଟ ଖବର ମିଳିପାରି ନାହିଁ । ଭାରତୀୟ ବାୟୁସେନାର ବୟାନ ମୁତାବକ ଏହି ଘଟଣାର କୋର୍ଟ ଅଫ୍ ଇନକ୍ୱାରୀ ହେବ ।