ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ! ୨୫ରୁ ବଢିପାରେ ବର୍ଷା
ଭୁବନେଶ୍ୱର : ଲଘୁଚାପ ବର୍ଷା ସତ୍ବେ ରାଜ୍ୟରେ ନିଅଣ୍ଟିଆ ବର୍ଷା ସ୍ଥିତିରେ ସୁଧାର ଆସିନି । ଏବେବି ୧୦ ଜିଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ଲାଗି ରହିଛି । ତେବେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର କିଛି ଜିଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଜୁନ ୧ତାରିଖରୁ ଜଲାଇ ୧୮ତାରିଖ ଯାଏ ରାଜ୍ୟରେ ହାରାହାରି ବର୍ଷା ପରିମାଣ ସ୍ବାଭାବିକ ରହିଛି । କିନ୍ତୁ ୧୦ ଜିଲ୍ଲାରେ କମ ବର୍ଷା ହୋଇଛି । ଏଠାରେ ୪୦ ପ୍ରତିଶତ କମ ବର୍ଷିଛି । ନବରଙ୍ଗପୁରରେ ନିଅଣ୍ଟିଆ ସ୍ଥିତି ସବୁଠୁ ଅଧିକ । ଏପଟେ ମୌସୁମୀ ନିମ୍ନଚାପ ରେଖାର ପଶ୍ଚିମ ଭାଗ ହିମାଳୟର ପାଦଦେଶରେ ଅବସ୍ଥାନ କରୁଥିବା ବେଳେ, ପୂର୍ବଭାଗ ଉତ୍ତରପ୍ରଦେଶର ଗୋରଖପୁରରୁ ବାହାରି ଦେହରି, ରାଞ୍ଚି ମଧ୍ୟଦେଇ ଓଡ଼ିଶାର ବାଲେଶ୍ୱରରୁ ଦକ୍ଷିଣପୂର୍ବ ଦିଗରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର-ଓଡିଶା ଉପକୂଳ ଅଞ୍ଚଳରେ ସକ୍ରିୟ ଲଘୁଚାପ କ୍ଷେତ୍ରର କେନ୍ଦ୍ର ଯାଏଁ ଲମ୍ବିଛି ।
ଆଜି ୫ ଜିଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୨୫ ତାରିଖରେ ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ବଢିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି ।