କରୋନା ୩ୟ ଲହର ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ
ନୂଆଦିଲ୍ଲୀ : ମହାମାରୀ କରୋନା ସମ୍ଭାବ୍ୟ ୩ୟ ଲହରକୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ । ବିଶେଷ କରି ଏହି ଲହାରରେ ୧୮ବର୍ଷରୁ କମ ଶିଶୁମାନେ ଆକ୍ରାନ୍ତ ହେବ ନେଇ ବିଶେଷଜ୍ଞନ ମାନେ ଆକଳନ କରିଛନ୍ତି । ଜାତୀୟ ବିପର୍ଯ୍ୟୟ ପ୍ରଶମନ ସଂସ୍ଥାନ (ଏନଆଇଡିଏମ)ର ମୁତାବକ ଅକ୍ଟୋବର ମାସରେ ଆସିପାରେ କରୋନାର ତୃତୀୟ ଲହର । ଏନଆଇଡିଏମ ଏନେଇ ପ୍ରସ୍ତୁତ ରିପୋର୍ଟ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ପ୍ରଦାନ କରିସାରିଛି । ଏହି ପରିପ୍ରେକ୍ଷୀରେ କରୋନାର ସମ୍ଭାବିତ ୩ୟ ଲହର ନେଇ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ଏହି ବୈଠକ ଅପରାହ୍ନ ୩ଟା ୩୦ରେ ହେବ । ବୈଠକରେ କରୋନାର ବର୍ତ୍ତମାନର ସ୍ଥିତି ଉପରେ ଚର୍ଚ୍ଚା ହେବ । ଏଥି ସହିତ ମହାମାରୀରୁ ବର୍ତ୍ତିବା ପାଇଁ ଏପର୍ଯ୍ୟନ୍ତ ନିଆଯାଇଥିବା ସମସ୍ତ ପଦକ୍ଷେପ ଉପରେ ସମୀକ୍ଷା ହେବ ।ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ, କ୍ୟାବିନେଟ ସଚିବ ଏବଂ ନୀତି ଆୟୋଗର ସଦସ୍ୟ ମଧ୍ୟ ସାମିଲ ହେବେ । ଏଥିରେ ସମ୍ଭାବିତ କରୋନାର ୩ୟ ଲହର ନେଇ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା ହେବ ।
କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ଅଧିନରେ ଆସୁଥିବା ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରତିଷ୍ଠାନ (ଏନଆଇଡିଏମ) ୩ୟ ଲହରକୁ ଦୃଷ୍ଟିରେ ରଖି ମିଳୁଥିବା ଚେତାବନୀ ଉପରେ ଅଧ୍ୟୟନ କରୁଛି । ଏଥି ସହିତ ଜାତୀୟ ପ୍ରତିଷ୍ଠାନ କରୋନା ମୁକାବିଲା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି ପ୍ୟାନେଲ ପିଏମଓକୁ ପଠାଇଥିବା ନିଜର ରିପୋର୍ଟରେ କହିଛି ଯେ, ଆସନ୍ତା ଅକ୍ଟୋବରରେ କରୋନାର ୩ୟ ଲହର ପିକ୍ସ୍ତରରେ ପହଂଚିପାରେ । ସେହିପରି ଜାତୀୟ ବିପର୍ଯ୍ୟୟ ପ୍ରଶମନ ସଂସ୍ଥାନର ଏକ୍ସପର୍ଟ କମିଟିର ରିପୋର୍ଟରେ ହସ୍ପିଟାଲରେ ଶିଶୁ ମାନଙ୍କ ନିମନ୍ତେ ଚିକିତ୍ସା ଉପକରଣର ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହି ରିପୋର୍ଟରେ ତୃତୀୟ ଲହରର କାରଣ ଡେଲ୍ଟା ପ୍ଲସ୍ ଭେରିୟଂଟ ବୋଲି ଦର୍ଶାଯାଇଛି । ଯଦିଓ ରାଷ୍ଟ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି)ର ମୁତାବକ ଦେଶରେ ୨ ଅଗଷ୍ଟ ପର୍ଯ୍ୟନ୍ତ କରୋନାର ଡେଲ୍ଟା ପ୍ଲସ୍ ଭେରିୟଂଟର ୭୦ ମାମଲା ସାମ୍ନାକୁ ଆସିଥିବା କୁହାଯାଇଛି । ଏହାର ଯାଂଚ୍ ପାଇଁ ୧୬ ରାଜ୍ୟରୁ ୫୮,୨୪୦ ସାମ୍ପଲର ଯାଂଚ୍ କରାଯାଇଛି ।