ବାଲେଶ୍ୱର : ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଆମ ହସପିଟାଲ ରୂପାନ୍ତର କାର୍ଯ୍ୟକ୍ରମ ଉଦ୍ଘାଟିତ
ବାଲେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲାର ୮ଟି ସରକାରୀ ଚିକିତ୍ସାଳୟରେ ଆମ ହସ୍ପିଟାଲ ରୂପାନ୍ତରଣ କାର୍ଯ୍ୟ ଲୋକାର୍ପିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ମାଧ୍ୟମରେ ଏହାକୁ ଲୋକାର୍ପିତ କରିଥିବା ବେଳେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ଯୋଜନାରେ ହସପିଟାଲଗୁଡ଼ିକରେ ମିଳିବାକୁ ଥିବା ନୂତନ ସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ରୂପାନ୍ତରଣ କାର୍ଯ୍ୟ ଅଧୀନରେ ହସପିଟାଲଗୁଡ଼ିକର ଭିତ୍ତିଭୂମୀ ସଜଡ଼ାଯିବା ସହିତ ରୋଗୀମାନଙ୍କ ପାଇଁ ନୂତନ ପଞ୍ଜିକରଣ କେନ୍ଦ୍ର, ପ୍ରତୀକ୍ଷାଳୟ, ଔଷଧ ବିତରଣ ହଲ, ମିସନ ଶକ୍ତି କାଫେ ସହିତ ସୁନ୍ଦର ପରିବେଶ ସୃଷ୍ଟି କରାଯାଇଛି । ଜିଲା ମୁଖ୍ୟ ଚିକିତ୍ସାଳୟର ରୂପାନ୍ତରଣ ପାଇଁ ୮କୋଟି ଖର୍ଚ୍ଚ ହୋଇଛି । ‘ପ୍ରତ୍ୟେକଟି ଜୀବନ ମୂଲ୍ୟବାନ’ ମୁଖ୍ୟମନ୍ତ୍ରୀ ଦେଇଥିବା ବାର୍ତ୍ତାକୁ ସାର୍ଥକ ରୂପ ଦେବା ପାଇଁ ସ୍ୱାସ୍ଥ୍ୟ ସମେତ ପ୍ରତ୍ୟେକ କ୍ଷେତ୍ରରେ ଜନସାଧାରଣଙ୍କ ଜୀବନ ସୁରକ୍ଷିତ ରହିପାରିବ, ସେ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି । ସୁସ୍ଥ ଓଡ଼ିଶା ଗଠନରେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଅନୁସାରେ ଜନସାଧାରଣ ମଧ୍ୟ ତାଙ୍କୁ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ । ତେବେ ଆଗାମୀ ଦିନରେ ଜିଲାର ସ୍ୱାସ୍ଥ୍ୟ ସେବାରେ ବ୍ୟାପକ ଉନ୍ନତି ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା ପ୍ରକାଶ କରିଥିଲେ ।
ଜିଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ ଯୋଗଦେଇ ସ୍ୱାସ୍ଥ୍ୟସେବାରେ ବୈପ୍ଲବିକ ଉନ୍ନତି ପାଇଁ ଜିଲାବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । କାର୍ଯ୍ୟକ୍ରମରେ ପୌର ଉପାଧ୍ୟକ୍ଷ କୈଳାସ ଚନ୍ଦ୍ର ସେଠୀ, ସଦର ବିଡ଼ିଓ ସମରଜିତ କର, ହସପିଟାଲର ପ୍ରଶାସନିକ ଅଧିକାରିଣୀ ନିର୍ଲ୍ଲିପ୍ତା ମହାନ୍ତି ଓ ଆଶାକର୍ମୀ ମୁଖ୍ୟ ଅର୍ଣ୍ଣପୂର୍ଣ୍ଣା ଦିଦି ପ୍ରମୁଖ ମଞ୍ଚାସୀନ ଥିଲେ । ଡିଏମ୍ଆର୍ସିଏଚ ଏଲୀନା ସାମଲ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ହସପିଟାଲ କର୍ତ୍ତୃପକ୍ଷଙ୍କ ସମେତ ବହୁ ସ୍ୱାସ୍ଥ୍ୟ କର୍ମୀ ଉପସ୍ଥିତ ଥିଲେ ।