ବାୟୁସେନାର ଏମ୍ଆଇ-୧୭ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତୀଲେ ୫
ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ଗୁରୁବାର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଅରୁଣାଚଳ ପ୍ରଦେଶର ପୂର୍ବ ଦିଗରେ ବାୟୁସେନାର ଏମ୍ଆଇ-୧୭ ହେଲିକପ୍ଟର କ୍ରାଶ୍ଲ୍ୟାଣ୍ଡ କରିଛି। ଏହି ଅଘଟଣ ସମୟରେ ହେଲିକପ୍ଟରରେ ୨ ଜଣ ପାଇଲଟ ଓ ୩ ଜଣ କ୍ରିଉ ସଦସ୍ୟ ଏହିପରି ସର୍ବମୋଟ ୫ ଜଣ କର୍ମଚାରୀ ଥିବା ବେଳେ ସମସ୍ତେ ସୌଭାଗ୍ୟବଶତଃ ସୁରକ୍ଷିତ ଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁସାରେ, ହେଲିକପ୍ଟରଟି ମେଣ୍ଟେନାନ୍ସ କାମରେ ନିୟୋଜିତ ହୋଇଥିଲା। ମଝି ଆକାଶରେ ଉଡ଼ୁଥିବା ବେଳେ ହଠାତ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ତେବେ କ୍ରାଶ ଲ୍ୟାଣ୍ଡ କରିବା ପୂର୍ବରୁ ଏହା ମଧ୍ୟରେ ଥିବା ସମସ୍ତ କର୍ମଚାରୀ ବାହାରକୁ ଚାଲି ଆସିଥିଲେ। ଏପରି ଅଘଟଣର କାରଣ ଜାଣିବା ସକାଶେ ଭାରତୀୟ ସେନା ପକ୍ଷରୁ ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି। କିନ୍ତୁ ଏହି ଅଘଟଣ ନେଇ ସବିଶେଷ ତଥ୍ୟ ଦିଆଯାଇନାହିଁ। ଏଠାରେ ସୂଚନାଯୋଗ୍ୟ ଯେ ଗତ ସେପ୍ଟେମ୍ବରରେ ଜମ୍ମୁ-କଶ୍ମୀରର ଉଦ୍ଧମପୁରର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପଟନି ଟପ୍ ନିକଟବର୍ତ୍ତୀ ଶିବଗଡ଼ ଧର ଅଞ୍ଚଳରେ ଆର୍ମିର ଗୋଟିଏ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୨ ଜଣ ପାଇଲଟଙ୍କର ପ୍ରାଣହାନି ଘଟିଥିଲା। ଏହାଛଡ଼ା ଗତ ଅଗଷ୍ଟ ୩ ତାରିଖରେ ମଧ୍ୟ ପଠାନକୋଟର ରଞ୍ଜିତ ସାଗରଠାରେ ଗୋଟିଏ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ୨ ଜଣଙ୍କ ଜୀବନ ଯାଇଥିଲା।