କୋରୋନା ପରେ ଭାରତରେ ଏବେ ନୂଆ ଭାଇରସର ଆତଙ୍କ : ଆସନ୍ତୁ ଜାଣିବା ଏହାର ଲକ୍ଷଣ
ନୂଆଦିଲ୍ଲୀ : ପୁରା ବିଶ୍ୱକୁ ନାକେଦମ କରି ରଖିଛି କୋରୋନା ଭାଇରସ । କୋରୋନା ଭ୍ୟାକସିନ ସିନା ଆସିଛି ହେଲେ ବିଶ୍ୱକୁ ଏବେ ବି କୋରୋନା କବଳରୁ ସମ୍ପୂର୍ଣ୍ଣ ଆଶ୍ୱସ୍ତି ମିଳିନାହିଁ । ସେପଟେ କୋରୋନାର ମାଡ଼ରେ ଜନଜୀବନ ଅସ୍ତବ୍ୟସ୍ତ ଥିବା ବେଳେ ଏବେ ପୁଣି ଏକ ଭାଇରସ ଲୋକଙ୍କ ଟେନସନ ବଢାଇଦେଇଛି । କୋରୋନା ଭାଇରସ୍ ପରେ, ବର୍ତ୍ତମାନ ଜିକା ଭାଇରସ୍ ର କହର ଦେଖିବାକୁ ମିଳିଛି । ଜିକା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଦିନକୁ ଦିନ ବଢିବାରେ ଲାଗିଛି । ଜିକା ଭାଇରସକୁ ନେଇ ଏବେ ଡାକ୍ତରମାନେ ମଧ୍ୟ ଚେତାବନୀ ଦେଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ସତର୍କ ରହିଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଜିକା ଭାଇରସ ସଂକ୍ରମଣରେ ମୃତ୍ୟୁ ହାର କୋରୋନା ଭାଇରସ ତୁଳନାରେ ଅଧିକ। ଉତ୍ତରପ୍ରଦେଶର କାନପୁରରେ ଜିକା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୩ ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ଆତଙ୍କ ଖେଳିଯାଇଛି । ସହରରେ ଏପର୍ଯ୍ୟନ୍ତ ମିଳିଥିବା ଜିକା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୭୯ କୁ ବୃଦ୍ଧି ପାଇଛି। ଏଥି ସହିତ ଜିକା ଭାଇରସର ପ୍ରଥମ ମାମଲା କନ୍ନୌଜରେ ରିପୋର୍ଟ କରାଯାଇଛି।
ଦେଶରେ ପ୍ରଥମେ ଗୁଜୁରାଟରେ ୨୦୧୭ ଏବଂ ୨୦୧୮ ରେ ଗୋଟିଏ ମାମଲା ସାମ୍ନାକୁ ଆସିଥିଲା । ତା’ପରେ ୨୦୧୭ ମସିହାରେ ତାମିଲନାଡୁରେ ଗୋଟିଏ ମାମଲା ସାମ୍ନାକୁ ଆସିଥିଲା। ୨୦୧୮ ମସିହାରେ ମଧ୍ୟପ୍ରଦେଶରେ ହଠାତ୍ ଜିକା ଜୀବାଣୁ ବୃଦ୍ଧି ପାଇଲା ଏବଂ ୧୩୦ ଜଣ ଲୋକ ସଂକ୍ରମିତ ହୋଇଥିବା ଜଣାପଡିଛି। ସେହି ବର୍ଷ ଅର୍ଥାତ୍ ୨୦୧୮ ରେ, ରାଜସ୍ଥାନରେ ୧୫୯ ଟି ଜିକା ଭାଇରସ୍ ମାମଲା ରିପୋର୍ଟ ହୋଇଥିଲା। ୨୦୨୧ ମସିହାରେ, ହଠାତ୍ କେରଳ (Kerala) ରେ ଜିକା ଭାଇରସ ସଂକ୍ରମଣ ଦେଖାଯିବା ଆରମ୍ଭ ହେଲା । ତା’ପରେ ୬୪ ଟି ମାମଲା ହୋଇଥିଲା। ଏହି ସମୟରେ ମହାରାଷ୍ଟ୍ରରେ ଜିକା ଭାଇରସର ଗୋଟିଏ ମାମଲା ରିପୋର୍ଟ ହୋଇଥିବା ବେଳେ ବର୍ତ୍ତମାନ ୟୁପିର କାନପୁର, କନ୍ନୌଜରେ ୮୦ ମାମଲା ସାମନାକୁ ଆସିଛି।
ସୂଚନା ଯେ, ଜିକା ଭାଇରସ ପ୍ରଥମେ ୧୯୪୭ ମସିହାରେ ଚିହ୍ନଟ ହୋଇଥିଲା । ଏହି ସଂକ୍ରମଣ ଉଗାଣ୍ଡାର ଜିକା ଜଙ୍ଗଲରେ ଦେଖିବାକୁ ମିଳିଥିଲା। ଏହି ଭାଇରସ ଜିକା ଜଙ୍ଗଲ ନାମରେ ନାମିତ ହୋଇଥିଲା। ଜିକା ଭାଇରସ ମଶା ମାଧ୍ୟମରେ ବ୍ୟାପିଥାଏ। ଜିକା ଭାଇରସର ଲକ୍ଷଣ ଡେଙ୍ଗୁ ସହିତ ସମାନ। କିନ୍ତୁ ଜିକା ଭାଇରସ ଡେଙ୍ଗୁ ଅପେକ୍ଷା ଅଧିକ ମାରାତ୍ମକ ଅଟେ। ଏହାର ଲକ୍ଷଣ ହେଉଛି ଜ୍ୱର, ଶରୀରରେ ଚିହ୍ନ ଏବଂ ଗଣ୍ଠି ଯନ୍ତ୍ରଣା । ଜିକା ଭାଇରସର ଲକ୍ଷଣ ମଧ୍ୟରେ ମୁଣ୍ଡବିନ୍ଧା, ଜ୍ୱର, ନାଲି ଆଖି, ଶରୀରର ଦାଗ, ମାଂସପେଶୀ ଯନ୍ତ୍ରଣା ଏବଂ ଗଣ୍ଠି ଯନ୍ତ୍ରଣା ଇତ୍ୟାଦି । ଜିକା ଭାଇରସ ଏଡ଼ିଶ ମଶା ଦ୍ୱାରା ବ୍ୟାପିଥାଏ । ଏହି ମଶା ପ୍ରଜାତି ମଧ୍ୟ ଡେଙ୍ଗୁ ଏବଂ ଚିକେନଗୁନିଆର କାରଣ ହୋଇଥାଏ । ଜିକା ଭାଇରସ ଥିବା ଲୋକମାନଙ୍କର ପ୍ରାୟତଃ ଲକ୍ଷଣ ନଥାଏ କିମ୍ବା ସେମାନଙ୍କର ଲକ୍ଷଣ ଅତି ସାମାନ୍ୟ ହୋଇପାରେ । ସେହିପରି ଜିକା ଭାଇରସକୁ ନେଇ ଡ଼ରିବାର କିଛି ନାହିଁ । ଏହି ରୋଗ ହେବା ଆଗରୁ ସାବଧାନ ହେବା ଜରୁରୀ । ଘରେ ଯେପରି ମଶା ନହୁଅନ୍ତି ସେ ପଦକ୍ଷେପ ନେବା ଜରୁରୀ । ଶୋଇବା ସମୟରେ ମଶାରୀ ଟାଣି ଶୋଇବା ଜରୁରୀ । ଘରର ଝରକା, ଓ କବାଟରେ ଜାଲି ଟାଣିବା ଦରକାର । ଯଦି ଆପଣ ଜିକା ଭାଇରସରେ ଆକ୍ରାନ୍ତ ତେବେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।