ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ଓଆଇସି ମମତା ପଣ୍ଡାଙ୍କୁ କ୍ରାଇମବ୍ରାଂଚର ୩ ଘଂଟା ଜେରା
ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ କ୍ରାଇମବ୍ରାଂଚ ପକ୍ଷରୁ ଜାରୀ ରହିଛି । ଆଜି ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡାଙ୍କୁ ଏ ସମ୍ପର୍କରେ ୩ ଘଂଟା ଧରି ପଚରା ଉଚରା କରିଛି କ୍ରାଇମବ୍ରାଂଚ । ପାରଳାଖେମୁଣ୍ଡି ଥାନାରେ କ୍ରାଇମବ୍ରାଂଚ ଟିମ୍ ତାଙ୍କୁ ପଚରା ଉଚରା କରିଛି । ସୌମ୍ୟଙ୍କ ପରିବାର ପକ୍ଷରୁ ଓଆଇସି ମମତାଙ୍କ ନାମରେ ଅଭିଯୋଗ ରହିଥିଲା । ସେହି ଆଧାରରେ କ୍ରାଇମବ୍ରାଂଚ ତାଙ୍କୁ ପଚରାଉଚରା କରିଛି । ପୂର୍ବରୁ ପୋଲିସ ତାଙ୍କୁ ଏ ସମ୍ପର୍କରେ ମଧ୍ୟ ପଚରା ଉଚରା କରିଥିଲା ।
ଜେରା ପରେ କ୍ରାଇମବ୍ରାଂଚ ଡିଏସପି ଜ୍ଞାନରଞ୍ଜନ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଗୁରାଣ୍ଡି ଓଆଇସି କାହିଁକି ଘଟଣାସ୍ଥଳ ଓ ମେଡ଼ିକାଲକୁ ଯାଇଥିଲେ ପଚାରିଲୁ । ଓଆଇସି ମମତା ପଣ୍ଡା ବିଦ୍ୟାଭାରତୀଙ୍କ ଦୂର ସମ୍ପର୍କୀୟା । ତେଣୁ, ମାନବିକତା ଦୃଷ୍ଟିରୁ ସେ ସେଠାକୁ ଯାଇଥିଲେ ବୋଲି କହିଥିଲେ । ଏହା ପୂର୍ବରୁ ଡ଼ିଏଫଓ ସଂଗ୍ରାମ କେଶରୀ ବେହେରା, ରୋଷେୟା ମନ୍ମଥ କୁମ୍ଭ, ଫରେଷ୍ଟ ଗାର୍ଡ଼ ଓ ଦୁଇ ଜଣ ଏସିଏଫଙ୍କୁ ଉଚରା କରିଥିଲା କ୍ରାଇମବ୍ରାଂଚ । ପ୍ରକାଶ ଥାଉ କି, ଗତ ୧୪ ତାରିଖରେ କ୍ରାଇମବ୍ରାଂଚର ଏକ ଟିମ୍ ସାଇଂଟିଫିକ୍ ଟିମ୍ ସହିତ ସୌମ୍ୟଙ୍କ ସରକାରୀ ବାସଭବନରେ ପହଂଚି ତଦନ୍ତ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ, ନିଆଁରେ ପୋଡ଼ି ହୋଇ ଏସିଏଫ ସୌମ୍ୟରଞ୍ଜନ ଗୁରୁତର ହୋଇପଡିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଗତ ଜୁଲାଇ ୧୩ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା ।