ଏସିଏଫ୍ ମୃତ୍ୟୁ ମାମଲା : ଡିଏଫ୍ଓ ଓ ବିଦ୍ୟାଭାରତୀଙ୍କ ହେବ ଲାଏ ଡିଟେକ୍ସନ୍ ଟେଷ୍ଟ୍!
ଗଜପତି : ପାରଳେଖମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାର ଖିଅ ଖୋଜୁଛି କ୍ରାଇମ୍ବ୍ରାଞ୍ଚ । ଘଟଣାରେ ଇତିମଧ୍ୟରେ ମାସେ ବିତି ଯାଇଥିଲେ ବି ରହସ୍ୟ ଉପରୁ ପରଦା ହଟୁନି । ପ୍ରତିଦିନ ନୂଆ ନୂଆ ଚେହେରା ଓ ତଥ୍ୟ ସାମ୍ନାକୁ ଆସିଛି । ଯାହାକୁ ମାମଲାକୁ ନୂଆ ମୋଡ ଦେଉଛି । ଏହିପ୍ରରିପେକ୍ଷୀରେ କ୍ରାଇମ୍ବ୍ରାଞ୍ଚ୍ ଶନିବାର ଦିନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ ମାରାଥନ୍ ଜେରା କରିଛି। ପାରଳାଖେମୁଣ୍ଡି ପୁଲିସ ଗେଷ୍ଟ୍ ହାଉସ୍ରେ ଚାଲିଥିବା କ୍ରାଇମ୍ବ୍ରାଞ୍ଚ୍ ଅସ୍ଥାୟୀ କାର୍ଯ୍ୟାଳୟରେ ୪ ଜଣିଆ ଟିମ୍ ଡିଏଫ୍ଓଙ୍କୁ ଦିନ ୧୧ଟାରୁ ୨ଟା ପର୍ଯ୍ୟନ୍ତ ପ୍ରାୟ ୩ ଘଣ୍ଟା ଧରି ଜେରା କରିଥିଲେ। ଅଡ଼ୁଆ ସୂତାରେ ଛନ୍ଦି ହୋଇଥିବା ଏହି ରହସ୍ୟଜନକ ମୃତ୍ୟୁ ଘଟଣାରେ କ୍ରାଇମ୍ବ୍ରାଞ୍ଚ୍ ଏବେ ସୁଦ୍ଧା କିଛି ଥଳକୁଳ ପାଉ ନଥିବା ବେଳେ ଅବଶ୍ୟକ ପଡ଼ିଲେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ଓ ଡିଏଫ୍ଓ ଶ୍ରୀ ବେହେରାଙ୍କ ଲାଏ ଡିଟେକ୍ସନ୍ ଟେଷ୍ଟ କରାଯିବ ବୋଲି କ୍ରାଇମ୍ବ୍ରାଞ୍ଚ ଅଧିକାରୀ ସୂଚନା ଦେଇଛନ୍ତି।
ଖବର ଅନୁଯାୟୀ, ସୌମ୍ୟରଞ୍ଜନଙ୍କ ରହସ୍ୟ ଜନକ ମୃତ୍ୟୁ ଘଟଣାରେ ପୋଲିସ ଯାହା ଛାଡିଦେଇଥିଲେ । ତାକୁ ଏବେ ଖୋଜି ଖୋଜି କ୍ରାଇମ୍ବ୍ରାଞ୍ଚ ବାହାର କରୁଛି । କ୍ରାଇମ୍ବ୍ରାଞ୍ଚ ୮ମ ଦିନର ତଦନ୍ତରେ ଅନେକ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଗତ ୭ଦିନରେ ୧୩ଜଣଙ୍କ ଜେରା କରିସାରିଥିବା କ୍ରାଇମ୍ବ୍ରାଞ୍ଚ ୮ମ ଦିନରେ ହାଜର ହୋଇଥିଲେ ଡିଏଫ୍ଓ ସଂଗ୍ରାମ ବେହେରା । ଦୀର୍ଘ ୩ଘଣ୍ଟା ଧରି ମାରାଥନ ଜେରା ବାହାରିଥିଲେ ଡିଏଫଓ ସଂଗ୍ରାମ ବେହେରା । ଏହି ଜେରା ସମୟରେ ଅନେକ ତଥ୍ୟ ଓଗାଳିଛନ୍ତି ଡିଏଫ୍ଓ । ଏପିରିକି ଜମାନବନ୍ଦୀ ସମୟରେ ସେ ହସ୍ପିଟାଲରେ ଉପସ୍ଥିତ ରହିଥିଲେ ବୋଲି ମାନିଛନ୍ତି । ସେହିପରି ଡିଏଫ୍ଓ ଅନେକ ପ୍ରଶ୍ନର ଉତ୍ତର ଦେଇନାହାନ୍ତି । ଆବଶ୍ୟକ ହେଲେ ତାଙ୍କୁ ପୁଣି ଥରେ ଜେରା କରାଯିବ ଏବଂ ଲାଏ ଡିଟେକ୍ସନ୍ ଟେଷ୍ଟ୍ ମଧ୍ୟ କରାଯିବ ବୋଲି କ୍ରାଇମ୍ବ୍ରାଞ୍ଚ ଡିଏସ୍ପି କହିଛନ୍ତି । ସେପେଟ ଡିଏଫ୍ଓଙ୍କୁ ଜେରା ପରେ ବିଦ୍ୟାଭାରତୀଙ୍କୁ କ୍ରାଇମ୍ ବ୍ରାଞ୍ଚ୍ ଟିମ୍ ଡାକିପାରେ ବୋଲି ଚର୍ଚ୍ଚା ଜୋର୍ ଧରିଲାଣି । ଘଟଣାରେ ଅନେକ ଲୋକଙ୍କ ଜେରା କରାଯାଇଛି । ତେବେ ବିଦ୍ୟାଭାରତୀଙ୍କୁ କେବେ ଜେରା କରୁଛି କ୍ରାଇମବ୍ରାଞ୍ଚ, ତାହା ଦେଖିବାକୁ ବାକି ରହିଲା । ଏସିଏଫ୍ଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ ଇତି ମଧ୍ୟରେ ୪୦ ଦିନ ବିତି ସାରିଛି । ଘଟଣାରେ ଅନେକ ବଡ଼ହସ୍ତୀଙ୍କ କଥା ବର୍ତ୍ତମାନ ସାମ୍ନାକୁ ଆସିଲାଣି । ତେଣୁ କ୍ରାଇମ୍ବ୍ରାଞ୍ଚ ବର୍ତ୍ତମାନ କିଭଳି ରହସ୍ୟ ଉପରୁ ପରଦା ହଟାଉଛି ତାହା ଉପରେ ସମସ୍ତଙ୍କ ନଜର ।