ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ
ଲକ୍ଷ୍ନୌ : ପାକିସ୍ତାନର ସଂସଦ କୁହାଯାଉଥିବା ନ୍ୟାସନାଲ ଆସେମ୍ବଲିରେ ସୋମବାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି । ଏଥିସହ ସଂସଦର ଗୃହକାର୍ଯ୍ୟ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ମାର୍ଚ୍ଚ ୩୧ରେ ଅପରାହ୍ନ ୪ଟାରେ ପ୍ରସ୍ତାବ ଉପରେ ମତଦାନ ହେବ ବୋଲି କହିଛନ୍ତି ବାଚସ୍ପତି । ଏଥିସହ ଗାଦିଚ୍ୟୁତ୍ ହେବା ନେଇ ଇମ୍ରାନ ଖାନ ସରକାରଙ୍କ କାଉଂଟ ଡାଉନ ମଧ୍ୟ ଆରମ୍ଭ ହୋଇ ଯାଇଛି ।
ଇମ୍ରାନ ଖାନ ସରକାରଙ୍କ ବିରୋଧରେ ଆଗତ ପ୍ରସ୍ତାବକୁ ୧୬୧ ସାଂସଦ ସମର୍ଥନ କରିଛନ୍ତି । ସୋମବାର ଗୃହରେ ଅନାସ୍ଥା ପ୍ରସ୍ତାବ ବିରୋଧୀ ନେତା ଶାହବାଜ ସରିଫ ଉପସ୍ଥାପନ କରିଥିଲେ । ସେ କହିଛନ୍ତି, ଇମ୍ରାନ ସରକାରଙ୍କ ଉପରେ ଆଉ ଦେଶବାସୀଙ୍କ ଭରସା ନାହିଁ । ତେଣୁ ଏହି ସରକାରଙ୍କ ବିରୋଧରେ ଆଗତ ପ୍ରସ୍ତାବ ଉପରେ ମତଦାନ କରାଯିବା ଉଚିତ୍ । କୁହାଯାଉଛି ଇମ୍ରାନ ଖାନ ସରକାରଙ୍କ ଇଙ୍ଗିତରେ ଗୃହ କାର୍ଯ୍ୟ ଜାଣି ଶୁଣି ସ୍ଥଗିତ କରାଯାଇଥିଲା । ଯଦ୍ୱାରା ସେ କିଛି ସାଂସଦଙ୍କୁ ନିଜ ସପକ୍ଷରେ ନେଇ ପାରିବେ । ରବିବାର ଇମ୍ରାନ ଖାନ ଇସଲାମାବାଦରେ ଏକ ବଡ ରାଲିର ଆୟୋଜନ କରିଥିଲେ । ଏଥିରେ ହଜାର ହଜାର ସଂଖ୍ୟାରେ ଲୋକ ସାମିଲ୍ ହୋଇଥିଲେ । ଏହି ସମୟରେ ଇମ୍ରାନ କହିଥିଲେ ଯେ, ବିଦେଶୀ ଶକ୍ତି ସାହାଯ୍ୟରେ ତାଙ୍କ ସରକାରକୁ ଭାଙ୍ଗିବାକୁ ପ୍ରୟାସ କରାଯାଉଛି ।