ଲକ୍ଷ୍ମୀପୁର ଖୀରି ପ୍ରସଙ୍ଗ : ଆଜି ରାହୁଲଙ୍କ ନେତୃତ୍ୱରେ ଘଟଣାସ୍ଥଳ ପରିଦର୍ଶନରେ ଯିବେ କଂଗ୍ରେସର ଏକ ପ୍ରତିନିଧି ଦଳ
ନୂଆଦିଲ୍ଲୀ : ଲକ୍ଷ୍ମୀପୁର ଖୀରି ପ୍ରସଙ୍ଗ ବେଳକୁ ବେଳ ଗୁରୁତର ହେବାରେ ଲାଗିଲାଣି। କଂଗ୍ରେସର ଏକ ପ୍ରତିନିଧି ଦଳ ବୁଧବାର ଘଟଣାସ୍ଥଳ ପରିଦର୍ଶନରେ ଯିବେ ବୋଲି ଘୋଷଣା କରିଛନ୍ତି। ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧି ଏହି ପ୍ରତିନିଧି ଦଳର ନେତୃତ୍ୱ ନେବେ। ପୂର୍ବରୁ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଭଦ୍ରା ସୀତାପୁରରେ ଗିରଫ ହୋଇ ଅଟକ ଥିବା ବେଳେ ଗସ୍ତକାଳରେ ରାହୁଲ ପ୍ରିୟଙ୍କାଙ୍କୁ ଭେଟିବାକୁ ଯାଇପାରନ୍ତି ବୋଲି କୁହାଯାଉଛି। ତେବେ କଂଗ୍ରେସ ପ୍ରତିନିଧି ଦଳର ଗସ୍ତ ନିଷ୍ପତ୍ତି ପୂର୍ବରୁ ଶିବସେନା ନେତା ସଞ୍ଜୟ ରାଉତ ମଙ୍ଗଳବାର ଦିଲ୍ଲୀରେ ରାହୁଲଙ୍କୁ ଭେଟିଥିଲେ। ଏହି ସାକ୍ଷାତ ଆଲୋଚନା କାଳରେ ପ୍ରତିନିଧି ଦଳଙ୍କ ଉତ୍ତରପ୍ରଦେଶ ଗସ୍ତ ନେଇ ପ୍ରସ୍ତାବ ମଧ୍ୟ ଦେଇଥିଲେ। ପ୍ରସ୍ତାବ ଉପରେ କଂଗ୍ରେସରେ ସହମତି ହୋଇଥିବା ବେଳେ ୫ ସଦସୀୟ ପ୍ରତିନିଧି ଦଳ ୟୁପି ଗସ୍ତରେ ଯିବାକୁ ନିଷ୍ପତ୍ତି ହୋଇଛି।
ସୂଚନା ଯେ, ଗତ ରବିବାର ଲକ୍ଷ୍ମୀପୁର ଖୀରି ବନବୀରରେ ଚାଷୀଙ୍କ ଉପରେ କେନ୍ଦ୍ର ଗୃହରାଜ୍ୟମନ୍ତ୍ରୀ ଅଜୟ ମିଶ୍ର ଟେନୀଙ୍କ ପୁଅର କାରକେଡ ଚଢି ଚାଲିଯାଇଥିଲା। ଫଳରେ ଘଟଣା ସ୍ଥଳରେ ୨ ଜଣ ଚାଷୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୬ ଜଣ ହସ୍ପିଟାଲରେ ପ୍ରାଣ ହରାଇଥିଲେ। ଚାଷୀମାନେ ବିକ୍ଷୋଭ ଶେଷ କରି ଫେରୁଥିବା ରାସ୍ତାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଚାଲିଚାଲି ଯାଉଥିବା ଲୋକଙ୍କ ଉପରେ ଗାଡି ଚଢାଇ ପଳାଇଥିଲେ। ଘଟଣା ଦିନ ରାତିରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଲକ୍ଷ୍ମୀପୁର ଉଦ୍ଦେଶ୍ୟରେ ବାହାରିଥିବା ବେଳେ ୟୁପି ପୋଲିସ ତାଙ୍କୁ ସୀତାପୁରରେ ଅଟକାଇଥିଲେ। ପ୍ରିୟଙ୍କାଙ୍କୁ ୧୪୪ ଧାରା ଉଲ୍ଲଂଘନ ଓ ଶାନ୍ତିଭଙ୍ଗ ଆଇନ ଧାରାରେ ଗିରଫ କରାଯାଇଥିବା ବେଳେ ପୋଲିସ ତାଙ୍କୁ ହାଉସ୍ ଆରେଷ୍ଟ କରିଛି। ସେ ଗତ ୩୬ ଘଣ୍ଟା ହେଲା ଅଟକ ଥିବା ବେଳେ ମଙ୍ଗଳବାର କଂଗ୍ରେସ ପ୍ରିନିଧି ମଣ୍ଡଳ ୟୁପି ଯିବା ଲାଗି ନିଷ୍ପତ୍ତି ନେଇଛି।