ଆଜି ସନ୍ଧ୍ୟା ସୁଦ୍ଧା ମିଳିବ ବାତ୍ୟାର ସ୍ପଷ୍ଟ ଚିତ୍ର !
ବଡ଼ ଧରଣର ବର୍ଷା, ପବନର ସମ୍ଭାବନା କମ୍ : ଆଇଏମ୍ଡି
ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟାକୁ ନେଇ ଏବେବି ଅସ୍ପଷ୍ଟ । ବର୍ତ୍ତମାନ ପର୍ଯ୍ୟନ୍ତ ବାତ୍ୟା ହେବ କି ନାହିଁ ତାହା କୌଣସି ବି ମଡେଲ୍ ସ୍ପଷ୍ଟ କରିନାହାନ୍ତି । କିନ୍ତୁ ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଯାହାକି ଲଘୁଚାପର ରୂପ ନେଇ ଉତ୍ତରପଶ୍ଚିମ ଦିଗରେ ବଙ୍ଗୋପସାଗର ଆଡ଼କୁ ଗତି କରୁଛି । ଏହି ଲଘୁଚାପ ଆଜି ସନ୍ଧ୍ୟା ସୁଦ୍ଧା ଅବପାତର ରୂପ ନେବା ପରେ ତୀବ୍ର ଅବପାତ ହେବ କି ସାମୁଦ୍ରିକ ଝଡ଼ର ରୂପ ନେବ ତାହା ସ୍ପଷ୍ଟ ହେବ । ଶନିବାର ସନ୍ଧ୍ୟା ସୁଦ୍ଧା ସମ୍ଭାବ୍ୟ ବାତ୍ୟାକୁ ନେଇ ସ୍ପଷ୍ଟ ଚିତ୍ର ମିଳିବ ।
ଆଇଏମଡି ପକ୍ଷରୁ ସ୍ପଷ୍ଟ ଚିତ୍ର ମିଳିବା ପରେ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଟିମକୁ ସମ୍ଭାବ୍ୟ ପ୍ରଭାବିତ ସ୍ଥାନରେ ମୁତୟନ କରାଯିବ । ସମସ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରରୁ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭାରତୀୟ ନୌସେନା ଓ ତଟରକ୍ଷୀ ବାହିନୀକୁ ମଧ୍ୟ ରାଜ୍ୟ ସରକାର ଆଜି ଚିଠି ଲେଖି ସମୁଦ୍ରରେ ରହିଥିବା ମତ୍ସ୍ୟଜୀବୀଙ୍କୁ ଫେରାଇ ଆଣିବାରେ ସହଯୋଗ କରିବାକୁ କହିଛନ୍ତି । ୮ତାରିଖରୁ ଯେଭଳି କୌଣସି ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟକୁ ଯିବେନି ତାହା ସୁନିଶ୍ଚିତ କରିବାକୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଏହା ୮ ତାରିଖ ସନ୍ଧ୍ୟା ଆଡ଼କୁ ଏକ ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହେବ। ଏହା ପୁଣି ଉତ୍ତର-ପଶ୍ଚିମ ଆଡ଼କୁ ଗତି ଜାରି ରଖିବ ଏବଂ ୧୦ ତାରିଖ ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳସ୍ଥ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ। ତେବେ ୧୦ ତାରିଖ ଦିନ, ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର-ଓଡ଼ିଶା ଉପକୂଳଠାରୁ ୨୦୦ରୁ ୩୦୦ କିମି ଦୂରରେ ରହିଥିବ ବୋଲି ପ୍ରାଥମିକ ଭାବେ ଆକଳନ କରାଯାଇଛି। ଏହା ପ୍ରଭାବରେ ରାଜ୍ୟରେ ୧୦ ତାରିଖ ଦିନ ବର୍ଷା ହେବ। କିନ୍ତୁ ବଡ଼ ଧରଣର ବର୍ଷା, ପବନର ସମ୍ଭାବନା କମ୍ ବୋଲି ଆଇଏମ୍ଡି କହିଛି।
ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ର ତଥ୍ୟ ଅନୁସାରେ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଲଘୁଚାପରେ ପରିଣତ ହୋଇ ବଙ୍ଗୋପସାଗର ଆଡ଼କୁ ମୁହାଁଇଛି । ଯାହା ଶନିବାର ସନ୍ଧ୍ୟା ସୁଦ୍ଧା ଅବପାତର ରୂପ ନେବ । ଏହି ଅବପାତ ରୂପ ନେବା ପରେ ହିଁ ବାତ୍ୟା ସଂକ୍ରାନ୍ତରେ ସ୍ପଷ୍ଟ ଚିତ୍ର ମିଳିବ । ତେବେ ଆଇଏମଡିର ପ୍ରାରମ୍ଭିକ ଆକଳନ ଅନୁସାରେ ଏହି ଲଘୁଚାପ ଅଧିକ ଅବପାତ ହୋଇ ସାମୁଦ୍ରିକ ଝଡ଼ର ରୂପ ନେଲେ ତାହା ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶାର ସମୁଦ୍ର ଉପକୂଳ ଆଡ଼େ ଗତି କରିବ । କିନ୍ତୁ ୧୦ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ବଙ୍ଗୋପସାଗରରେ ଉପକୂଳଠୁ ୨୫୦-୩୦୦କିମି ଦୂରରେ ରହିବ । ଯଦି ଏହା ସାମୁଦ୍ରିକ ଝଡ଼ର ରୂପ ନିଏ ଅବା ସିଭିୟର ସାଇକ୍ଲୋନର ରୂପ ନିଏ ତେବେ ତା’ର ଗତିପଥ, ପ୍ରଭାବ ଓ ତୀବ୍ରତା କ’ଣ ହେବ ତାହା କେବଳ ୧୦ ତାରିଖ ସନ୍ଧ୍ୟା ସୁଦ୍ଧା ଜଣାପଡ଼ିବ । ଏବେ ଯେହେତୁ ଏହା ଅବପାତର ରୂପ ନେଇନି ତେଣୁ ସମ୍ଭାବ୍ୟ ବାତ୍ୟାକୁ ନେଇ ଆକଳନ କରିବା କଷ୍ଟକର । ଅବଶ୍ୟ ଏହି ଲଘୁଚାପ ପ୍ରଭାବରେ ରାଜ୍ୟର ୪ଟି ଜିଲା ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲାରେ ଆସନ୍ତା ୮ତାରିଖରୁ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ପବନ କେତେ ବୋହିବ ସେ ନେଇ କୌଣସି ତଥ୍ୟ ଆଇଏମଡି ପକ୍ଷରୁ ମିଳିନି ।