ଦ୍ବିତୀୟ ଟେଷ୍ଟରେ ପୂଜାରାଙ୍କ ପାଇଁ ମାଇଲଖୁଣ୍ଟର ସୁଯୋଗ
ଢାକା: ଆଜି ବାଂଲାଦେଶର ଢାକା ଅନ୍ତର୍ଗତ ମିର୍ପୁରରେ ଥିବା ‘ଶେର୍-ଏ-ବାଂଲା ନ୍ୟାସ୍ନାଲ୍ ଷ୍ଟାଡିୟମ୍’ରେ ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ବିତୀୟ ଟେଷ୍ଟ୍ ମ୍ୟାଚ୍ର ପ୍ରଥମ ଦିନର ଖେଳ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ରେ ପୂଜାରାଙ୍କ ପାଇଁ ଏକ ମାଇଲଖୁଣ୍ଟ ଅପେକ୍ଷା କରିଛି। ପ୍ରଥମ ଟେଷ୍ଟ୍ରେ ଦ୍ରୁତତମ (୧୩୦ ବଲ୍ରୁ ୧୦୨ ରନ୍ କରିଥିବା) ଶତକ ହାସଲ କରିବା ପରେ ପୂଜାରା ମୋଟ ୧୯ ଟେଷ୍ଟ୍ ଶତକରେ ନ୍ୟୁଜିଲାଣ୍ଡ୍ର ରସ୍ ଟେଲର, ୱେଷ୍ଟ୍ଇଣ୍ଡିଜ୍ର ଗର୍ଡନ ଗ୍ରିନିଜ୍ ଓ କ୍ଲାଇବ ଲୟଡ୍ ଏବଂ ଅଷ୍ଟ୍ରେଲିଆର ମାଇକ୍ ହସିଙ୍କ ସମକକ୍ଷ ହୋଇଥିଲେ।
ଏଥି ସହିତ ପୂଜାରା ମଧ୍ୟ ଟେଷ୍ଟ୍ରେ ତାଙ୍କ ବ୍ୟକ୍ତିଗତ ରନ୍ ସଂଖ୍ୟାକୁ ୬୯୮୪ ପହଞ୍ଚାଇଥିଲେ। ଫଳରେ ଆଉ ୧୩ ରନ୍ କରିପାରିଲେ ସେ ସର୍ବାଧିକ ରନ୍ ସଂଗ୍ରହକାରୀ ତାଲିକାରେ ଅଷ୍ଟ୍ରେଲୀୟ କିଂବଦନ୍ତି ଡନ୍ ବ୍ରାଡ୍ମ୍ୟାନ୍ଙ୍କୁ ଟପିଯିବେ। ବ୍ରାଡ୍ମ୍ୟାନ୍ ୫୨ ଟେଷ୍ଟ୍ରୁ ୯୯.୯୪ ହାରରେ ୬୯୯୬ ରନ୍ କରିଥିଲା ବେଳେ ୨୦୧୦ରେ ବେଙ୍ଗାଲୁରୁରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ୍ ପଦାର୍ପଣ କରିଥିବା ପୂଜାରା ଇତିମଧ୍ୟରେ ୯୭ ଟେଷ୍ଟ୍ ଖେଳି ୪୪.୭୬ ହାରରେ ୬୯୮୪ ରନ୍ କରିସାରିଛନ୍ତି। ସେହିପରି ଆଉ ୧୬ ରନ୍ କରିପାରିଲେ ପୂଜାରା ମଧ୍ୟ ୭୦୦୦ ରନ୍ କ୍ଲବ୍ରେ ନିଜ ନାମକୁ ଯୋଡ଼ିପାରିବେ। ଏହି ସୌରାଷ୍ଟ୍ର ବ୍ୟାଟର୍ ଏକ୍ଷେତ୍ରରେ ଅଷ୍ଟମ ଭାରତୀୟ ହୋଇଯିବେ। ଭାରତୀୟଙ୍କ ତାଲିକାରେ ବ୍ୟାଟିଂ କିଂବଦନ୍ତି ସଚିନ୍ ତେନ୍ଦୁଲକର ଆଗରେ ରହିଛନ୍ତି।