ଟ୍ରେନରେ ଯୁବକଙ୍କ ଅସ୍ୱାଭାବିକ ମୃତ୍ୟୁ ଥାନାର ମାମଲା ରୁଜୁ
ବାରିପଦା : ଶନିବାର ସକାଳୁ ବାରିପଦା ପୁରୁଣାହାଟସାହି ୱାର୍ଡ ନମ୍ବର ୭ ର ଗୋପାଳ ମୁଖିଙ୍କ ସାନ ପୁଅ ବିଭୁ ରଂଜନ ମୁଖିଙ୍କ କିଛି ଦିନ ଧରି ଦେହ ଭଲ ରହୁନଥିବା ବେଳେ ଗତକାଲି ସକାଳୁ କଟକ ବଡ ମେଡ଼ିକାଲକୁ ଡାକ୍ତର ଦେଖାଇବା ପାଇଁ ତାଙ୍କ ବଡ ଭାଇ ଓ ଭେଣେଇଙ୍କ ସହିତ ଯାଇଥିଲେ । ତେବେ ଡାକ୍ତର ଦେଖାଇ ଟ୍ରେନ ଯୋଗେ ଫେରୁଥିବା ସମୟରେ ଗତକାଲି ଯାଜପୁର ଷ୍ଟେସନ ପାଖରେ ବିଭୁଙ୍କ ଶରୀର ଅସୁସ୍ଥ ହୋଇ ଅଣନିଃଶ୍ୱାସ ଲାଗିଥିଲା ଏବଂ ସେଠାର ସେ ଅଚେତ ହୋଇ ପଡ଼ି ଯାଇଥିଲେ । ଟ୍ରେନକୁ ଅଟକାଇ ତାଙ୍କ ଭାଇ ଓ ଭେଣେଇ ରେଲୱେ ପୋଲିସକୁ ଖବର ଦେଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ସ୍ଥାନୀୟ ଯାଜପୁର ଡାକ୍ତରଖାନାକୁ ନେଇ ଯାଇଥିଲେ ହେଲେ ସେଠାର ଡାକ୍ତର ତାଙ୍କୁ ମୃତ୍ୟୁ ହୋଇଥିବା ସୂଚନା ଦେଇଥିଲେ । ଏନେଇ ଆଜି ଯାଜପୁର ରୋଡ ପୋଲିସ ଷ୍ଟେସନ ଠାରେ ୪୮/୨୨ ନମ୍ବର ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ଯାଜପୁର ଡାକ୍ତରଖାନା ରେ ଶବ ବ୍ୟବଚ୍ଛେଦ ପରେ ଆଜି ବାରିପଦା ସ୍ଥିତ ତାଙ୍କ ବାସଭବନକୁ ଅଣାଯାଇଥିବାର ସୂଚନା ମିଳିଛି । ବିଭୁ ରଂଜନ ମୁଖି (ବଲୁ) ବାରିପଦା ପି.ଆର.ଏମ. ମେଡ଼ିକାଲ କଲେଜରେ ପିଅନ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ବିୟଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳଯାଇଛି ।