ଜନଜାତି ଲୋକ କଳା ସଙ୍ଗମ ପାଇଁ ବାରିପଦାରେ ବ୍ୟାପକ ପ୍ରସ୍ତୁତି
ବାରିପଦା : ଆସନ୍ତା ଡିସେମ୍ବର ୨୯ ଓ ୩୦ ତାରିଖରେ ବାରିପଦାରେ ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ଏକ ଆନ୍ତଃରାଜ୍ୟ ଜନଜାତି ଲୋକ କଳା ସଙ୍ଗମ ଆୟୋଜିତ ହେବାକୁ ଥିବାବେଳେ ସଂଗଠନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ସ୍ଥାନୀୟ ହୋଟେଲ ସ୍ୱସ୍ତିକ ସଭା ଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ବନବାସୀ କଲ୍ୟାଣ ଆଶ୍ରମର ଅଖିଳ ଭାରତୀୟ ଲୋକ କଳା ପ୍ରମୁଖ ବୀରବଲ ସିଂହ ଯୋଗ ଦେଇ ଡିସେମ୍ବର ୨୯ ଓ ୩୦ ତାରିଖରେ ସ୍ଥାନୀୟ ସହିଦ ସ୍ମୃତି ଭବନରେ ଆୟୋଜିତ ହେବାକୁ ଥିବା ଜନଜାତି ଲୋକ କଳା ସଙ୍ଗମ ନେଇ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ପ୍ରସ୍ତାବିତ କଳା ସଙ୍ଗମରେ ଖାଲି ଓଡ଼ିଶାର ନୁହେଁ, ବରଂ ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ ପରି ଅନ୍ୟାନ୍ୟ ରାଜ୍ୟର ଜନଜାତି କଳାକାର ଗୋଷ୍ଠୀ ସାମିଲ ହେବେ ବୋଲି ପ୍ରକାଶ କରିବା ସହ ଏହି ଭବ୍ୟ କାର୍ଯ୍ୟକ୍ରମ କଳା ନୃତ୍ୟ ସାହିତ୍ୟ ସଙ୍ଗୀତ ସଂସ୍କୃତି କ୍ଷେତ୍ରରେ ଦେଶର ବିବିଧ ଜନଜାତି ବର୍ଗର ଉତ୍କର୍ଷ ଓ ଗୌରବ ଗାଥା ବହନ କରିବ ବୋଲି ଆଶା ପ୍ରକଟ କରିଥିଲେ । ଅନ୍ତତଃ ପକ୍ଷେ ୨୪ ଟି ବିଭିନ୍ନ ଜନଜାତି ବର୍ଗର ପ୍ରତିନିଧିତ୍ୱ ଏଥିରେ ଦେଖିବାକୁ ମିଳିବ ବୋଲି ଶ୍ରୀ ସିଂହ ସୂଚାଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା କବିବିଷ୍ଣୁ ଶତପଥୀ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଲୋକ କଳା ସଙ୍ଗମର ସଂଯୋଜକ ଫକୀର ସିଂ, ସହ ସଂଯୋଜକ ସନାତନ ମୁର୍ମୁ ଓ ବନବାସୀ କଲ୍ୟାଣ ଆଶ୍ରମର ସହ କ୍ଷେତ୍ର ପ୍ରମୁଖ ବିଶ୍ୱାମିତ୍ର ମହାନ୍ତ ପ୍ରମୁଖ ମଂଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ହାଁସଦା, ସାନୁ ସିଂ, ଶଙ୍କର ମାରାଣ୍ଡି, ଦାକ୍ଷିନ ମୁର୍ମୁ, ଛୋଟେଲାଲ ମହାନ୍ତ, ରାମପଦ ପଇଡ଼ା ପ୍ରମୁଖ ବରିଷ୍ଠ ବନବାସୀ କଲ୍ୟାଣ ଆଶ୍ରମ କର୍ମକର୍ତା ଏହି ଅବସରରେ ଉପସ୍ଥିତ ଥିଲେ ।