ଦିଲ୍ଲୀରେ ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ଅନଲକ୍
- ୧୦ ଘଣ୍ଟା ଖୋଲିବ ଦୋକାନ, ଅଧା କ୍ଷମତାରେ ଚାଲିବ ମେଟ୍ରୋ ଟ୍ରେନ୍
ନୂଆଦିଲ୍ଲୀ : ଦିଲ୍ଲୀରେ ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ଅନଲକ୍ । ପ୍ରଥମ ପର୍ଯ୍ୟାୟ ଅନଲକ୍ ଗତ ସପ୍ତାହରେ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯାୟ ଅନଲକରେ କାରଖାନା ଏବଂ ନିର୍ମାଣ ସ୍ଥାନ ଖୋଲିବାକୁ ଅନୁମତି ଦିଆଯାଇଥିଲା । ବର୍ତ୍ତମାନ ଆଜିଠୁ ୨ୟ ପର୍ଯ୍ୟାୟ ଅନଲକରେ ଆଉ କିଛି ଜିନିଷ ଖୋଲିବାକୁ ଅନୁମତି ଦିଆଯାଇଛି । ଆଜିଠୁ ରାଜଧାନୀର ମାର୍କେଟ୍ ଏବଂ ମଲ୍ ଖୋଲାଯିବ ।
ଏପରିକି ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଆରମ୍ଭ ହେବ ବନ୍ଦ ଥିବା ମେଟ୍ରୋ ସେବା । ଇ-କମର୍ସ ମାଧ୍ୟମରେ ସାମଗ୍ରୀ ବିକ୍ରୟ ପାଇଁ ଅନୁମତି ମଧ୍ୟ ଦିଆଯାଇଛି । କରୋନା ସଂକ୍ରମଣର ଗତି ମନ୍ଥର ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀର ସମସ୍ତ ମାର୍କେଟ ମାର୍କେଟ, ମଲ୍ ଏବଂ ସପିଂ କମ୍ପ୍ଲେକ୍ସ ସକାଳ ୧୦ ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ । ଏହାସହ ଆବାସିକ ଅଞ୍ଚଳରେ ନିର୍ମିତ ସ୍ଥାନୀୟ ବଜାରର ପଡ଼ୋଶୀ ଦୋକାନଗୁଡ଼ିକ ବି ନିୟମିତ ଖୋଲିବ । ୫୦ % କ୍ଷମତା ସହିତ ସକାଳ ୯ା ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଘରୋଇ କାର୍ଯ୍ୟାଳୟ ଖୋଲାଯାଇପାରିବ । ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲିବ । କ୍ଲାସ୍-୧ ଅଧିକାରୀମାନେ ୧୦୦ % ଆସିବେ ଏବଂ ଅନ୍ୟ ବିଭାଗରେ ୫୦% କର୍ମଚାରୀଙ୍କୁ ନେଇ ଚାଲିବ ଅଫିସ । ସୋମବାର ଠାରୁ ୫୦ ପ୍ରତିଶତ କ୍ଷମତା ସହ ଚାଲିବ ମେଟ୍ରୋ । ଇ-କମର୍ସ କମ୍ପାନୀଗୁଡିକ ହୋମ ବିତରଣ କରିବାରେ ସକ୍ଷମ ହେବେ ।