ପଦ୍ମପୁର ଉପ-ନିର୍ବାଚନ : ପ୍ରଚାର ମଇଦାନକୁ ଓହ୍ଲାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ପଦ୍ମପୁର : ପଦ୍ମପୁରରେ ଉପ-ନିର୍ବାଚନ ପ୍ରଚାର ମଇଦାନକୁ ଆଜି ଓହ୍ଲାଇଛନ୍ତି ବିଜେପିର ହେଭିୱେଟ୍ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ସେ ପଦ୍ମପୁର ନିର୍ବାଚନ ମଣ୍ଡଳିର ବିଭିନ୍ନ ସ୍ଥାନରେ ଜନସଭା, ରୋଡସୋ’ ଏବଂ ପଦଯାତ୍ରା କରିଛନ୍ତି। ସକାଳ ସାଢ଼େ ୧୧ଟାରୁ ତାଙ୍କର ପ୍ରଚାର କାର୍ଯ୍ୟକ୍ରମ ଜାରି ରହିଛି। କେନ୍ଦ୍ରମନ୍ତ୍ରୀ ପ୍ରଧାନ ତାଙ୍କର ଭାଷଣରେ ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଜବରଦସ୍ତ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ୨୨ ବର୍ଷ ଧରି ଓଡ଼ିଶାରେ ଶାସନ କଲା ବିଜେଡି ସରକାର। କିନ୍ତୁ ଏ ସମୟ ଭିତରେ ଲୋକଙ୍କୁ ବିଜେଡି ସରକାର କାମ ଯୋଗାଇ ପାରିଲେ ନାହିଁ। ଯେଉଁଥିପାଇଁ ଆଜି ଲକ୍ଷ ଲକ୍ଷ ଲୋକ ଦାଦନ ଖଟିବାକୁ ଯାଉଛନ୍ତି। ଆଉ ନିର୍ବଚନ ବେଳେ ସବୁଠି ମୁଖ୍ୟମନ୍ତ୍ରୀ କହୁଛନ୍ତି ‘ଦାୟିତ୍ବ ମୋର’ । କିନ୍ତୁ ମୁଖ୍ୟମନ୍ତ୍ରୀ କିପରି ଦାୟିତ୍ବ ନିର୍ବାହ କରିଛନ୍ତି ସେ ନେଇ ବିଧାନସଭାରେ ପ୍ରଶ୍ନ କଲେ ସେପଟୁ ଉତ୍ତର ଆସୁଛି ତଥ୍ୟ ସଂଗ୍ରହ ଚାଲିଛି। ପୁଣି ଗତ ୨୨ବର୍ଷ ହେଲା ଗୃହ ବିଭାଗର ଦାୟିତ୍ୱ ନବୀନ ବାବୁଙ୍କ ହାତରେ। ହେଲେ ଓଡ଼ିଶାରେ ଦୁଷ୍କର୍ମ ବଢି ବଢି ଚାଲିଛି।
ଆନ୍ଦୋଳନ ଭିତରୁ ଜନ୍ମ ନେଇଛନ୍ତି ପ୍ରଦୀପ ପୁରୋହିତ। ତାଙ୍କୁ ଏତେ ଡର କାହିଁକି। ବିଜେଡି ସରକାର ୨୨ବର୍ଷରେ ଯାହା କରିଲେ। ଏଇ ୧୮ ମାସରେ କଳ ବଳ କୌଶଳ ପଇସା ଲଗେଇ ନିର୍ବାଚନ ଲଢେଇ କରିବାକୁ ଆସିଛନ୍ତି। ସରକାରୀ ଦଳକୁ ଏହର ଜବାବ ଦେବେ ପଦ୍ମପୁରବାସୀ। ମୋଦି ଦେଉଥିଲେ ଧାନ କିଣାର ପଇସା। ନବୀନ ବାବୁଙ୍କ ସରକାର ଟଙ୍କା ହଡ଼ପ କରୁଛନ୍ତି। ନବୀନ ବାବୁ କେବେ ପ୍ରଧାନମନ୍ତ୍ରୀଙ୍କୁ ଧାନ କିଣା ପ୍ରସଙ୍ଗରେ ଆଲୋଚନା କରିଛନ୍ତି କି? ମିଲର ସହ ନବୀନ ବାବୁଙ୍କ ମଧୁଚନ୍ଦ୍ରିକାର ଜାବାଵ ଦେବେ ପ୍ରଦୀପ ପୁରୋହିତ। ବିଧାନସଭାରେ ଏ ପ୍ରସଙ୍ଗରେ ଆଲୋଚନା କରିଛନ୍ତି କି?
ଏଥିସହ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ମଧ୍ୟ ଟାର୍ଗେଟ କରି ଧର୍ମେନ୍ଦ୍ର କହିଛନ୍ତି କି, ସ୍ୱାସ୍ଥ୍ୟ ବିଭାଗ ପଛେ ଉବୁଟୁବୁ ହେଉ କିନ୍ତୁ ମନ୍ତ୍ରୀ ତାଙ୍କ କାନ୍ଧରେ ଟଙ୍କା ମୁଣି ପକାଇ ପଦ୍ମପୁରରେ ଡେରା ପକାଇଛନ୍ତି । ଯେଉଁ ମନ୍ତ୍ରୀ ଜାନକୀ ବାବୁଙ୍କ ସମୟରେ ଏକ ନମ୍ବର ମନ୍ତ୍ରୀ ଥିଲେ ପରେ ତାଙ୍କ ସରକାରକୁ ଡୁବାଇଥିଲେ ଏବେ ନବୀନ ବାବୁଙ୍କ ଗୁଡ୍ ବୁକରେ ରହିବାକୁ ଚାହୁଁଛନ୍ତି । ତେଣୁ ଆଗକୁ ନବୀନ ବାବୁଙ୍କ ସରକାର ଡୁବିବାର ସମୟ ଆସିଗଲା ବୋଲି କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ପ୍ରଦୀପ ପୁରୋହିତଙ୍କ ପ୍ରଶଂସା କରି ଧର୍ମେନ୍ଦ୍ର କହିଛନ୍ତି, କୃଷକ ଆନ୍ଦୋଳନରୁ ନିର୍ବାଚନକୁ ଆସିଛନ୍ତି ସେ। ତେଣୁ ଚାଷୀଙ୍କ କଥା ତାଙ୍କଠାରୁ କେହି ଭଲ ବୁଝିପାରିବେ ନାହିଁ । ନିର୍ବାଚନ ହେଉଛି ଗଣତନ୍ତ୍ରର ଚାଷ। ଆମ ହଳିଆ କୁନା ପୁରୋହିତ। ଚାଷ କଲା ବେଳେ ହଳିଆ ତ ନିହାତି ଦରକାର। ଆଉ ସେ କାମ ତାଙ୍କଠାରୁ ଆଉ କେହି ଭଲ କରିପାରିବ ନାହିଁ। ଏ ଅଞ୍ଚଳର ସ୍ଥାୟୀ ସମାଧାନ ପାଇଁ ପ୍ରଦୀପ ପୁରୋହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଏଠାକୁ ଆଣିବେ। ତେଣୁ ଆପଣମାନଙ୍କ ହାତରେ ଏବେ ଆମେ ଜଣେ ହଳିଆକୁ ଛାଡ଼ିଲୁ ନିଷ୍ପତ୍ତି ପଦ୍ମପୁରବାସୀ ନେବେ ।