ଭିଜିଲାନ୍ସ ଜାଲରେ ବଡଚଣା ଏବିଇଓ ଓ କିରାଣୀ, ବିିଭିନ୍ନ ସ୍ଥାନରେ ଚଢଉ
ଧର୍ମଶାଳା : ଶିକ୍ଷକଙ୍କ ଠାରୁ ଲାଞ୍ଚ ନେବା ହେଲା କାଳ । ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଲେ ଯାଜପୁର ଜିଲା ବଡଚଣା ବ୍ଲକ ଏବିଇଓ ଓ କିରାଣୀ । ଦୁହେଁ କଟକ ଭିଜିଲାନ୍ସ ଦ୍ୱାରା ଧରା ପଡିବା ସହିତ ସେମାନଙ୍କର ବିଭିନ୍ନ ସ୍ଥାବର ଓ ଅସ୍ଥାବର ସମ୍ପତି ଉପରେ ଚଢଉ ଜାରି ରହିଛି । ଏବିଇଓ ଜଣକ ହେଲେ ବଡଚଣା ବ୍ଲକ ଶିକ୍ଷାଅଧିକାରୀ କାର୍ଯ୍ୟାଳୟର କାର୍ଯ୍ୟରତ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଅମୀୟ ଦାସ ଓ କିରାଣୀ ସୁଧାଶୁଂ ଶେଖର ନାୟକ ବୋଲି ଜଣାପଡିଛି । ସୂଚନା ମୁତାବକ, ଆଜି ଅପରାହ୍ନରେ ଜଣେ ଶିକ୍ଷକଙ୍କ ଠାରୁ ନଗଦ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସର ୨ ଜଣିଆ ଟିମ୍ ଛଦ୍ମ ବେଶରେ ରହି ବଡଚଣା ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଅମୀୟ ଦାସ ଓ କିରାଣୀ ସୁଧାଶୁଂ ନାୟକ ଦୁହେଁ ଲାଞ୍ଚ ନେଉଥିବା ସମୟରେ ସେମାନଙ୍କୁ ମାଡି ବସିଥିଲା । ଶିକ୍ଷକଙ୍କ ବକେୟା ଅର୍ଥ ମଞ୍ଜୁର କରାଇବା ପ୍ରତିଶୃତି ଦେଇ ତାଙ୍କ ଠାରୁ ନଗଦ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଲାଲ ରଙ୍ଗ ବୋଳା ନଗଦ ଅର୍ଥ ପକେଟରୁ ଜବତ କରିଥିଲେ । ଏଥି ସହିତ ଅମୀୟଙ୍କ ବଡଚଣା ବ୍ଲକ କଡେଇସ୍ଥିତ ପୈତୃକ ବାସଭବନ ଓ ଭୁବନେଶ୍ୱରସ୍ଥିତ ବାପୁଜୀ ନଗର ଘର ଓ କିରାଣୀ ସୁଧାଶୁଂଙ୍କ ପୈତୃକ ଘର ସୁକାଦେଇପୁର ଗ୍ରାମରେ ଭିଜିଲାନ୍ସ ଟିମ ଚଢଉ କରି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରି ଯାଂଚ କରୁଛି । ଖାଲି ସେତିକି ନୁହେଁ ସେମାନେ କାର୍ଯ୍ୟାଳୟରେ ବିନା ହାତ ଗୁଞ୍ଜାରେ ପ୍ରମୋସନ, ଜିପିଏଫ, ବଦଳି ଓ କୌଣସି କାର୍ଯ୍ୟ କରୁନଥିଲେ ବୋଲି ଅଭିଯୋଗ ହୋଇଛି । ଆୟ ବର୍ହିଭୂତ ସମ୍ପତି କାଳେ ଥାଇପାରେ ସେ ନେଇ ଭିଜିଲାନ୍ସ ଟିମ୍ ଯାଂଚ କରୁଛି । ଏଭଳି ଘଟଣା ବଡଚଣା ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।