ବାଲେଶ୍ୱର : ଯାନବାହନ ଚଳାଚଳ ନେଇ କଟକଣା ଲାଗୁ
ବାଲେଶ୍ୱର : ବାଲେଶ୍ୱର ଜିଲା ପ୍ରଶାସନ ତରଫରୁ ଦୁର୍ଘଟଣା, ଜୀବନହାନି ଏବଂ ଟ୍ରାଫିକ୍ ଜାମ୍ ହ୍ରାସ କରିବା ପାଇଁ ସହରର କେତୋଟି ନିର୍ଦ୍ଦିଷ୍ଟ ରାସ୍ତାରେ ଭାରୀଯାନ ଚଳାଚଳ ନେଇ କଟକଣା ଲାଗୁ କରାଯାଇଛି । ଆଇଟିଆଇ ଛକରୁ ଭାୟା ବାଲେଶ୍ୱର ବସ୍ଷ୍ଟାଣ୍ଡ, ଏଫଏମ୍ ଗୋଲେଇ ଦେଇ ସୁରଜ ହୋଟେଲ ଛକ, ପୋଲିସ ଲାଇନ ଛକରୁ ଭାୟା ଏଫଏମ୍ ଗୋଲେଇ ଦେଇ ହେମକାପଦା ଛକ, ଫକୀରମୋହନ ଗୋଲେଇରୁ ଭାୟା ଫାଣ୍ଡି ଛକ, ଚିଡ଼ିଆପୋଲ, ସଦର ମହକୁମା ଡାକ୍ତରଖାନା, ସିନେମା ଛକ ଏବଂ ମୋତିଗଞ୍ଜ ବଜାର ଦେଇ ଟାଉନ ଥାନା, ଷ୍ଟେସନ ଛକରୁ ଭାୟା ଏଡ଼ିଏମ ଛକ, ଜିଲା ସ୍କୁଲ ଦେଇ ପାଣି ଟାଙ୍କି ଛକ, ମିର୍ଜାପୋଖରୀ ଛକରୁ ଭାୟା ମାଣିଖମ୍ବ ଏବଂ ବାରବାଟୀ ଦେଇ ବୁଢ଼ାକାର୍ତିକ ଛକ, ମିର୍ଜାପୋଖରୀରୁ ଭାୟା ଟାଉନହଲ ଏବଂ ସିନେମା ଛକ ଦେଇ ବେବିଲୋନ ଛକ, ଟେକ୍ନିକାଲ ସ୍କୁଲ ଛକରୁ ଭାୟା ଏଡ଼ିଏମ ଛକ, ରାଜାବଗିଚା ଦେଇ ନାରୀସଂଘ, ଷ୍ଟେସନ ଛକରୁ ଭାୟା ନାରୀସଂଘ ଦେଇ ପଢୁଆଁପଦା ଛକ, ହରିପୁର ଛକରୁ ଭାୟା ଗଳାପୋଲ, ଦରଜୀପୋଖରୀ, ଚୂନଭାଟି ଦେଇ ମିର୍ଜାପୋଖରୀ ଛକ ପର୍ଯ୍ୟନ୍ତ ରାସ୍ତାଗୁଡିକରେ ସକାଳ ୮ଘଟିକା ୩୦ମିନିଟ୍ରୁ ରାତ୍ର ୧୦ଘଟିକା ପର୍ଯ୍ୟନ୍ତ ଭାରୀଯାନ ଚଳାଚଳରେ କଟକଣା ଲାଗୁ କରାଯାଇଛି । ହରିପୁର ପାଶ୍ୱର୍ରୁ ଆସୁଥିବା କେବଳ ଟ୍ରାକ୍ଟର, ମିନିଟ୍ରକ୍ ଗୁଡିକୁ ଆନନ୍ଦ ବଜାର, ମାଲଗୋଦାମ, ଭାସ୍କରଗଞ୍ଜ ଛକ, ତେଲେଙ୍ଗା ସାହି ଛକ, ପୋଲିସ ଲାଇନ ଛକ ଦେଇ ଆଇଟିଆଇଛକ ଆଡ଼କୁ ଯିବା ଓ ସେହି ସମାନ ରାସ୍ତା ଦେଇ ଫେରିବାକୁ ଅନୁମତି ଦିଆଯିବ ।
ସେହିପରି ଚାନ୍ଦିପୁର ଅଞ୍ଚଳରେ ସମୁଦ୍ର ବେଳାଭୂମିରେ ଗାଡ଼ି ଚାଳନା ଯୋଗୁଁ ଘଟୁଥିବା ଅଘଟଣକୁ କମାଇବା ପାଇଁ ସୋନପୁର ଛକରୁ ଆରମ୍ଭ କରି ଚାନ୍ଦିପୁର ପାନ୍ଥନିବାସ ପର୍ଯ୍ୟନ୍ତ ଯାନ ଚାଳନା ନିଷେଧ ଥିବା ଅଞ୍ଚଳରେ ସମସ୍ତ ପ୍ରକାର ଯାନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି । ଫାଣ୍ଡିଛକ (ସହଦେବଖଣ୍ଟା ଥାନା)ରୁ ଆରମ୍ଭ କରି ଚିଡ଼ିଆପୋଲ ପର୍ଯ୍ୟନ୍ତ ମୁଖ୍ୟ ପରିବହନ ରାସ୍ତାରେ ଅବାଧ ଗାଡ଼ି ଚଳାଚଳ ପାଇଁ ଦୁଇ ଚକିଆ ଯାନ ବ୍ୟତୀତ ସମସ୍ତ ପ୍ରକାର ଯାନର ବେଆଇନ ପାର୍କିଂ ଉପରେ କଟକଣା ଲାଗୁ କରାଯାଇଛି । ଏ ସମସ୍ତ ଯାନ ମିଶନ ପଡ଼ିଆରେ ପାର୍କିଂ କରିବାକୁ କୁହାଯାଇଛି । ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତୀଙ୍କ ଦ୍ୱାରା ଅନୁମୋଦିତ ଆଦେଶନାମା ଅନୁଯାୟୀ ୨.୬.୨୦୨୧ରିଖରୁ ୧.୭.୨୦୨୧ରିଖ ପର୍ଯ୍ୟନ୍ତ ୩୦ଦିନ ପାଇଁ ଏହି ସମସ୍ତ କଟକଣା ବୈଧ ରହିବ ।