୪୨ ତମ ଓଡ଼ିଶା ଇତିହାସ କଂଗ୍ରେସ ଉଦଯାପିତ
ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଇତିହାସ ଓ ପ୍ରତ୍ନତତ୍ୱ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଇତିହାସ କଂଗ୍ରେସର ୪୨ ତମ ଅଧିବେଶନ ସୋମବାର ଉଦ୍ଯାପିତ ହୋଇଯାଇଛି । ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଯୋଗ ଦେଇ ସମସ୍ତଙ୍କୁ ଶୁଭକାମନା ଓ ଧନ୍ୟବାଦ ଜଣାଇଥିଲେ । ବିଶ୍ୱବିଦ୍ୟାଳୟ ତଥା ଅନ୍ୟାନ୍ୟ ଶିକ୍ଷା ସଂସ୍ଥାନ ମାନଙ୍କରେ ଶୈଖିକ ବାତାବରଣର ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଓ ସକ୍ରିୟ ଅଂଶଗ୍ରହଣର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ କରିଥିଲେ ।
ସଭା ଆରମ୍ଭରେ ଡ. ସୁଶାନ୍ତ କୁମାର ବାରିକ ଅତିଥି ମାନଙ୍କୁ ସ୍ୱାଗତ ଜଣାଇବା ସହ ପରିଚୟ ପ୍ରଦାନ କରିଥିଲେ । ଫକୀର ମୋହନ ବିଶ୍ୱବିଦ୍ୟାଳୟ ତରଫରୁ ଏହି ଅଞ୍ଚଳର ଜଣାଶୁଣା ଐତିହାସିକମାନଙ୍କୁ ସମ୍ମାନିତ କରାଯାଇଥିଲା । ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଅମୁଲ୍ୟ କର, ଉତ୍କଳ ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ପ୍ରଫେସର ଅଶୋକ କୁମାର ପଟ୍ଟନାୟକ ଏବଂ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ୟ ଡ. ଗଣେଶ୍ୱର ନାୟକ ପ୍ରତ୍ୟକଙ୍କୁ ଏକ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଆୟୋଜିତ ଅଧିବେଶନରେ ଆଲୋଚନାର ବିଭିନ୍ନ ବିଷୟବସ୍ତୁର ସାରତତ୍ତ୍ୱ ପଠନ କରାଯାଇଥିଲା । ୪୨ ତମ ଇତିହାସ କଂଗ୍ରେସର ଆଞ୍ଚଳିକ ସମ୍ପାଦକ ତଥା ଫକୀର ମୋହନ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ ଏହି ଅଧିବେଶନର ସଫଳାତା ପାଇଁ ବିଶ୍ୱବିଦ୍ୟାଳୟ ତଥା ଓଡ଼ିଶା ଇତିହାସ କଂଗ୍ରେସର ସମସ୍ତ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଡ. ଦେବାଶିଷ ପାତ୍ର, ଡ. ସ୍ମିତି ପାଢ଼ୀ, ଡ. ଶିଖାଶ୍ରୀ ରାୟ ଓ ଜୀନା ପ୍ରିୟଙ୍କା ଜେଠି ଏହି ସଭାର ପରିଚାଳନା କରିଥିଲେ । ଏହି ଅଧିବେଶନରେ ଓଡ଼ିଶା ଇତିହାସ କଂଗ୍ରେସର ନୂତନ ସଭାପତି ଭାବେ ପ୍ରଫେସର ହରିହର ପଣ୍ଡାଙ୍କୁ ନିର୍ବାଚିତ କରାଗଲା ।