ଚାଷୀଙ୍କ ପାଇଁ ଇନପୁଟ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଚାଷୀଙ୍କ ପାଇଁ ନବୀନ ସରକାରଙ୍କ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଚାଷୀଙ୍କ ପାଇଁ ଇନପୁଟ ସହାୟତା ଘାଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମରୁଡ଼ି ପ୍ରଭାବିତ ଅଞ୍ଚଳର ଚାଷୀମାନେ ଏ ସହାୟତା ପାଇପାରିବେ । ଏଥିପାଇଁ ରାଜ୍ୟ ସରକାର ୨ଶହ କୋଟି ଟଙ୍କା ଖର୍ଚ୍ଚ କରିବେ।
ରିପୋର୍ଟ ଅନୁଯାୟୀ, ବର୍ଷା ଅଭାବରୁ ରାଜ୍ୟର ୧୨ଟି ଜିଲ୍ଲାର ୬୪ଟି ବ୍ଲକ୍ ଏବଂ ୧୫ଟି ପୌରାଞ୍ଚଳରେ ଥିବା ପ୍ରାୟ ୨, ୬୩,୫୬୦ ହେକ୍ଟର ଚାଷଜମିରେ ୩୩ ପ୍ରତିଶତ ବା ତା’ଠାରୁ ଅଧିକ ଫସଲହାନି ହୋଇଛି। ଅଥଚ ଏ ପର୍ଯ୍ୟନ୍ତ ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳର ବହୁସଂଖ୍ୟକ ଚାଷୀ ଫସଲ ବୀମା ରାଶି ପାଇପାରି ନାହାନ୍ତି। ଏ ସଂପର୍କରେ ରାଜ୍ୟ ସରକାର କ୍ରମାଗତ ଭାବେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ ବୈଷୟିକ ଉପଦେଷ୍ଟା କମିଟିକୁ ଜଣାଇବା ସହ ଅନୁରୋଧ କରିଥିଲେ।
ଏହି ପରିପ୍ରେକ୍ଷୀରେ ପରିସ୍ଥିତିର ଗମ୍ଭୀରତା ଏବଂ ମରୁଡ଼ି ପୀଡ଼ିତ କୃଷକଙ୍କ ଦାବି ଏବଂ ଜିଲ୍ଲାପାଳମାନେ ଦେଇଥିବା ଫସଲହାନି ରିପୋର୍ଟକୁ ବିଚାରକୁ ନେଇ ମୁଖ୍ୟମନ୍ତ୍ରୀ ପୀଡ଼ିତ ଏବଂ ବଞ୍ଚିତ ଚାଷୀଙ୍କୁ ରାଜ୍ୟର ନିଜସ୍ବ ପାଣ୍ଠିରୁ ସହାୟତା ରାଶି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପୀଡ଼ିତ ଚାଷୀଙ୍କୁ ତତ୍କାଳ ସହାୟତା ରାଶି ପ୍ରଦାନ ଲାଗି ଏହିସବୁ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ସହାୟତା ରାଶି ସଂର୍ପକରେ ଏସ୍ଆର୍ସିଙ୍କ ନିକଟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୀଡ଼ିତ ଚାଷୀଙ୍କ କଷ୍ଟ ଦୂର କରିବାକୁ ଏବେ ୨୦୦ କୋଟି ଟଙ୍କାର ଆବଶ୍ୟକତା ରହିଛି ବୋଲି ଆକଳନ କରାଯାଉଛି। ଏହାସହ ଅନ୍ୟପଟେ ଫସଲ ବୀମା ନେଇ ପଦ୍ମପୁରରେ ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସହ ଆଲୋଚନା ପରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଟୁଇଟ କରିଛନ୍ତି । ସେ ଟୁଇଟ ଯୋଗେ କହିଛନ୍ତି, ଚାଷୀଙ୍କ ଟଙ୍କା ଯଥାଶୀଘ୍ର ହସ୍ତାନ୍ତର ପାଇଁ କେନ୍ଦ୍ର ପ୍ରତିଶ୍ରୁତିବଦ୍ଧ । କେନ୍ଦ୍ର ସରକାରଙ୍କ ଟେକ୍ନିକାଲ କମିଟି ଦ୍ୱାରା ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ସମ୍ପର୍କରେ ବୀମା କମ୍ପାନୀ ଓ ସମସ୍ତ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି।