ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ : ଦ୍ବିତୀୟ ମ୍ୟାଚ୍ରେ ସ୍ପେନ୍ଠୁ ହାରିଲା ଭାରତ
ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମ ସ୍ଥିତ ହକି କମ୍ପ୍ଲେକ୍ସରେ ଚାଲିଥିବା ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ର ଦ୍ବିତୀୟ ମ୍ୟାଚ୍ରେ ସ୍ପେନ୍ଠୁ ୨-୩ ଗୋଲ୍ରେ ହାରିଲା ଭାରତ। ସ୍ପେନ୍ ପକ୍ଷରୁ ସିମୋ ଏଡୱାର୍ଡ (୧୭ ମିନିଟ୍), ମାର୍କ ମିରାଲେସ (୨୭ ମିନିଟ୍) ଓ ମାର୍କ ରିନି (୫୭ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଭାରତ ପକ୍ଷରୁ ଦୁଇଟି ଗୋଲ୍ ହର୍ମନପ୍ରୀତ ସିଂହ (୨୭ ମିନିଟ୍) ଏବଂ ଅଭିଷେକ (୫୫ ମିନିଟ୍) ଦେଇଥିଲେ। ଏଥିସହ ନିଜ ଘରୋଇ ପଡ଼ିଆରେ ଭାରତ ଉଭୟ ବିଜୟ ଓ ପରାଜୟ ସ୍ମୃତି ସହ ପ୍ରଥମ ଚରଣ ଶେଷ କରିଛି। ଅନ୍ୟପକ୍ଷରେ ସ୍ପେନ୍ ଲଗାତାର ଦୁଇ ବିଜୟ ହାସଲ କରିନେଇଛି। ନିଜର ପ୍ରଥମ ମ୍ୟାଚ୍ରେ ଏହି ଦଳ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ଭୁବନେଶ୍ବରରେ ଦ୍ବିତୀୟ ଚରଣ ନଭେମ୍ବର ୪ରୁ ୬ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଜୋର୍ଡି ବୋନାସ୍ତ୍ରୀ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।
ମ୍ୟାଚ୍ର ପ୍ରଥମ କ୍ବାର୍ଟରରେ ରକ୍ଷଣାତ୍ମକ ଖେଳିଥିଲେ ଉଭୟ ଦଳ। ନିଜ ନିଜ ପାସ୍ ଦିଆନିଆରେ ଚାଲିଥିଲା ଏହି କ୍ବାର୍ଟର। ୧୫ତମ ମିନିଟ୍ରେ ସ୍ପେନ୍ ଲଗାତାର ଦୁଇଟି ପେନାଲ୍ଟି କର୍ଣ୍ଣର ଅର୍ଜନ କରିଥିଲା। ହେଲେ ଭାରତୀୟ ଗୋଲ୍ରକ୍ଷକ କୃଷ୍ଣ ବାହାଦୁର ପାଠକ ଏହାକୁ ନିଷ୍ଫଳ କରିଦେବାରୁ ଭ୍ରମଣକାରୀ ଦଳ ଅଗ୍ରଣୀ ନେବା ସୁଯୋଗ ହାତଛଡ଼ା କରିଥିଲା। ଏଥିସହ ପ୍ରଥମ କ୍ବାର୍ଟର ଗୋଲ୍ଶୂନ୍ୟରେ ଶେଷ ହୋଇଥିଲା। ଦ୍ବିତୀୟ କ୍ବାର୍ଟରରେ ଉଭୟ ଦଳ ରଣନୀତି ବଦଳାଇ ଖେଳିଥିଲେ। ୧୭ତମ ମିନିଟ୍ରେ ସ୍ପେନ୍ ପେନାଲ୍ଟି କର୍ଣ୍ଣର ଅର୍ଜନ କରିନେଇଥିଲା। ପାଠକ ଏହାକୁ ଅଟକାଇବାକୁ ଚେଷ୍ଟା କରୁଥିଲା ବେଳେ ତାଙ୍କ ପ୍ୟାଡ୍ରେ ବଲ୍ ବାଜି ଫେରି ଆସିଥିଲା। କିନ୍ତୁ ଫେରନ୍ତା ବଲ୍କୁ ସିମୋ ଏଡୱାର୍ଡ ଗୋଲ୍ରେ ପରିଣତ କରି ସ୍ପେନ୍କୁ ୧-୦ ଅଗ୍ରଣୀ ଦେଇଥିଲେ। ୨୭ତମ ମିନିଟ୍ରେ ଭ୍ରମଣକାରୀ ଦଳ ଆଉ ଏକ ପିସି ପାଇଥିଲା। ଏହାକୁ ଅଧିନାୟକ ମାର୍କ ମିରାଲେସ୍ ଗୋଲ୍ରେ ପରିଣତ କରି ଦଳକୁ ୨-୦ରେ ଆଗୁଆ ରଖିଥିଲେ। ଏହି ସମାନ ମିନିଟ୍ରେ ଭାରତ ମଧ୍ୟ ପେନାଲ୍ଟି କର୍ଣ୍ଣର ଅର୍ଜନ କରିବା ସହ ଗୋଟିଏ ଗୋଲ୍ ଶୁଝି ଦେଇଥିଲା। ଭାରତୀୟ ଅଧିନାୟକ ହର୍ମନପ୍ରୀତ ସିଂହ (୨୭ ମିନିଟ୍) ସ୍ପେନ୍ ଗୋଲ୍ ପୋଷ୍ଟକୁ ବଲ୍ ପଠାଇ ସ୍ଥିତି ୧-୨ କରିଥିଲେ। ଏହାର ଦୁଇ ମିନିଟ୍ ପରେ ଭାରତ ଆଉ ଏକ ପେନାଲ୍ଟି କର୍ଣ୍ଣର ପାଇ ସ୍ଥିତି ବରାବର ସୁଯୋଗ ପାଇଥିଲେ ମଧ୍ୟ ସଫଳ ହୋଇନଥିଲା।
ତୃତୀୟ କ୍ବାର୍ଟରରେ ମଧ୍ୟ ଉଭୟ ଦଳ ଆକ୍ରମଣାତ୍ମକ ଖେଳିଥିଲେ। କିନ୍ତୁ ୩୪ତମ ମିନିଟ୍ରେ ଭାରତ ପେନାଲ୍ଟି କର୍ଣ୍ଣର ପାଇଥିଲେ ମଧ୍ୟ ପୁଣି ଗୋଲ୍ ଦେବାରେ ବିଫଳ ହୋଇଥିଲା। ଏହାପରେ ଭ୍ରମଣକାରୀ ଦଳ ୩୭, ୩୮, ୪୦ ମିନିଟ୍ରେ ୩ ପେନାଲ୍ଟି ପାଇଥିଲେ ମଧ୍ୟ ଭାରତୀୟ ରକ୍ଷଣଭାଗ ଏହାକୁ ନିଷ୍ଫଳ କରିଦେଇଥିଲେ। ଏହି କ୍ବାର୍ଟରର ଶେଷ ମିନିିଟ୍ରେ ଭାରତ ମଧ୍ୟ ଗୋଟିଏ ପେନାଲ୍ଟି ପାଇ ଗୋଲ୍ ଶୁଝିବାର ସୁଯୋଗ ହାତଛଡ଼ା କରିଥିଲା। ଫଳରେ ତୃତୀୟ କ୍ବାର୍ଟର ଗୋଲ୍ଶୂନ୍ୟରେ ଶେଷ ହୋଇଥିଲା।
ଚତୁର୍ଥ କ୍ବାର୍ଟରରେ ଭାରତ ପୂରା ଜୋସ୍ ସହ ପଡ଼ିଆକୁ ଫେରିଥିଲା। ବଲ୍ ମଧ୍ୟ ନିଜ ନିୟଂତ୍ରଣରେ ରଖୁଥିଲା ଏବଂ ସ୍ପେନ୍କୁ କୌଣସି ସୁଯୋଗ ଦେଉନଥିଲା। ଏଥିସହ ଭ୍ରମଣକାରୀ ଦଳର ଗୋଲ୍ ପୋଷ୍ଟକୁ ଘନଘନ ଆକ୍ରମଣ କରି ସୁଯୋଗ ସୃଷ୍ଟି କରୁଥିଲା। ହେଲେ ସ୍ପେନ୍ର ରକ୍ଷଣଭାଗ ଭେଦ କରିବାରେ ବିଫଳ ହେଉଥିଲା। ୫୨ତମ ମିନିଟ୍ରେ ପେନାଲ୍ଟି କର୍ଣ୍ଣର ଭାରତ ମଧ୍ୟ ଅର୍ଜନ କରିନେଇଥିଲା। ଏହାକୁ ମଧ୍ୟ ଗୋଲ୍ରେ ପରିଣତ କରିବାରେ ବିଫଳ ହୋଇଥିଲା। ଏହାର ୩ ମିନିଟ୍ ପରେ ଅଭିଷେକ (୫୫ ମିନିଟ୍) ଫିଲ୍ଡ ଗୋଲ୍ ଜରିଆରେ ସ୍ଥିତି ସମାନ କରି ଭାରତୀୟ ଶିବିରରେ ଖୁସି ଖେଳାଇ ଦେଇଥିଲେ। ତେବେ ଏହି ଖୁସି ବେଶୀ ସମୟ ରହିନଥିଲା। ୫୭ତମ ମିନିଟ୍ରେ ସ୍ପେନ୍ର ମାର୍କ ରିନି ଫିଲ୍ଡ ଗୋଲ୍ ଦେଇ ଦଳକୁ ୩-୨ରେ ଆଗୁଆ କରିଥିଲେ। ଶେଷ ୩ ମିନିଟ୍ ଭାରତ ଗୋଲ୍ ଦେବାକୁ ଆପ୍ରାଣ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇନଥିଲା। ଫଳରେ ସ୍ପେନ୍ ବିପକ୍ଷରେ ଚଳିତ ପ୍ରୋ ଲିଗ୍ରେ ଭାରତ ପ୍ରଥମ ପରାଜୟ ବରଣ କରିଥିଲା।