୩୦ ବରିଷ୍ଠ ଆଇଏଏସଙ୍କୁ ଜିଲା ଦାୟିତ୍ୱ : ତଦାରଖ କରିବେ, ସମାଧାନ ଖୋଜିବେ
ଭୁବନେଶ୍ୱର : ତୃଣମୂଳସ୍ତରରେ ବିଭିନ୍ନ ସରକାରୀ ଯୋଜନା, କାର୍ଯ୍ୟକ୍ରମ ଓ ପ୍ରକଳ୍ପ କାର୍ଯ୍ୟକାରିତାର ତଦାରଖ, ସାଧାରଣ ଲୋକଙ୍କୁ ଜନସେବା ପ୍ରଦାନ ସହ ସ୍ଥାନୀୟ ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ରାଜ୍ୟର ବରିଷ୍ଠ ଆଇଏଏସ୍ ଅଫିସରମାନଙ୍କୁ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାର ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ମୋଟ୍ ୩୦ଟି ଜିଲା ପାଇଁ ୩୦ ଜଣ ବରିଷ୍ଠ ଆଇଏଏସଙ୍କୁ ନିଯୁକ୍ତି ଦିଆଯାଇଛି ।
ସେମାନଙ୍କୁ ନିୟମିତ ଭାବେ ଆବଣ୍ଟିତ ଜିଲା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମର ତଦାରଖ କରିବା ସହ ସ୍ଥାନୀୟ ପ୍ରଶାସନିକ ସମସ୍ୟାର ସମାଧାନ ଖୋଜିବେ । ସମ୍ପୃକ୍ତ ଅଫିସରମାନେ ଜିଲା ଗସ୍ତର ସମ୍ପୂର୍ଣ୍ଣ ବିବରଣୀ ମୁଖ୍ୟ ସଚିବଙ୍କ ଅଫିସକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ରାଜ୍ୟର ୧୦ଟି ଆକାଂକ୍ଷା ଜିଲା ଆବଂଟିତ ହୋଇଥିବା ଆଇଏଏସଙ୍କୁ ସ୍ୱତନ୍ତ୍ର ଭାବେ ସବୁ ମାନଦଣ୍ଡ ପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଥିବା ଜଣାପଡ଼ିଛି ।
ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ, ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶ୍ରୀମତୀ ବୃନ୍ଦା ଡିଙ୍କୁ ଅନୁଗୁଳ ଜିଲା ଆବଂଟିତ ହୋଇଥିବାବେଳେ ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ବଲାଙ୍ଗିର, ଶ୍ରମ ଆୟୁକ୍ତ ଏନ୍ ଥିରୁମାଳା ନାଏକଙ୍କୁ ବାଲେଶ୍ୱର, ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକଙ୍କୁ ବରଗଡ଼, ସ୍ପେଶାଲ ପ୍ରୋଜେକ୍ଟର ନିର୍ଦ୍ଦେଶକ ଅରିନ୍ଦମ ଡାକୁଆଙ୍କୁ ଭଦ୍ରକ, ପଂଚାୟତିରାଜ ବିଭାଗର ଅତିରିକ୍ତ ସଚିବ ଗୁହା ପୁନମ ତାପସ କୁମାରଙ୍କୁ ବୌଦ୍ଧ, ମିଶନ ଶକ୍ତି ସଚିବ ସୁଜାତା ଆର କାର୍ତ୍ତିକେୟନଙ୍କୁ କଟକ, ଉତ୍ତରାଂଚଳ ଆରଡିସି ସୁରେଶ ଚନ୍ଦ୍ର ଦଳେଇଙ୍କୁ ଦେବଗଡ଼, ଇଆଣ୍ଡଆଇଟି ସଚିବ ମନୋଜ କୁମାର ମିଶ୍ରଙ୍କୁ ଢେଙ୍କାନାଳ, ଶ୍ରମ ଓ ନିଯୁକ୍ତି ସଚିବ ଚିତ୍ରା ଅରୁମଗମଙ୍କୁ ଗଜପତି, ସ୍କୁଲ ଓ ଗଣଶିକ୍ଷା ସଚିବ ଏସ୍ ଅଶ୍ୱସ୍ଥିଙ୍କୁ ଗଞ୍ଜାମ, ବିଜ୍ଞାନ ଓ କାରିଗରି କୌଶଳ ସଚିବ ଭାସ୍କରଜ୍ୟୋତି ଶର୍ମାଙ୍କୁ ଯାଜପୁର ଜିଲା ଆବଣ୍ଟିତ ହୋଇଛି ।