ଗୁରୁତର ହେଉଛି ଋଷିଆ-ୟୁକ୍ରେନ ଯୁଦ୍ଧ ! ପୁଣି ଭାରତୀୟଙ୍କ ପାଇଁ ଚେତାବନୀ ଜାରି କଲା ଭାରତୀୟ ଦୂତାବାସ
ନୂଆଦିଲ୍ଲୀ : ଦିନକୁ ଦିନ ଗୁରୁତର ହେବାରେ ଲାଗିଛି ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ। ଏହାକୁ ନଜରରେ ରଖି ୟୁକ୍ରେନ ଠାରେ ରହୁଥିବା ଭାରତୀୟ ନାଗରିକଙ୍କ ପାଇଁ ଚେତାବନୀ ଜାରି କରିଛି ଭାରତୀୟ ଦୂତାବାସ। ଭାରତୀୟ ନାଗରିକଙ୍କୁ ଯଥାଶୀଘ୍ର ୟୁକ୍ରେନ ଛାଡିବାକୁ ନିବେଦନ କରିଛି ଦୂତାବାସ। ଏନେଇ ଦୂତାବାସ ପକ୍ଷରୁ କୁହାଯାଇଛି ଯେ ୟୁକ୍ରେନ ଠାରେ ଚାଲିଥିବା ବିବାଦର ତୀବ୍ରତାକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକଙ୍କୁ ୟୁକ୍ରେନ ମଧ୍ୟରେ ଅନାବଶ୍ୟକ ଭ୍ରମଣ କରିବାରୁ ଦୂରେଇ ରୁହନ୍ତୁ।
ବୁଧବାର ଜାରି ହୋଇଥିବା ଚେତାବନୀରେ କୁହାଯାଇଛି ଭାରତୀୟ ନାଗରିକ ୟୁକ୍ରେନ ସରକାର ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ସୁରକ୍ଷା ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରନ୍ତୁ। ୟୁକ୍ରେନର ଅନ୍ୟାନ୍ୟ ସ୍ଥାନରେ ବିସ୍ଫୋରଣ ଘଟିଥିବାର ଖବର ମିଳିଛି। ଭାରତୀୟ ଯଥାଶୀଘ୍ର ୟୁକ୍ରେନ ଛାଡନ୍ତୁ। ୟୁକ୍ରେନ ମଧ୍ୟରେ ଅନାବଶ୍ୟକ ଭ୍ରମଣ କରିବାରୁ ଦୂରେଇ ରୁହନ୍ତୁ। ଏଭଳି ଚେତାବନୀ ୟୁକ୍ରେନ ଠାରେ ରହୁଥିବା ଭାରତୀୟ ନାଗରିକଙ୍କ ପାଇଁ ଜାରି କରିଛି ଭାରତୀୟ ଦୂତାବାସ। ଏହା ପୂର୍ବରୁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ ୟୁକ୍ରେନରେ ବିବାଦ ବଢିବାରୁ ଆମେ ଗଭୀର ଭାବେ ଚିନ୍ତିତ। ଯେଉଁଥିରେ ଭିତ୍ତିଭୂମି ତଥା ସାଧାରଣ ନାଗରିକଙ୍କ ମୃତ୍ୟୁ ଲକ୍ଷ୍ୟ ରହିଛି। ଆମେ ଦୋହରାଉଛୁ ଯେ ଶତ୍ରୁତା ବୃଦ୍ଧି କରିବା କାହାର ସ୍ୱାର୍ଥରେ ନୁହେଁ।
Advisory for Indian Nationals@MEAIndia @DDNewslive @DDNational @PIB_India @IndianDiplomacy pic.twitter.com/bu4IIY1JNt
— India in Ukraine (@IndiainUkraine) October 19, 2022
ପୂ୍ର୍ବରୁ ଋଷିଆ ପକ୍ଷରୁ କରାଯାଇଥିବା କ୍ଷେପଣାସ୍ତ୍ର ଆକ୍ରମଣ ପରେ ୟୁକ୍ରେନ ରାଜଧାନୀ କୀଭସ୍ଥିତ ଭାରତୀୟ ଦୂତାବାସ ଭାରତୀୟ ନାଗରିକଙ୍କ ଲାଗି ଚେତାବନୀ ଜାରି କରିସାରିଛି। ଅନ୍ୟାବଶ୍ୟକ ୟୁକ୍ରେନ ଯାତ୍ରା କରିବାରୁ ଦୂରେଇ ରହିବା ପାଇଁ ଦୂତାବାସ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦେଇଛି। ୟୁକ୍ରେନ ଠାରେ ଉପସ୍ଥିତ ଥିବା ଭାରତୀୟଙ୍କୁ ସେମାନଙ୍କ ଉପସ୍ଥିତି ବାରେ ଅବଗତ କରିବାକୁ ଅନୁରୋଧ କରିଛି ଦୂତାବାସ। ଯାହା ଦ୍ୱାରା ଆବଶ୍ୟକ ହେଲେ ସେମାନଙ୍କ ସହ ଯୋଗାଯୋଗ କରାଯାଇ ପାରିବ। ଏହା ସହିତ ଭାରତୀୟ ନାଗରିକଙ୍କୁ ୟୁକ୍ରେନ ସରକାର ଏବଂ ସ୍ଥାନୀୟ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ସୁରକ୍ଷା ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ କୁହାଯାଇଛି।
ୟୁକ୍ରେନର ସୁରକ୍ଷା ଅବସ୍ଥା ଖରାପ ହେବା ସହ ସମ୍ପ୍ରତି ହୋଇଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ଦୂତାବାସ ଏହି ଚେତାବନୀ ଜାରି କରିଛି। ଅକ୍ଟୋବର ୧୯ ତାରିଖ ବୁଧବାର ଭାରତୀୟ ଦୂତାବାସ କହିଛି ଯେ ଭାରତୀୟ ନାଗରିକଙ୍କୁ ୟୁକ୍ରେନ ନ ଯିବାକୁ ପରାମର୍ଶ ଦିଆଯାଇଛି। ୟୁକ୍ରେନରେ ଅବସ୍ଥାନ କରୁଥିବା ଭାରତୀୟ ଛାତ୍ରଙ୍କ ସମେତ ନାଗରିକଙ୍କୁ ଯଥାଶୀଘ୍ର ୟୁକ୍ରେନ ଛାଡିବାକୁ ଦୂତାବାସ ପରାମର୍ଶ ଦେଉଛି।
ଅନ୍ୟପଟେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଚାରୋଟି ଅଞ୍ଚଳରେ ସାମରିକ ଆଇନ ଘୋଷଣା କରିଛନ୍ତି। ଏହି ଅଞ୍ଚଳ ହେଉଛି ଲୁହାନସ୍କ, ଡୋନେଟସ୍କ୍, ଜାପୋରିଜିଆ ଏବଂ ଖେରସନ। ଯୁ୍ଦ୍ଧରେ ଏହି ଅଞ୍ଚଳକୁ ଋଷିଆ ସେନା ୟୁକ୍ରେନ ଠାରୁ ଛଡ଼ାଇ ନେଇଛି। ସାମରିକ ଆଇନ ଘୋଷଣା କରାଯିବା ପରେ ଋଷିଆର ସମସ୍ତ ଆଞ୍ଚଳିକ ମୁଖ୍ୟଙ୍କୁ ଅତିରିକ୍ତ ଜରୁରୀକାଳୀନ ଶକ୍ତି ମିଳିଛି।
ବୁଧବାର ଆୟୋଜିତ ହୋଇଥିବା ଦେଶର ଜାତୀୟ ସୁରକ୍ଷା ପରିଷଦ ବୈଠକରେ ଯୋଗ ଦେଇଛନ୍ତି ରଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ବୈଠକକୁ ସମ୍ବୋଧିତ କରି ରାଷ୍ଟ୍ରପତି ପୁତିନ କହିଛନ୍ତି ଯେ ମୁଁ ଋଷୀୟ ସଂଘ ଉପରୋକ୍ତ ଚାରୋଟି ଅଞ୍ଚଳରେ ସାମରିକ ଆଇନ ପ୍ରଣୟନ କରିବାକୁ ଏକ ନିର୍ଦ୍ଦେଶରେ ଦସ୍ତଖତ କରିଛି। ଏହା ପରେ ଗୁରୁବାର ଆରମ୍ଭରୁ ଏହି ଅଞ୍ଚଳରେ ସାମରିକ ନିୟମ ଲାଗୁ ହେବ ବୋଲି ରଷ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କ୍ରେମଲିନ୍ ପକ୍ଷରୁ କୁହାଯାଇ ସାରିଛି।
ନିକଟରେ ଋଷିଆ ପକ୍ଷରୁ ୟୁକ୍ରେନ ଉପରେ ଆକ୍ରମଣକୁ ଜୋରଦାର କରାଯାଇଛି। ଅକ୍ଟୋବର ୧୭ ତାରିଖ ସୋମବାର ୟୁକ୍ରେନର ଅନେକ ସହରରେ ଡ୍ରୋନ୍ ଆକ୍ରମଣ କରାଯାଇଥିଲା। ୟୁକ୍ରେନ ପକ୍ଷରୁ କୁହାଯାଇଛି ଯେ ଡ୍ରୋନ୍ ଆକ୍ରମଣରେ ଜଣେ ଗର୍ଭବତୀ ମହିଳାଙ୍କ ସମେକ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏହାପୂର୍ବରୁ ୧୦ ଅକ୍ଟୋବରରେ ୟୁକ୍ରେନ ଉପରେ ଋଷିଆ ପ୍ରାୟ ୮୪ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଏହି ଆକ୍ରମଣରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି।