ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର କର୍ମଶାଳା
ବାଲେଶ୍ୱର : ବାଲେଶ୍ୱର ସହର ତାମୁଳିଆ ଫାଟକ ସ୍ଥିତ ଏକ ଘରୋଇ କଲ୍ୟାଣମଣ୍ଡପରେ ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ, ପୁରୀ ପକ୍ଷରୁ ରବିବାର ଏକ ବର୍ଣ୍ଣାଢ଼୍ୟ ଭାବମୟ ପରିବେଶରେ ଶହଶହ ଜଗନ୍ନାଥପ୍ରେମୀଙ୍କୁ ନେଇ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜଗନ୍ନାଥ ଧାମ ପୁରୀରୁ ଆସିଥିବା ଅତିଥିମାନଙ୍କୁ ଶଙ୍ଖ ହୁଳାହୋଳି ଦ୍ୱାରା ସ୍ୱାଗତ କରାଯାଇଥିଲା ।
ପ୍ରଥମେ ପୂର୍ବାହ୍ନ ୧୦ଟା ସମୟରେ ଇନ୍ଦିରା ଗାନ୍ଧୀ ମାର୍ଗ ମାକଲପୁର ଠାରେ ପ୍ରତିଷ୍ଠାନର ନୂତନ କାର୍ଯ୍ୟାଳୟକୁ ରାଧାବଲ୍ଲଭ ମଠ ମହନ୍ତ ମହାରାଜ ରାମକୃଷ୍ଣ ଦାସ ନଡ଼ିଆ ଫଟାଇ ଉଦ୍ଘାଟନ କରିଥିଲେ । ୧୧ଟା ସମୟରେ ଏକ ଭାବ ଗମ୍ଭୀର ପରିବେଶରେ ମହାପ୍ରଭୁଙ୍କ ଧ୍ୟାନମନ୍ତ୍ର ଆବୃତ୍ତି କରି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ମହାସଚିବ ନରେଶ ଚନ୍ଦ୍ର ଦାଶ, ସେବାୟତ ପୂର୍ଣ୍ଣଚନ୍ଦ୍ର ଗୋଚ୍ଛିକାର, ରାଜ୍ୟ ସଭାପତି ସୁଦର୍ଶନ ଦାସ, ସଂଗଠନ ସଚିବ ଡ. କରୁଣାକର ପ୍ରଧାନ, ସଚିବ ପ୍ରକାଶନ ଅସିତ ମହାନ୍ତି, ଉତ୍ତରାଞ୍ଚଳ ସଭାପତି ଅଜିତ୍ କୁମାର କବାଟ, ରାଜ୍ୟ ଉପ-ସଭାପତି ପଦ୍ମନାଭ ସାହୁ ପ୍ରମୁଖ ଅତିଥିମାନଙ୍କୁ ପ୍ରତିଷ୍ଠାନର ଉତ୍ତରାଞ୍ଚଳ ସମ୍ପାଦକ ବିକାଶ କୁମାର ଦାସ ପରିଚୟ ପ୍ରଦାନ କରିଥିଲେ । ଉତ୍ସବରେ ଅତିଥିମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ ବାଲେଶ୍ୱର ଜିଲା ସଭାପତି ଭବାନୀ ଶଙ୍କର ଦାଶ । ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରିଥିବା ପ୍ରଭାସ କୁମାର ଦାସ, ନିତ୍ୟାନନ୍ଦ କର, ମନୋଜ କୁମାର ପ୍ରଧାନ, ବିଶ୍ୱଜିତ୍ ଆଚାର୍ଯ୍ୟ, ଭାଗବତ ପତିଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଭକ୍ତମାନଙ୍କର ମନୋରଞ୍ଜନ କରାଯାଇଥିଲା ।