ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଦୃଶ୍ୟ-ଶ୍ରାବ୍ୟ ଷ୍ଟୁଡିଓ ଉନ୍ମୋଚନ
ବାଲେଶ୍ୱର : ଭାରତୀୟ ଦୂରଦର୍ଶନ ଦିବସ ଅବସରରେ ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ଓ ଗଣମାଧ୍ୟମ ବିଭାଗ ଆନୁକୂଲ୍ୟରେ ଏକ ଦୃଶ୍ୟ-ଶ୍ରାବ୍ୟ ଷ୍ଟୁଡିଓ ଉନ୍ମୋଚନ କରାଯାଇଛି । ବିଭାଗମୁଖ୍ୟ ଡ. ଭାରତୀବାଳା ପଟ୍ଟନାୟକ ଏହିପରି ଏକ ଷ୍ଟୁଡିଓ ପ୍ରତିଷ୍ଠିତ ହେବାଦ୍ୱାରା ଛାତ୍ରଛାତ୍ରୀ ମାନଙ୍କର ବ୍ୟବହାରିକ ଓ ପ୍ରାୟୋଗିକ ଜ୍ଞାନବୃଦ୍ଧି କ୍ଷେତ୍ରରେ ଯଥେଷ୍ଟ ସହାୟକ ହୋଇପାରିବ ବୋଲି ମତ ଦେଇଥିଲେ ।
ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର୍ ମୁନେଶ୍ ଚନ୍ଦ୍ର ଅଧିକାରୀ ଏକବିଂଶ ଶତାବ୍ଦୀରେ ମଣିଷ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସହିତ ତାଳଦେଇ ଚାଲୁଥିବା ସମୟରେ ଏହି ଷ୍ଟୁଡିଓ ବିଭାଗୀୟ ଛାତ୍ରଛାତ୍ରୀ ମାନଙ୍କର ପ୍ରୟୋଗଶାଳା ରୂପେ ବ୍ୟବହୃତ ହେବା ସହିତ ଅନ୍ୟାନ୍ୟ ଗଠନାତ୍ମକ କାର୍ଯ୍ୟରେ ବିଶେଷ ସହାୟକ ହୋଇପାରିବ ବୋଲି ମତ ଦେଇଥିଲେ । କନକ ଟିଭିର ସମ୍ପାଦକ ମନୋରଞ୍ଜନ ମିଶ୍ର ଆଭାସୀ ମାଧ୍ୟମରେ ଯୋଗଦେଇ ଦୂରଦର୍ଶନ ଚ୍ୟାନେଲର ବାର୍ତ୍ତମାନିକ ସ୍ଥିତି ଓ ଭବିଷ୍ୟତ ସମ୍ଭାବନା ସମ୍ପର୍କରେ ମତଦେଇ ମୁକ୍ତ ବ୍ୟବସ୍ଥା ନ ରହିଲେ ସର୍ଜନଶୀଳତା ବା ମକ୍ସରବଗ୍ଧସଙ୍ଖସଗ୍ଧଚ୍ଚ ସମ୍ଭବ ହୋଇପାରେନା ବୋଲି ପ୍ରକାଶ କରିଥିଲେ । ମଣିଷର ମୌଳିକ ଆବଶ୍ୟକତା ଦୁରଦର୍ଶନ ପୂରଣ କରିଛି ବୋଲି ସେ ମଧ୍ୟ ପ୍ରକାଶ କରିଥିଲେ । ସମାଜ (କଟକ) ର ମୁଖ୍ୟ ସମ୍ପାଦକ ଡ. ପ୍ରଭାସ ଆଚାର୍ଯ୍ୟ ବୈଦ୍ୟୁତିକ ଆନ୍ତର୍ଜାତିକ ମାଧ୍ୟମରେ ଉପସ୍ଥିତ ରହି ଷ୍ଟୁଡିଓର ଆବଶ୍ୟକତା ଓ ଉପଯୋଗୀତା ସମ୍ପର୍କରେ ଆଲୋଚନା କରି ନିରପେକ୍ଷ ସମ୍ବାଦ ପରିବେଷଣ ଦୂରଦର୍ଶନ ତଥା ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକର ଶ୍ରେଷ୍ଠ ମର୍ଯ୍ୟାଦା ବୋଲି ମତ ଦେଇଥିଲେ । ସେହିପରି ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ୱରର ନିର୍ଦ୍ଦେଶକ ବଦ୍ରି ନାରାୟଣ ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ବାଦ ସଂଗ୍ରହ ଓ ପରିବେଷଣ କ୍ଷେତ୍ରରେ ସମ୍ମୁଖିନ ହେଉଥିବା ବିଭିନ୍ନ ଆହ୍ୱାନ ଉପରେ ଆଲୋକପାତ କରି ମାନସିକତା ନିର୍ମାଣ ଓ ସୁସ୍ଥସମାଜ ଗଠନ ଦିଗରେ ଗଣମାଧ୍ୟମ ଗୁଡ଼ିକର ଯଥେଷ୍ଟ ଭୂମିକା ରହିଛି ବୋଲି ପ୍ରକାଶ କରିଥିଲେ । ସମ୍ପ୍ରତି ନ୍ୟୁ ମିଡିଆ କିପରି ଇନଷ୍ଟାଣ୍ଟ୍ ମିଡିଆର ସ୍ଥାନ ଗ୍ରହଣ କରି କ୍ଷୀପ୍ର ଭାବରେ ସମ୍ବାଦ ସରବରାହରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି ସେ ସମ୍ପର୍କରେ ମଧ୍ୟ ଶ୍ରୀଯୁକ୍ତ ଅଧିକାରୀ ମତ ପ୍ରକାଶ କରିଥିଲେ । କୁଳପତି ପ୍ରଫେସର୍ ସନ୍ତୋଷ କୁମାର ତ୍ରିପାଠୀ ସାମ୍ବାଦିକତା ଓ ଗଣମାଧ୍ୟମ ବିଭାଗର ଛାତ୍ରଛାତୀ ମାନଙ୍କର ଜୀବନ ଗଠନର ମାନଦଣ୍ଡ ରୂପେ ଏହି ଷ୍ଟୁଡିଓ ଭୂମିକା ଗ୍ରହଣ କରିବ ଏବଂ ଶୈକ୍ଷିକ ଉପାଦାନ ଯୋଗାଇବାରେ ମଧ୍ୟ ଏହା କାର୍ଯ୍ୟରେ ଆସିବ ବୋଲି ଆଶାବ୍ୟକ୍ତ କରିଥିଲେ । ଅଧ୍ୟାପିକା ଡ. ସ୍ମୃତି ପାଢ଼ୀ ଏଥିରେ ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପରିପ୍ରେକ୍ଷୀରେ ସାମ୍ବାଦିକତା ଓ ଗଣମାଧ୍ୟମ ବିଭାଗର ମୁଖପତ୍ର “ମନୋଭୂମି” ଓ ବିଭାଗର ନ୍ୟୁଜ୍ ଲେଟର୍ ଉନ୍ମୋଚିତ ହୋଇଥିଲା । ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ ନାଟକ ମଧ୍ୟ ମଞ୍ଚସ୍ଥ ହୋଇଥିଲା ।