ଅହିଂସା ରଥକୁ ବାରିପଦାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା
ବାରିପଦା : ଚଳିତ ବର୍ଷ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ପାଳନ କରୁଥିବା ବେଳେ ଏହି ବର୍ଷକୁ ସ୍ମରଣୀୟ କରିବା ଲାଗି ରାଜ୍ୟ ସରକାର ଉଦ୍ୟମ କରିଛନ୍ତି । ଦେଶବାସୀଙ୍କ ମନରେ ଦେଶପ୍ରେମ ଜାଗ୍ରତ କରିବା ଲାଗି ଏଭଳି ଅହିଂସା ରଥର ଶୁଭାରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ୱାଧୀନତା ଦିବସରେ ଶୁଭାରମ୍ଭ ହୋଇଥିବା ଅହିଂସା ରଥ ଆଜି ବାରିପଦା ସହର ପରିକ୍ରମା କରିଛି । ରଥ ବାରିପଦାରେ ପହଂଚିବା ପରେ ବିରାଟ ପଟୁଆରରେ ଏହି ରଥକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଦୁଇଟି ଅହିଂସା ରଥ ଜିଲ୍ଲାର ବିଭିନ୍ନ ରାସ୍ତା ଦେଇ ପରିକ୍ରମା କରିଥିବା ସହିତ ଦେଶପ୍ରେମ ଓ ଅହିଂସାର ବାର୍ତ୍ତା ବାଣ୍ଟୁଛି । ବିଭିନ୍ନ ବର୍ଗର ଲୋକେ ଅହିଂସା ରଥକୁ ଭବ୍ୟ ସ୍ୱାଗତ ଜଣାଇ ଶୋଭାଯାତ୍ରାରେ ସାମିଲ ହେଇଛନ୍ତି । ବିଶାଳ ଶୋଭାଯାତ୍ରାରେ ବିଭିନ୍ନ ଅନୁଷ୍ଠାନର କର୍ମଚାରୀ ତଥା ସମସ୍ତ ସ୍କୁଲ ଛାତ୍ରଛାତ୍ରୀ, ଜିଲ୍ଲା ପ୍ରଶାସନ ପକ୍ଷରୁ ଅଂଶ ଗ୍ରହଣ କରିଥିଲେ । ଅହିଂସା ରଥକୁ ଏକ ଭବ୍ୟ ପରିବେଶ ମଧ୍ୟରେ ସ୍ୱାଗତ କରାଯାଇଥିବା ବେଳେ ବଡ଼ ଜଗନ୍ନାଥ ମନ୍ଦିର, ବଡ଼ବଜାର ସମେତ ବିଜୁ ପଟ୍ଟନାୟକ ଗୋଳାଇ ଠାରେ ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ଓ ସଙ୍ଗଠନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏଥି ସହିତ ବାରିପଦା ପୌରପାଳିକା କାର୍ଯ୍ୟାଳୟ ପରିସରରେ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।କଳାକାରମାନଙ୍କ ଚିତାକର୍ଷକ ପାରମ୍ପାରିକ ନୃତ୍ୟ ପରିବେଷଣ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ୱାରା ଜାତୀୟ ପତାକା ଧରି ଅହିଂସା ରଥକୁ ସ୍ୱାଗତ କରିବାର ଦୃଶ୍ୟ ବେଶ ମନ ମୁଗ୍ଧକର ହୋଇଥିଲା । ନୃତ୍ୟ, ସଙ୍ଗୀତର ତାଳେ ତାଳେ ବିରାଟ ଶୋଭାଯାତ୍ରାରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଜନତା । ସେହିପରି ବାରିପଦା ବ୍ଲକ ପରିସର ରେ ମଧ୍ୟ ଏହି ଅହିଂସା ରଥକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।