ଉଡାଣ ଯୋଜନାରେ ସାମିଲ ହେଲା ବାରିପଦା ଜିଲ୍ଲା ସହରରେ ଖୁସିର ଲହରୀ
ବାରିପଦା : କେନ୍ଦ୍ର ସରକାରଙ୍କ ଉଡାଣ ଯୋଜନାର ପଂଚମ ପର୍ଯ୍ୟାୟରେ ଦେଶର ୫୦ ଅଭୟାରଣ୍ୟ, ତୀର୍ଥକ୍ଷେତ୍ର ଏବଂ ପର୍ଯ୍ୟଟନସ୍ଥଳୀକୁ ଏୟାର ଷ୍ଟ୍ରିପ ଦ୍ୱାରା ସଂଯୋଗ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନିଷ୍ପତି ନେଇଥିବା ବେଳେ, ଓଡିଶାର ୪ଟି ସହର ମଧ୍ୟରୁ ମୟୂରଭଂଜ ଜିଲ୍ଲାର ସଦର ମହକୁମା ବାରିପଦା ସହରକୁ ସାମିଲ କରାଯାଇଥିବାରୁ ଜିଲ୍ଲାରେ ଖୁସିର ଲହରି ଖେଳି ଯାଇଛି । ଓଡ଼ିଶାର ମାଲକାନଗିରି, ହୀରାକୁଦ, କୋଣାର୍କ ଏବଂ ବାରିପଦାରେ ଏୟାରଷ୍ଟ୍ରିପ ନିର୍ମାଣ କରାଯାଇ ଏହାକୁ ବାୟୁପଥ ସହ ସଂଯୋଗ କରାଯାଇ ଆଂଚଳିକ ସ୍ଥାନଗୁଡିକୁ ଦେଶର ମୁଖ୍ୟ ବାୟୁପଥ ସହ ଯୋଡିବାକୁ ଉଡାଣ ଯୋଜନାରେ ଗୁରୁତ୍ୱ ଦିଆଯାଇଥିଲା ବେଳେ ଏବେ ବିଭିନ୍ନ ରାଜ୍ୟର ଦୂର ଦୂରାନ୍ତ ଅଂଚଳରେ ରହିଥିବା ଅଭୟାରଣ୍ୟ, ପର୍ଯ୍ୟଟନସ୍ଥଳ ଏବଂ ତୀର୍ଥକ୍ଷେତ୍ର ଗୁଡିକୁ ବିମାନପଥ ସହ ଯୋଡିବାକୁ ଉଦ୍ୟମ କରାଯାଇଛି । ଏହିକ୍ରମରେ ଓଡ଼ିଶାର ବାରିପଦା ସହ ଦେଶର ୧୦ ଟି ଅଭୟାରଣ୍ୟ, କୋଣାର୍କ ସମେତ ୨୯ଟି ପର୍ଯ୍ୟଟନ ସ୍ଥଳ ଏବଂ ଅନ୍ୟ ତୀର୍ଥ କ୍ଷେତ୍ରକୁ ବିମାନପଥ ସହ ସଂଯୋଗ କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ତେବେ ବାରିପଦା ଉଡାଣ ଯୋଜନାରେ ସାମିଲ ହୋଇଥିବା ବେଳେ ଆଗକୁ ଏଠାରୁ ବିମାନ ଉଡିଲେ ଜିଲ୍ଲାରେ ପର୍ଯ୍ୟଟନ ଓ ଶିଳ୍ପର ବିକାଶ ଦିଗରେ ଏହା ବେଶ ସହାୟକ ହେବ ବୋଲି ଜଣା ଯାଇଛି । ତେବେ ପୂର୍ବରୁ ଜିଲ୍ଲାର ରାସଗୋବିନ୍ଦ ପୁର ଠାରେ ଥିବା ୨ୟ ବିଶ୍ୱଯୁଦ୍ଧ୍ୟ ବେଳର ବିମାନ ଘାଟି ଉଡାଣ ଯୋଜନାରେ ସାମିଲ ହୋଇ ସାରିଥିବାର ଜଣାଯାଇଛି ।