ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ
ରୂପସା : ବାଲେଶ୍ୱର ଜିଲା ସିଂଲା ଥାନା ସାହାଡ଼ା ପଞ୍ଚାୟତ ଅନ୍ତର୍ଗତ ସାହାଡ଼ା ଗ୍ରାମର ଜଣେ ଯୁବକ ବିଦ୍ୟୁତ ସଂସ୍ପର୍ଶରେ ଆସି ସୋମବାର ମୃତ୍ୟୁ ବରଣ କରିଛନ୍ତି । ମୃତ ଯୁବକ ହେଲେ ଅମୁଲ୍ୟ ବରଙ୍କ ପୁଅ ଚନ୍ଦ୍ରକାନ୍ତ ବର (୨୨) ।
ପ୍ରକାଶ ଯେ, ଚନ୍ଦ୍ରକାନ୍ତ ସକାଳ ସମୟରେ ବିଲକୁ କାମ କରିବା ପାଇଁ ଯାଇଥିଲେ । ଏହା ପରେ ଘରକୁ ଫେରି ଆସିଲା ବେଳକୁ ଘର ନିକଟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ସେଠାରେ ସଂଜ୍ଞାହୀନ ହୋଇଥିଲେ । ପରିବାର ଲୋକ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଏ ସଂକ୍ରାନ୍ତରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରାଇଛି । ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି । ତାଙ୍କ ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।