ଅବସରପ୍ରାପ୍ତ ଅଧିକାରୀଙ୍କ ଠାରୁ ଠକେଇ ମାମଲା ; ଦିଲ୍ଲୀରୁ ନାଇଜେରୀୟ ଦମ୍ପତ୍ତି ଗିରଫ
ବାଲେଶ୍ୱର : ବାଲେଶ୍ୱର ସହର ସହଦେବଖୁଣ୍ଟା ଥାନା ବାଲିଆ ଅଞ୍ଚଳର ଜଣେ ଅବସରପ୍ରାପ୍ତ ସରକାରୀ ଅଧିକାରୀଙ୍କ ଠାରୁ ଅନଲାଇନରେ ବିଦେଶୀ ମହିଳାଙ୍କ ନାଁରେ ଫେସବୁକ, ହ୍ୱାଟସଆପ ଆକାଉଣ୍ଟ ଖୋଲି ଚାଟିଂ କରି ୩୦ଲକ୍ଷ ଟଙ୍କା ଠକେଇ ମାମଲାରେ ନୂଆଦିଲ୍ଲୀରୁ ନାଇଜେରୀୟ ଦମ୍ପତ୍ତି ଗିରଫ ହୋଇଛନ୍ତି । ଗିରଫ ଦ୍ୱୟ ହେଲେ ଇମାନୁଏଲ ଏନ୍ନାମନି (୩୫) ଓ ପତ୍ନୀ ଟି ସୁଚିମ୍ ତିଖିର (୩୨) ନାମକ ଜଣେ ନାଗାଲାଣ୍ଡ ମହିଳା । ସେମାନଙ୍କ ନିକଟରୁ ୨ଟି ଲାପଟପ୍, ଗୋଟିଏ କାର୍, ଗୋଟିଏ ଡଙ୍ଗଲ, ଅବଧି ସରିଥିବା ୨ଟି ପାସପୋର୍ଟ, ଗୋଟିଏ ଏସ୍ବିଆଇ ପାସବୁକ୍, ୨ଟି ସୁନା ଚେନ୍, ଗୋଟିଏ ମୁଦି ସହ ୭ଟି ମୋବାଇଲ ଜବତ କରାଯାଇଛି ।
ସୂଚନା ଯେ, ବାଲିଆ ଅଞ୍ଚଳର ଅବସରପ୍ରାପ୍ତ ସରକାରୀ ଅଧିକାରୀ ଜଣକ ଠକେଇର ଶିକାର ହେବା ପରେ ବାଲେଶ୍ୱର ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ । ଏନେଇ ଗତ ୨୦୨୨ ଏପ୍ରିଲ ୧୩ ତାରିଖରେ ମାମଲା ରୁଜୁ ହୋଇଥିଲା । ମାମଲା ଅନୁଯାୟୀ ଉକ୍ତ ଅବସରପ୍ରାପ୍ତ ସରକାରୀ ଅଧିକାରୀଙ୍କ ସହ ଅଭିଯୁକ୍ତ ଏକ ନକଲି ଫେସବୁକ୍ ଆକାଉଣ୍ଟ ଜରିଆରେ ବନ୍ଧୁତା ସ୍ଥାପନ କରିଥିଲା । ପରେ ତାଙ୍କ ହ୍ୱାଟ୍ସଆପ୍ ନମ୍ବର ସଂଗ୍ରହ କରି କିଛି ଦିନ ଚାଟିଂ କରିବା ସହ ଲଣ୍ଡନରୁ ରୋଲେକ୍ସ ଘଡ଼ି ଓ ଆଇଫୋନ୍ ଭଳି ଦାମୀ ଉପହାର ପଠାଇବା ନେଇ ଲୋଭ ଦେଖାଇଥିଲା । କିଛିଦିନ ପରେ ଅଭିଯୁକ୍ତ ନିଜକୁ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରର କଷ୍ଟମ୍ ଅଧିକାରୀ ଭାବେ ପରିଚୟ ଦେଇ ତାଙ୍କର କିଛି ସାମଗ୍ରୀ ବିଦେଶରୁ ଆସିଛି, କଷ୍ଟମ୍ ଚାର୍ଜ ପୈଠ କଲେ ସାମଗ୍ରୀ ପଠାଇବେ ବୋଲି କହିଥିଲେ । ଅଭିଯୋଗକାରୀ ମଧ୍ୟ ତାଙ୍କ କଥା ଅନୁସାରେ ଟଙ୍କା ପଠାଇଥିଲେ । ଭିନ୍ନଭିନ୍ନ ଆକାଉଣ୍ଟକୁ ପ୍ରାୟ ୩୦ ଲକ୍ଷ ଟଙ୍କା ପଠାଇ ସାରିବା ପରେ ସେପଟୁ କୌଣସି ସାମଗ୍ରୀ ନଆସିବାରୁ ଓ ଯୋଗାଯୋଗ ନହେବାରୁ ସେ ଠକାମୀର ଶିକାର ହୋଇଥିବା ଜାଣିପାରିଥିଲେ । ଏ ନେଇ ସେ ସାଇବର ଥାନାରେ ଅଭିଯୋଗ କରିବା ପରେ ଆଇଆଇସି ମୀନା ବିନ୍ଧାଣୀ ଅଭିଯୁକ୍ତର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିଥିଲେ । ଅଭିଯୋଗକାରୀଙ୍କ ନିକଟକୁ ଆସିଥିବା କଲ୍, ହ୍ୱାଟ୍ସଆପ୍ ମେସେଜ୍, ବ୍ୟାଙ୍କ ଆକାଉଣ୍ଟ ଆଦିକୁ ଖୋଳତାଡ଼ କରିବା ପରେ ଗୋଟିଏ ନମ୍ବରକୁ ଟ୍ରାକ କରି କିଛି ତଥ୍ୟ ହାତେଇ ଥିଲେ । ପରେ ଠକେଇର ଜଣେ ପ୍ରମୁଖ ଅଭିଯୁକ୍ତ ନାଇଜେରୀୟ ଯୁବକ ସାମସନ ଏମିକେ ଆଲିଗା (୩୯)କୁ ଦିଲ୍ଲୀରୁ ଗିରଫ କରିବା ସହ ତାଙ୍କୁ ୩ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ବାଲେଶ୍ୱର ଅଣାଯାଇଥିଲା । ପରେ ସାଇବର ପୋଲିସ ଏହି ଘଟଣାରେ ଆଉ କେଉଁ ମାନଙ୍କ ଲିଙ୍କ୍ ରହିଛି ଅନୁସନ୍ଧାନ କରି ଏକ ସ୍ୱତନ୍ତ୍ର ଟିମ୍ ଦିଲ୍ଲୀ ଗସ୍ତ କରିଥିବା ବେଳେ ପୁଣି ନାଇଜେରିଆ ନାଗରିକ ଇମାନୁଏଲ ଏନ୍ନାମନିଙ୍କ ସହ ସ୍ତ୍ରୀ ଟି ସୁଚିମ୍ ତିଖିରକୁ ଗିରଫ କରିବାରେ ସମର୍ଥ ହୋଇଛି । ଏମାନଙ୍କୁ ପୋଲିସ ଦିଲ୍ଲୀର ମଇଦାନଗିରି ନାମକ ଅଞ୍ଚଳର ଏକ ଆପାର୍ଟମେଣ୍ଟରୁ ଗିରଫ କରିବାରେ ସମର୍ଥ ହୋଇଛି । ବିଶେଷକରି ଦିଲ୍ଲୀରେ ଏହି ନାଇଜେରିଆ ନାଗରିକ ମାନେ ସାଇବର ଠକେଇ କାର୍ଯ୍ୟରେ ଲିପ୍ତ ରହୁଥିବା ବେଳେ ଏହାର ଏକ ରାକେଟ କାର୍ଯ୍ୟ କରୁଥିବା ଜାଣିବାକୁ ପାଇଛି ।