ବୈତରଣୀରେ ସମ୍ଭାବ୍ୟ ବନ୍ୟା ପାଇଁ ଯାଜପୁର, ଭଦ୍ରକ ଜିଲାକୁ ଆଲର୍ଟ
ଭୁବନେଶ୍ୱର : ବୈତରଣୀରେ ସମ୍ଭାବ୍ୟ ବନ୍ୟା ପାଇଁ ଯାଜପୁର ଓ ଭଦ୍ରକ ଜିଲାକୁ ଆଲର୍ଟ କରାଯାଇଛି। ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି । ଆଖୁଆପଦାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ଉପରେ ରହିଛି । ସେଠାରେ ୧ ମିଟର ଉଚ୍ଚରେ ବନ୍ୟା ପାଣି ରହିଛି, କିଛି ସମୟ ପରେ ତାହା ଖସିବ ବୋଲି ସୂଚନା ଦେଇଛନ୍ତି ଏସଆରସି କହିଛନ୍ତି। କାଣୀନଦୀ ଘାଇ ମରାମତି ସରି ନ ଥିବାରୁ ପାଣି ବଢ଼ିଛି ।
ବୈତରଣୀ ନଦୀ ବିପଦ ସଙ୍କେତ ସ୍ତର ଠାରୁ ଏକ ମିଟର ଉପରେ ପ୍ରବାହିତ ହେଉଛି । ରବିବାର ଅପରାହ୍ନ ୫ଟା ସୁଦ୍ଧା ଆଖୁଆପଦାରେ ଜଳସ୍ତର ୧୮.୯୬ ମିଟର ରହିଛି । ଗତ ସପ୍ତାହରେ ହୋଇଥିବା ପ୍ରଥମ ବନ୍ୟାରେ ଆଖୁଆପଦା ଠାରେ ରେକର୍ଡ ହୋଇଥିବା ସର୍ବାଧିକ ଜଳସ୍ତର ୧୮.୭୫ ମିଟରକୁ ଅତିକ୍ରମ କରିଛି । ଅପରାହ୍ନ ୨ଟା ସୁଦ୍ଧା ଜଳସ୍ତର ସର୍ବାଧିକ ୧୮.୯୯ ମିଟରରେ ପହଂଚି ସ୍ଥିର ହୋଇଥିଲା । ଅପରାହ୍ନ ୪ଟାରେ ଜଳସ୍ତର ହ୍ରାସ ପାଇଥିଲା । ଘଂଟାପ୍ରତି ୩ ମି.ମି. ବେଗରେ ହ୍ରାସ ପାଇ ୫ଟାରେ ୧୮.୯୬ ମିଟରରେ ପ୍ରବାହିତ ହେଉଛି । ଗତ ୨୪ ଘଂଟା ମଧ୍ୟରେ ଚମ୍ପୁଆରେ ୩୭.୨ ମି.ମି., ଠାକୁରମୁଣ୍ଡାରେ ୫.୮ ମି.ମି., ସ୍ୱାମୀପାଟଣାରେ ୭.୮ ମି.ମି. ବର୍ଷା ରେକର୍ଡ଼ କରାଯାଇଥିବାବେଳେ କେଉଁଝର, ଆନନ୍ଦପୁର ଓ ଆଖୁଆପଦାରେ ବର୍ଷା ହୋଇନଥିବା ଜଣାଯାଇଛି । ବନ୍ୟା ଯୋଗୁଁ କଂଟିଘାଇରେ ୮ଫୁଟ ଉଚ୍ଚତାର ବନ୍ୟାଜଳ ପ୍ରବେଶ କରି ବହୁ ଗ୍ରାମକୁ ବୁଡାଇଦେଇଛି । ବନ୍ୟାଜଳରେ ଷୋଳମପୁର, ମାଳଦା, ନପଙ୍ଗ, କୁରିଗାଁ, ରହଣିଆ, ଝୁଟୁଣା, ବନ୍ଦାଳୋ-ମଢିଆଳି ପଂଚାୟତ ସମ୍ପୁର୍ଣ୍ଣ ଭାବେ ଜଳବନ୍ଦୀ ହୋଇଛି । ଏହି ସବୁ ପଂଚାୟତର ମଣିନାଥପୁର, ବିନ୍ଧାଣ, ବରାହନୂଆପଡ଼ା, ଷୋଳମପୁର, ବିରୋଳି, ମୁଢ଼ାପଦା, ଚତୁର୍ଭୁଜପୁର, ସାରଣା, ଜଳହରୀ, ରାମପୁର, ଜାନଗଡିଆ, ମହିଷାଗଡିଆ, ବଡମାଳଦା, ସାନମାଳଦା, ବଡନପଙ୍ଗ, ନପଙ୍ଗ, ଭାଟଣା, ଜୋରାଗଡିଆ, ବାଙ୍କମୂହାଁ, ଗିଲପଦୀ, ଦେଉଳପଦୀ, ରାଢୋ, ନୌରଙ୍ଗପୁର, ରହଣିଆ, କେଶପୁର, ଷଠଗାଁ, ବନ୍ଦାଳୋ, ମଢ଼ିଆଳି, ବଳିପୁର, ଖପୁରିଆପଦା, ଝୁଟୁଣା, ଦାଦେଶ୍ୱର ଆଦି ଗ୍ରାମର ୩୧ହଜାର ଲୋକ ଓ ୭,୫୦୦ ଗୃହପାଳିତ ପଶୁ ଜଳବନ୍ଦୀ ହୋଇଛନ୍ତି । ଏହି ସମସ୍ତ ଗ୍ରାମର ରାସ୍ତାଘାଟ ବନ୍ୟାଜଳରେ ବୁଡିରହି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏହି ଅଂଚଳର ହଜାର ହଜାର ହେକ୍ଟର ଚାଷଜମି ମଧ୍ୟ ବନ୍ୟାଜଳରେ ଗତ ଆଠଦିନ ଧରି ବୁଡିରହି ଋଆ ଧାନ ଓ ଧାନତଳିକୁ ନଷ୍ଟ କରିପକାଇଛି । ବନ୍ୟା ଜଳ ପ୍ଳାବିତ ହେବା ଯୋଗୁଁ ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତରାସ୍ତାରେ ଯାତାୟତ ଠପ ହୋଇଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ତହସିଲଦାର ସରୋଜକାନ୍ତ ନାୟକ ବନ୍ୟାପ୍ରବଣ ଅଂଚଳ ଗସ୍ତ କରିବା ସହ ଉଦ୍ଧାର ଓ ଚିକିତ୍ସା ବ୍ୟବସ୍ଥା ତଦାରଖ କରିଥିବା ଜଣାଯାଇଛି । ବନ୍ଦାଳୋ-ମଢିଆଳି ସରପଂଚ ବିଶ୍ୱନାଥ ସାହୁ ଜିଲ୍ଲାପାଳଙ୍କୁ ବନ୍ୟାବସ୍ଥା ସମ୍ପର୍କରେ ସୂଚୀତ କରିଛନ୍ତି । ବିଜେପି ନେତା ବଦ୍ରୀନାରାୟଣ ଧଳ ବନ୍ୟାଂଚଳ ଗସ୍ତ କରି ବିପନ୍ନଙ୍କୁ ରିଲିଫ ପ୍ରଦାନ ପାଇଁ ଦାବି କରିଛନ୍ତି ।